ଦିଲ୍ଲୀରେ ୨୦ ହଜାର କୋଟିର ହୱାଲା ରୢାକେଟ୍

ନୂଆଦିଲ୍ଲୀ : ଦିଲ୍ଲୀରେ ଆୟକର ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ପ୍ରାୟ ୨୦ ହଜାର କୋଟିର କଳାଧନକୁ ଧଳା କରୁଥିବା ଏକ ହୱାଲା ରୢାକେଟକୁ ବିଭାଗର ଅଧିକାରୀମାନେ ଧରିଛନ୍ତି। ଆୟକର ବିଭାଗର ଦିଲ୍ଲୀ ତଦନ୍ତ ଶାଖା ପକ୍ଷରୁ ଗତ କିଛି ସପ୍ତାହ ହେଲା ହୋଇଥିବା ଚଢ଼ଉରୁ ଏହି ଘଟଣା ପଦାକୁ ଆସିଛି। ପୁରୁଣା ଦିଲ୍ଲୀର ବିଭିନ୍ନ ବ୍ୟବସାୟିକ ଅଞ୍ଚଳରେ ଏହି ଚଢ଼ଉ ହୋଇଥିଲା। ୩ଟି ଗୋଷ୍ଠୀ ପକ୍ଷରୁ ଚାଲିଥିବା ବେଆଇନ ଆର୍ଥିକ କାରବାରକୁ ଆୟକର ବିଭାଗର ଅଧିକାରୀମାନେ ଧରିଛନ୍ତି।

ନୟା ବଜାର ଅଞ୍ଚଳରେ ହୋଇଥିବା ଏକ ଚଢ଼ଉରୁ ୧୮ ହଜାର କୋଟି ଟଙ୍କାର ନକଲି ବିଲିଂ ଧରାପଡ଼ିଛି। ଏହି ଗୋଷ୍ଠୀରେ ସଂଶ୍ଳିଷ୍ଟ ବ୍ୟକ୍ତିମାନେ ଡଜନେ ପ୍ରାୟ ନକଲି ସଂସ୍ଥା ଖୋଲି ନକଲି ବିଲ୍ ପ୍ରସ୍ତୁତ କରି ଏଭଳି କାରବାର ଚଳାଇଥିଲେ। ତେବେ ଅଭିଯୁକ୍ତମାନଙ୍କ ପରିଚୟକୁ ଆୟଗର ବିଭାଗ ପକ୍ଷରୁ ପ୍ରକାଶ କରାଯାଇ ନାହିଁ।

ଆୟକର ବିଭାଗର ଅଧିକାରୀମାନେ ଧରିଥିବା ଦ୍ବିତୀୟ ମାମଲାର ଅଭିଯୁକ୍ତମାନେ ଅତ୍ୟନ୍ତ ସୁସଙ୍ଗଠିତ ଠଙ୍ଗରେ କଳାଟଙ୍କାକୁ ଧଳା କରୁଥିଲେ। ଏକ ନାମୀ କମ୍ପାନିର ବର୍ତ୍ତମାନର ସେୟାର କାରବାରକୁ ‌ଅଭିଯୁକ୍ତମାନେ ପୁରୁଣା ବୋଲି ଦର୍ଶାଇ ଠକେଇ କରି ଚାଲିଥିଲେ। ଏହି ମାମଲାରେ ପ୍ରାୟ ୧୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଆୟକର ବିଭାଗ ସନ୍ଦେହ କରୁଛି। ତେବେ ବହୁ ବର୍ଷ ଧରି ଏଭଳି କାରନାମା ଚାଲିଥିବାରୁ ଠକେଇ ପରିମାଣ ବହୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ଏତଦବ୍ୟତୀତ ଆୟକର ବିଭାଗର ଅଧିକାରୀମାନେ ଅନ୍ୟ ଏକ ଗ୍ରୁପ ବିରୋଧରେ ତଦନ୍ତ କରି ଅଘୋଷିତ ବିଦେଶୀ ବ୍ୟାଙ୍କ ଆକାଉଣ୍ଟ ଏବଂ ରପ୍ତାନିର ମୂଲ୍ୟ ଅଧିକ ଦର୍ଶାଇ ଜିଏସଟି ଠକେଇକୁ ଧରିଛନ୍ତି। ପ୍ରାରମ୍ଭିକ ଆକଳନରୁ ଯାହା ଜଣାପଡ଼ିଛି ଏହି ନକଲି ରପ୍ତାନିର ପରିମାଣ ୧୫୦୦ କୋଟି ଟଙ୍କାରୁ ଅଧିକ ହେବ।

ତଦନ୍ତକାରୀ ଅଧିକାରୀମାନେ ବିଭିନ୍ନ ଦସ୍ତାବିଜ୍‌ ସମେତ ୧୦୦ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଜବତ କରିଛନ୍ତି। ୩ଟି ଯାକ ମାମଲାରେ ହୋଇଥିବା ଟିକସ ଠକେଇ ରାଶି ପ୍ରାୟ ୨୦ ହଜାର କୋଟି ହେବ ବୋଲି ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର