ଗିରଫ ସିବିଆଇ ଡିଏସ୍‌ପି ଦେବେନ୍ଦ୍ର କୁମାରଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ପଠାଇବା ସହ, ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ତଦନ୍ତ ଚାଲୁ ରଖିବାକୁ କହିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଆଗତ ଲାଞ୍ଚ କାରବାର ନେଇ ଯେଉଁ କାର୍ଯ୍ୟାନୁଷ୍ଠାନ ଚାଲିଛି, ତା’ ଉପରେ ରହିତାଦେଶ ଦିଆଯାଇ ପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ଆଜି (ମଙ୍ଗଳବାର) ସ୍ପଷ୍ଟ କରି ଦେଇଛନ୍ତି। ତେବେ, ଦିଲ୍ଲୀ ହାଇକୋର୍ଟ ଏଥିସହ ସିବିଆଇକୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଆସନ୍ତା ଅକ୍ଟୋବର ୨୯ ତାରିଖ ସୋମବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବା ପର୍ଯ୍ୟନ୍ତ, ସିବିଆଇ ଅଧିକାରୀମାନେ ସ୍ଥିତାବସ୍ଥା ବଜାୟ ରଖିବା ସହ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ। କିନ୍ତୁ, ଆଗତ ଏଫ୍‌ଆଇଆର୍‌ ଉପରେ ତଦନ୍ତ ଚାଲୁ ରହିବ।

ଅନ୍ୟପକ୍ଷରେ, ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଆଗତ ଲାଞ୍ଚ କାରବାରରେ ସଂପୃକ୍ତ ଥାଇ ଗତକାଲି ସିବିଆଇ ହାତରେ ଗିରଫ ହୋଇଥିବା ସିବିଆଇ ଡିଏସ୍‌ପି ଦେବେନ୍ଦ୍ର କୁମାରଙ୍କୁ ଦିଲ୍ଲୀ ହାଇକୋର୍ଟ ଆଜି ୭ ଦିନ ପାଇଁ ସିବିଆଇକୁ ରମାଣ୍ଡରେ ଦେଇଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଆଗତ ଲାଞ୍ଚ କାରବାର ନେଇ ସିବିଆଇ ଯେଉଁ ଏଫ୍‌ଆଇଆର୍‌ ଆଗତ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି, ତାହାକୁ ଖାରଜ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନ କରି ରାକେଶ ଆସ୍ଥାନା ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର