ଦିଲ୍ଲୀ ସରକାର ବନାମ ଉପରାଜ୍ୟପାଳ ମାମଲା: ସବୁ ନିଷ୍ପତ୍ତି ଏଲଜିଙ୍କୁ ଜଣାଇବେ ସରକାର

ସରକାରଙ୍କ ନିଷ୍ପତ୍ତି ମାନିବାକୁ ଏଲ୍‌୍‌ଜି ବାଧ୍ୟ ନୁହନ୍ତି

ନୂଆଦିଲ୍ଲୀ : ସୁପ୍ରିମ୍‌ କୋର୍ଟଙ୍କ ୫ ଜଣିଆ ସମ୍ବିଧାନ ପୀଠ ଆଜି ଦିଲ୍ଲୀ ସରକାର ଏବଂ ଉପରାଜ୍ୟପାଳ ମାମଲାରେ ଶୁଣାଣି କରି କହିଛନ୍ତି ଯେ ରାଜ୍ୟ ସରକାର ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରାଜ୍ୟପାଳ (ଏଲ୍‌ଜି)ଙ୍କୁ ଅବଗତ କରାଇବା ଜରୁରୀ। ଦିଲ୍ଲୀରେ ଶାସନ ବ୍ୟବସ୍ଥା ଭିନ୍ନ ପ୍ରକାରର ଏବଂ ଏଠାରେ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏଲଜିଙ୍କୁ ସରକାର ଜଣାଇବେ ବୋଲି କୋର୍ଟ କହିଛନ୍ତି। ତେବେ ସବୁ ନିଷ୍ପତ୍ତିକୁ ଗ୍ରହଣ କରିବା ପାଇଁ ଏଲଜି ବାଧ୍ୟ ନୁହନ୍ତି ବୋଲି ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଛନ୍ତି। ଏଲଜି ସରକାରଙ୍କୁ ଯେ କୌଣସି ନିଷ୍ପତ୍ତି ସଂପର୍କରେ ତଥ୍ୟ ମାଗିପାରିବେ ଏବଂ ଏଥିରେ ନିଜର ସହମତି କିମ୍ବା ଅସହମତି ପ୍ରକାଶ କରିପାରିବେ। ଏପରିକି ରାଜ୍ୟର ମନ୍ତ୍ରୀମାନେ ନେଉଥିବା ନିଷ୍ପତ୍ତି ସଂପର୍କରେ ମଧ୍ୟ ଏଲଜିଙ୍କୁ ଅବଗତ କରାଇବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି। ସରକାରଙ୍କ ଦୈନନ୍ଦିନ କାର୍ଯ୍ୟ ମନ୍ତ୍ରୀ ଏବଂ ଏଲ୍‌ଜିଙ୍କ ଦ୍ୱାରା ହେଉଥିବା ବେଳେ ସରକାରଙ୍କ କେଉଁ ନିଷ୍ପତ୍ତିକୁ ଏଲଜି ଗ୍ରହଣ କରିବେ ଏବଂ ଫେରାଇବେ ଏହା ତାଙ୍କର କ୍ଷମତା ପରିସରଭୁକ୍ତ ବୋଲି କୋର୍ଟ କହିଛନ୍ତି। ଏଲଜି ଯେଉଁ ମାମଲାରେ ଅସହମତି ପ୍ରକାଶ କରିବେ ତାହାକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ପାରିବେ ଏବଂ କୌଣସି ମାମଲାରେ ଆବଶ୍ୟକ ହେଲେ ନିଜ ବିବେକ ଅନୁଯାୟୀ ତୁରନ୍ତ ନିଷ୍ପତ୍ତି ନେଇପାରିବେ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର