ନୂଆ ୫୦ ଓ ୨୦୦ ଟଙ୍କିଆ ନୋଟ୍‌କୁ ପରୀକ୍ଷା କରିବାକୁ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ୍‌କୁ କହିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ନୂତନ କାଗଜ ନୋଟ୍‌ ଏବଂ ମୁଦ୍ରାଗୁଡ଼ିକୁ ଚିହ୍ନି ବ୍ୟବହାର କରିବାକୁ ଦୃଷ୍ଟିହୀନ ବ୍ୟକ୍ତିମାନେ ଅସୁବିଧାରେ ସମ୍ମୁଖୀନ ହେଉଥିବା କାରଣରୁ ସେଗୁଡ଼ିକୁ ଅନୁଶୀଳନ କରିବାକୁ ବୁଧବାର ଦିନ ଦିଲ୍ଲୀ ହାଇକୋର୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌କୁ କହିଛନ୍ତି।

କାର୍ଯ୍ୟକାରୀ ମୁଖ୍ୟବିଚାରପତି ଜଷ୍ଟିସ୍‌ ଗୀତା ମିତ୍ତଲ ଏବଂ ଜଷ୍ଟିସ୍‌ ସି ହରିଶଙ୍କରଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌କୁ କହିଛନ୍ତି ଯେ ସେମାନେ ନୂତନ ୨୦୦ ଏବଂ ୫୦ ଟଙ୍କିଆ ନୋଟ୍‌କୁ ଅନୁଶୀଳନ କରିବା ଉଚିତ। ଏହି ନୋଟ୍‌ର ଆକାର ଏବଂ ସ୍ପର୍ଶରୁ ଚିହ୍ନିବା ପାଇଁ ଉଦ୍ଦିଷ୍ଟ ଚିହ୍ନରୁ ଦୃଷ୍ଟିହୀନ ବ୍ୟକ୍ତିମାନେ ସେଗୁଡ଼ିକୁ ଚିହ୍ନିବାରେ ଅସୁବିଧା ଭୋଗୁଛନ୍ତି।

ଖଣ୍ଡପୀଠ କହିଛନ୍ତି ଯେ ଏ ମାମଲାକୁ ନିଜ ମଧ୍ୟରେ ସମାଧାନ କରିବା ଉଚିତ। ଆପଣମାନେ ଅର୍ଥାତ ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଏବଂ ଆବେଦନକାରୀ ସଭିଏଁ ଏକତ୍ର ବସି ଏହାର ସମାଧାନର ବାଟ ସ୍ଥିର କରନ୍ତୁ। ଖଣ୍ଡପୀଠ ଆହୁରି କହିଛନ୍ତି ଯେ ଟଙ୍କାର ଆକାର ପରିବର୍ତ୍ତୀତ ହୋଇ ଥିବାରୁ ଏହାକୁ ଦୃଷ୍ଟିହୀନ ବ୍ୟକ୍ତିମାନେ ସହଜରେ ଠଉରାଇ ପାରୁ ନାହାନ୍ତି।

ଖଣ୍ଡପୀଠ କହିଛନ୍ତି କି, କର୍ତ୍ତୃପକ୍ଷମାନେ ଦୃଷ୍ଟିହୀନମାନଙ୍କ ପାଇଁ କାମ କରୁଥିବା ବିଶେଷଜ୍ଞ ଏବଂ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନ୍ୟମାନଙ୍କ ସହ ପରମର୍ଶ କରିବା ଉଚିତ ଥିଲା।


କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ସଞ୍ଜୟ ଜୈନଙ୍କୁ ଖଣ୍ଡପୀଠ ପଚାରିଥିଲେ ଯେ ପୂର୍ବ ପ୍ରଚଳିତ ନୋଟ୍‌ର ଆକାର ଭଳି ନୂଆ ନୋଟ୍‌ଗୁଡ଼ିକୁ ତିଆରି ନ କରା ଗଲା କାହିଁକି? ଏସ୍‌ଜି ଅଦାଲତଙ୍କୁ କହିଥିଲେ ଯେ, ସବୁ ଦିଗରୁ ବିଚାର କରି ସେମାନେ ଏ ଭଳି ନୋଟ୍‌ ପ୍ରସ୍ତୁତ କରିଛନ୍ତି।

ଏ ସଂକ୍ରାନ୍ତରେ ଫେବ୍ରୁଆରି ୧୬ ତାରିଖରେ ହେବାକୁ ଥିବା ଆଗାମୀ ଶୁଣାଣି ବେଳେ ନିଜର ମତ ଉପସ୍ଥାପନ କରିବାକୁ କେନ୍ଦ୍ର ସରକାରଙ୍କୁ ଅଦାଲତ କହିଛନ୍ତି।

ତିନି ଜଣ ଆଡ୍‌ଭୋକେଟ୍‌, ଜଣେ କମ୍ପାନି ସେକ୍ରେଟାରି ଓ ଅଲ୍‌ ଇଣ୍ଡିଆ କନଫେଡେରେସନ୍‌ ଅଫ୍‌ ବ୍ଲାଇଣ୍ଡ୍‌ ନାମକ ଏନ୍‌ଜିଓ, ଫାଇଲ୍‌ କରିଥିବା ଜନସ୍ୱାର୍ଥ ମାମଲା ଉପରେ ଅଦାଲତ ଶୁଣାଣି କରିଛନ୍ତି।

୧୦ ଟଙ୍କିଆ, ୫ ଟଙ୍କିଆ, ୨ ଟଙ୍କିଆ ଏବଂ ୧ ଟଙ୍କିଆ ଧାତବ ମୁଦ୍ରାର ଆକାର ପ୍ରାୟ ଏକା ପ୍ରକାରର ହୋଇଥିବାରୁ ଏହାକୁ ଚିହ୍ନିବା ଦୃଷ୍ଟିହୀନଙ୍କ ପକ୍ଷେ ଅଡୁଆ ହେଉଛି ବୋଲି ଏନ୍‌ଜିଓ ଦର୍ଶାଇଛି।

ସମ୍ବନ୍ଧିତ ଖବର