ରାଜକ୍ଷମା ଆବେଦନରେ ରା‌ଷ୍ଟ୍ରପତିଙ୍କୁ ନିଜର ୧୭୦ ପୃଷ୍ଠାର ଡାଏରି ପଠାଇବାକୁ ଚାହୁଁଛି ନିର୍ଭୟା ଦୋଷୀ ବିନୟ

ନୂଆଦିଲ୍ଳୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀମାନଙ୍କ ମଧ୍ୟରୁ ବିନୟ ଶର୍ମା ଅନ୍ୟତମ। ଫେବ୍ରୁଆରି ପହିଲାରେ ୪ ଅପରାଧୀ ଫାଶୀରେ ଝୁଲିବାର ସମସ୍ତ ବନ୍ଦୋବସ୍ତ ହୋଇ ସାରିଥିବା ବେଳେ ସେମାନେ ଏବେ କୌଣସି ବି ଉପାୟରେ ଫାଶୀରୁ ମୁକୁଳିବାର ଆଶା ରଖିଛନ୍ତି। ଶୁକ୍ରବାର ବିନୟ ଦଣ୍ଡକୋହଳ ଆଶାରେ ନିଜର ୧୭୦ ପୃଷ୍ଠାର ବ୍ୟକ୍ତିଗତ ଡାଏରିକୁ ରା‌ଷ୍ଟ୍ରପତିଙ୍କ ନିକଟରେ ପହଞ୍ଚାଇବା ପାଇଁ ଟ୍ରାଏଲ୍ କୋର୍ଟଙ୍କୁ  ନିବେଦନ କରିଛି। ସେ ଅଦାଲତଙ୍କୁ ନିଜର ଦରଖାସ୍ତରେ ରା‌ଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଜକ୍ଷମା ମାଗିବାକୁ କରିଥିବା ଆବେଦନ ପତ୍ର ସହ ତା’ର ବ୍ୟକ୍ତିଗତ ଡାଏରି ପଠାଇବାକୁ ଗୁହାରୀ କରିଛି।

ଚାରି ଜଣ ଅପରାଧୀଙ୍କ ମଧ୍ୟରୁ ପୂର୍ବରୁ କେବଳ ମୁକେଶ ରଜକ୍ଷମା ପାଇଁ ଆବେଦନ କରିଥିବା ବେଳେ ଶୁକ୍ରବାର ବିନୟ ରାଜକ୍ଷମା ଚାହିଁଛି। ରାଷ୍ଟ୍ରପତି ମୁକେଶର ରାଜକ୍ଷମାକୁ ଅବିଳମ୍ବେ ଖାରଜ କରି ଦେଇଥିଲେ। ମୁକେଶ ରାଜକ୍ଷମା ପାଇଁ ଆବେଦନ କରିବାର ମାତ୍ର ୪ ଦିନ ଭିତରେ ତା’ ଆବେଦନକୁ ରାଷ୍ଟ୍ରପତି ଖାରଜ କରିଥିଲେ। ଏହା ପୂର୍ବରୁ କୌଣସି ରାଜକ୍ଷମା ଆବେଦନ ଉପରେ ଏତେ ଶୀଘ୍ର ନିଷ୍ପତ୍ତି ନିଆଯାଇ ନଥିଲା।

National Herald

ବିନୟ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂହଙ୍କ କହିବା କଥା ହେଲା, ‘ରାଜ‌କ୍ଷମା ଆବେଦନ ପାଇଁ ଆମେ ପ୍ରସ୍ତୁତ ଅଛୁ। ଜାନୁଆରି ୨୨ ତାରିଖରେ ମୁଁ ବିନୟକୁ ଭେଟିଥିଲି। ସେ ନିଜର ୧୭୦ ପୃଷ୍ଠାର ବ୍ୟକ୍ତିଗତ ଡାଏରିକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବାକୁ ଅନୁରୋଧ କରିଛି।’ ଜେଲ୍‌ ପକ୍ଷରୁ ବିନୟର ମେଡିକାଲ୍‌ ରେକର୍ଡ,‌ ଜେଲ୍‌ ଭିତରେ ତା’ର କାର୍ଯ୍ୟକଳାପର ରେକର୍ଡ ଓ ସେ ‌ରୋଜଗାର କରିଥିବା ଅର୍ଥର ରେକର୍ଡ ଅଦାଲତରେ ଦାଖଲ କରାଯାଇଥିବା ବେଳେ ବିନୟ ଶର୍ମାର ଡାଏରି ଦାଖଲ ଲାଗି ତା’ ଓକିଲଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

ଉଲ୍ଳେଖଯୋଗ୍ୟ, ୨୦୧୨ ମସିହାରେ ଦିଲ୍ଲୀଠାରେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରିଥିବା ୬ ଜଣ ଅପରାଧୀଙ୍କ ମଧ୍ୟରୁ ଜଣେ ନାବାଳକ ଥିବା କାରଣରୁ ତାକୁ ଗିରଫ କରାଯିବାର ୩ ବର୍ଷ ପର୍ଯ୍ୟନ୍ତ ବାଳ ସୁଧାର ଗୃହରେ ରଖାଯାଇଥିଲା। ଦ୍ବିତୀୟ ଜଣକ ଆତ୍ମହତ୍ୟା କରି ଦେଇଥିଲା। ବାକି ଚାରି ଅପରାଧୀ ମୁକେଶ, ବିନୟ, ପୱନ ଓ ଅକ୍ଷୟ ଫେବ୍ରୁଆରି ୧ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବାକୁ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର