ସୁପ୍ରିମ୍‌ କୋର୍ଟ ବିଚାରପତିଙ୍କ ମତ: ଦିଲ୍ଲୀ ଗ୍ୟାସ୍‌ ଚ୍ୟାମ୍ବର, ଏଠାରେ ନ ରହିବା ଭଲ

ନୂଆଦିଲ୍ଲୀ : ଦିଲ୍ଲୀ ଏବେ ଏକ ଗ୍ୟାସ୍‌ ଚ୍ୟାମ୍ବରରେ ପରିଣତ ହୋଇଛି। ବା‌ୟୁ ପ୍ରଦୂଷଣ ସ୍ତର ଏଭଳି ସ୍ଥିତିରେ ପହଞ୍ଚିଛି ଯେ, ଦିଲ୍ଲୀରେ ନ ରହିବା ଭଲ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଜାତୀୟ ରାଜଧାନୀରେ ପ୍ରଦୂଷଣ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର ଏହା କହିଛନ୍ତି। ବିଚାରପତି ଅରୁଣ ମିଶ୍ର ଏବଂ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଦିଲ୍ଲୀରେ ପ୍ରଦୂଷଣ ସମସ୍ୟା ବଞ୍ଚିବାର ଅଧିକାରକୁ ପ୍ରଭାବିତ କରୁଛି। ଦିଲ୍ଲୀରେ ବଞ୍ଚିବା ଖୁବ୍‌ କଷ୍ଟଦାୟକ ହୋଇପଡ଼ିଛି ବୋଲି ଜଷ୍ଟିସ ମିଶ୍ର କହିଛନ୍ତି। ଆଇନଜୀବୀ ଅପରା‌ଜିତା ସିଂହ କହିଛନ୍ତି ପ୍ରଦୂଷଣ ‌ଯୋଗୁଁ ଦିଲ୍ଲୀ ଗ୍ୟାସ୍‌ ଚ୍ୟାମ୍ବର ପାଲଟିଥିବାରୁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ଜଷ୍ଟିସ୍‌ ଗୁପ୍ତା ମଧ୍ୟ ଏଥିରେ ସହମତି ପ୍ରକାଶ କରିଛନ୍ତି। ପ୍ରଦୂଷଣ ରୋକିବା ଦିଗରେ ଉଚିତ୍‌ ପଦ‌‌କ୍ଷେପ ଗ୍ରହଣ ହେଉନଥିବାରୁ କୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜଷ୍ଟିସ୍‌ ମିଶ୍ର କହିଛନ୍ତି ଯେ ଏଭଳି ସାଂଘାତିକ ସ୍ଥିତି ଯୋଗୁଁ ଅବସର ପରେ ସେ ଦିଲ୍ଲୀରେ ରହିବେ ନାହିଁ।

ସମ୍ବନ୍ଧିତ ଖବର