ଖରାଛୁଟି ପାଇଁ ଏମ୍ସରେ ଡାକ୍ତର ଅଭାବ, ଛୁଟିରେ ପଳାଇବେ ଅଧା ଡାକ୍ତର

ନୂଆଦିଲ୍ଲୀ: ଖରାଛୁଟିରେ ଦିଲ୍ଲୀ ଏମ୍ସର ଅଧାରୁ ଅଧିକ ଡାକ୍ତର ଛୁଟିରେ ପଳାଇବେ | ଆସନ୍ତା ୧୬ ତାରିଖରୁ ଜୁଲାଇ ମାସଯାଏଁ ଏକସାଙ୍ଗରେ ୫୦ ପ୍ରତିଶତ ଡାକ୍ତର ଛୁଟିରେ ଯାଉଥିବାର କୁହାଯାଉଛି | ଏଥିରେ ଗୁରୁତର ଭାବେ ରୋଗୀସେବା ପ୍ରଭାବିତ ହେବ ବୋଲି ଆଶଙ୍କା ଦେଖାଦେଇଛି |

ତେବେ ରୋଗୀଙ୍କ ଅସୁବିଧା ନ ହେବା ପାଇଁ ଏମ୍ସ କର୍ତୃପକ୍ଷ ଦୁଇଟି ପର୍ଯ୍ୟାୟରେ ଡାକ୍ତରଙ୍କ ଛୁଟି ମଞ୍ଜୁର କରିଛନ୍ତି | ଏମ୍ସ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ମୁତାବକ ପ୍ରଥମ ପର୍ଯ୍ୟାୟରେ ମେ ୧୬ରୁ ଜୁନ ୧୪ ଓ ଦ୍ଵିତୀୟ ପର୍ଯ୍ୟାୟରେ ୧୬ ଜୁନରୁ ୧୬ ଜୁଲାଇ ପର୍ଯ୍ୟନ୍ତ ଡାକ୍ତରମାନଙ୍କର ଛୁଟି ମଞ୍ଜୁର କରାଯାଇଛି | ଆଉ ୬୦ ଦିନ ଧରି ଡାକ୍ତରଙ୍କର ଅନୁପସ୍ଥିତି ଯୋଗୁଁ ସର୍ଜରୀ ବିଭାଗ ଉପରେ ଏହାର ଗୁରୁତର ପ୍ରଭାବ ପଡିବ | କାରଣ ଡାକ୍ତର ନ ଥିବାରୁ ଅପରେସନ ହେବାକୁ ଥିବା ରୋଗୀଙ୍କୁ ଆଉ କିଛିଦିନ ଅପେକ୍ଷା କରିବାକୁ ପଡିପାରେ |

ଏମ୍ସରେ ହାର୍ଟ,ନ୍ୟୁରୋ,ଅର୍ଥୋ ଭଳି ବିଭାଗରେ କିଛି ବର୍ଷ ହେଲା ସର୍ଜରୀ ରୋଗୀମାନେ ଅପେକ୍ଷାରେ ଅଛନ୍ତି | ଯଦି ଏକାସାଙ୍ଗେ ଏତେ ଡାକ୍ତର ଛୁଟିରେ ଯିବେ ତାହାହେଲେ ଅପରେସନ କରିବାକୁ ରୋଗୀଙ୍କୁ ଆଉ କିଛିଦିନ ଅପେକ୍ଷା କରିବାକୁ ପଡିବ | ତେବେ ଏମ୍ସ ପକ୍ଷରୁ କୁହାଯାଇଛି ଯେ ଏହା ପ୍ରତିବର୍ଷ ହୋଇଥାଏ ଓ ରୋଗୀଙ୍କର ଯେଭଳି ବିଶେଷ କିଛି ଅସୁବିଧା ନ ହେବ ସେ ବାବଦରେ ଦୃଷ୍ଟି ଦିଆଯିବ |

ସମ୍ବନ୍ଧିତ ଖବର