ତୁଟୁନି ଦିଲ୍ଲୀ ବିବାଦ : ଆପ୍‌ ‘ଧାରଣା ରାଜନୀତି’ରେ ହାଇକୋର୍ଟଙ୍କ ଛାଟ, କାହା ଘରେ ଅନଶନ ବେଆଇନ

ନୂଆଦିଲ୍ଲୀ : ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ‘ଧାରଣା ରାଜନୀତି’କୁ ନେଇ ବିବାଦ ହଟିନି। ଉପ ରାଜ୍ୟପାଳ ଅନିଲ ବୈଜଲଙ୍କ ଘରେ ୮ ଦିନ ଧରି ଧାରଣାରେ ବସିବାକୁ ନେଇ ଆଜି ଦିଲ୍ଲୀ ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ବିନା ଅନୁମତିରେ କାହାଘରେ ଅନଶନ କରିବା ବେଆଇନ୍‌ ବୋଲି କହିଛନ୍ତି। ତମାମ ଘଟଣାକୁ ନେଇ ପ୍ରଶାସନିକ ଅଚଳାବସ୍ଥା ସୃଷ୍ଟି ହୋଇଥିବାବେଳେ ଏହାକୁ ନେଇ ରାଜନୈତିକ ସ୍ତରରେ ବି ବାକ୍‌ବିତଣ୍ଡା ଆରମ୍ଭ ହୋଇଛି।

ଗତ ୧୧ ତାରିଖଠାରୁ ପ୍ରଶାସନିକ ଅସହଯୋଗ ପ୍ରତିବାଦରେ ଶ୍ରୀ କେଜ୍ରିଓ୍ଵାଲଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ଗୋପାଳ ରାୟ ଧାରଣା ଦେଇ ଆସୁଛନ୍ତି। ଏହି ଘଟଣା କେବଳ ଦିଲ୍ଲୀ ନୁହେଁ, ସାରା ଦେଶର ରାଜନୀତିକୁ ଛୁଇଁଛି। ବିଶେଷକରି, ନିତି ଆୟୋଗ ବୈଠକକୁ ଆସିଥିବା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ , କେରଳ ମୁଖ୍ୟମନ୍ତ୍ରୀ ପିରାରାୟି ବିଜୟନ୍‌ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ୱାମୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେବା ସହିତ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବା ପରେ ଏହି ‘ଧାରଣା ରାଜନୀତି’ର ଗୁରୁତ୍ୱ ବଢ଼ିଯାଇଥିଲା। ଏହା ଆହୁରି ଦୃଷ୍ଟି ଆକର୍ଷଣ କରିଥିଲା, ଯେତେବେଳେ ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ମୁଖ୍ୟମନ୍ତ୍ରୀ ଶ୍ରୀ କେଜ୍ରିଓ୍ଵାଲଙ୍କୁ ସମର୍ଥନ କରି ଆନ୍ଦୋଳନକୁ ଓହ୍ଲାଇଥିଲେ।

ତେବେ, ହାଇକୋର୍ଟଙ୍କ ପ୍ରତିକ୍ରିୟା ପରେ ଆଜି ଏହି ଘଟଣା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ଆଜି ହାଇକୋର୍ଟରେ ବିଚାରପତି ସି.ହରିଶଙ୍କରଙ୍କ ଖଣ୍ଡପୀଠ ଏକ ଜନସ୍ୱାର୍ଥ ମାମଲାର ବିଚାର କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ଏମିତି କାହା ବାସଭବନରେ ଅନଶନ କରିପାରିବେ ନାହିଁ। ଏଭଳି ଅନଶନ ପାଇଁ କିଏ ଅନୁମତି ଦେଲା ବୋଲି ମଧ୍ୟ ହାଇକୋର୍ଟ କେଜ୍ରିଓ୍ଵାଲଙ୍କୁ ପ୍ରଶ୍ନ କରିଛନ୍ତି। ଯଦି ଏଭଳି ଅନଶନ କେଜ୍ରିଓ୍ଵାଲଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ହୋଇଥାଏ ତେବେ ସେ ଉପ ରାଜ୍ୟପାଳଙ୍କ ଘର ଭିତରେ ନୁହେଁ ବରଂ ଘର ବାହାରେ ଅନଶନ କରିପାରିବେ। ଏହି ମାମଲାରେ କୋର୍ଟ କେନ୍ଦ୍ର ସରକାର, ଦିଲ୍ଲୀ ପ୍ରଶାସନିକ ଅଧିକାରୀ ସଂଘକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି। ଆସନ୍ତା ଶୁକ୍ରବାର ଏହି ମାମଲାର ପରବର୍ତୀ ଶୁଣାଣି ହେବ।

ଅପରପକ୍ଷେ, ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟରେ ଯୋଗନଦେବା ଯାଏଁ ସେ ଅନଶନ ଭାଙ୍ଗିବେ ନାହିଁ ବୋଲି କେଜ୍ରିଓ୍ଵାଲ ସ୍ପଷ୍ଟ କରିଛନ୍ତି। ଆଜି ବିଜେପି ନେତା ବିଜେନ୍ଦର ଗୁପ୍ତା ମଧ୍ୟ କେଜ୍ରିଓ୍ଵାଲଙ୍କ ଏହି ଅନଶନକୁ ବିରୋଧ କରି କୋର୍ଟରେ ମାମଲା ଦାୟର କରିଛନ୍ତି।

ଗୋଟିଏ ପଟେ ଆମ ଆଦ୍‌ମୀ ପାର୍ଟିର ଏହି ଅନଶନକୁ ଅଧିକରୁ ଅଧିକ ସମର୍ଥନ ମିଳୁଥିବା ବେଳେ ଆଉ ଗୋଟିଏ ପଟେ କେନ୍ଦ୍ର ସରକାର ଏହି ମାମଲାରେ ଏଯାଏ ନିରବଦ୍ରଷ୍ଟା ସାଜିଛନ୍ତି। ଏହିଭଳି ଏକ ହାଇ-ଭୋଲ୍‌ଟେଜ୍‌ ଡ୍ରାମାରେ ମୁଣ୍ଡ ପୂରାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ତେବେ, ସେ ଊଭୟ କେଜ୍ରିଓ୍ଵାଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିବା ସହ ଦିଲ୍ଲୀ ଅରାଜକତା ପ୍ରତି ପ୍ରଧାନମନ୍ତ୍ରୀ ଆଖି ବୁଜି ଦେଇଥିବା କହିଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଆନ୍ଦୋଳନରତ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବା ପରେ ତାଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତି କରାଯାଇଛି। ଆଜି ସକାଳୁ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଖରାପ ହୋଇଯିବା ଫଳରେ ତାଙ୍କୁ ମଧ୍ୟ ଏହି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର