ମୁମ୍ବାଇ ଅଭିମୁଖେ ଯିବାକୁ ଥିବା ବିମାନରେ ବୋମା ଅଛି ବୋଲି ଦିଲ୍ଲୀ ବିମାନ ବନ୍ଦରକୁ ମିଛ ଫୋନ୍‌କଲ୍‌ କରି ଗିରଫ ହେଲେ ଇଣ୍ଡିଗୋ କର୍ମଚାରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତିକ ବିମାନ ବନ୍ଦରରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ବିମାନ ମଧ୍ୟରେ ବୋମା ରହିଛି ବୋଲି, ଏକ ଫୋନ୍‌ କଲ୍‌ ଜରିଆରେ ମିଥ୍ୟା ସୂଚନା ଦେବା ଅଭିଯୋଗରେ ଆଜି (ରବିବାର) ଦିଲ୍ଲୀ ପୁଲିସ୍‌ ଇଣ୍ଡିଗୋ ଏୟାରଲାଇନ୍ସର ଜନୈକ କର୍ମଚାରୀଙ୍କୁ ଗିରଫ କରିଛି।


ଦିଲ୍ଲୀ ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆଜି ପୂର୍ବାହ୍ନରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଫୋନ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ଜଣକ ସୂଚନା ଦେବାକୁ ଯାଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ କହିଥିଲେ ଯେ ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତିକ ବିମାନ ବନ୍ଦରରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ବିମାନ ମଧ୍ୟରେ କେହି ବୋମା ଖଞ୍ଜିଛି ବୋଲି। ଏହି ଖବର ମିଳିବା ପରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତିକ ବିମାନ ବନ୍ଦରରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା ଏବଂ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ସମସ୍ତ ବିମାନକୁ ଅଟକାଇ ଦିଆ ଯାଇଥିଲା। ପରେ ମୁମ୍ବାଇ ଅଭିମୁଖେ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ସମସ୍ତ ବିମାନର ତନ୍ନତନ୍ନ କରି ଯାଞ୍ଚ କରା କରାଯାଇଥିଲା। ହେଲେ ବୋମା ମିଳି ନଥିଲା। ଶେଷରେ ଦୀର୍ଘ ତିନି ଘଣ୍ଟାର ବିଳମ୍ବ ପରେ ବିମାନଗୁଡ଼ିକ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିଲା।

ପରେ, ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଆସିଥିବା ଫୋନ୍‌ ବାର୍ତ୍ତାଟି ଏକ ମିଥ୍ୟା କଲ୍‌ ଥିବା ଜଣାପଡ଼ିବା ପରେ ଘଟଣା ସଂପର୍କରେ ପୁଲିସ୍‌ରେ ଅଭିଯୋଗ କରାଯାଇଥିଲା। ପରେ ପୁଲିସ୍‌ କଲ୍‌ ଆସିଥିବା ଅଜଣା ନମ୍ବରକୁ ଟ୍ରାକ୍‌ କରି ଏପରି ମିଥ୍ୟା କଲ୍‌ କରିଥିବା ଅପରାଧରେ ଇଣ୍ଡିଗୋ ଏୟାରଲାଇନ୍ସର ଜନୈକ କର୍ମଚାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏସଂପର୍କରେ ପୁଲିସ୍‌ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର