ଦିଲ୍ଲୀରେ ପୁଣି ପ୍ରଦୂଷଣସ୍ତର ସଂକଟଜନକ ସ୍ଥିତିରେ : ଏନସିଆରରେ ୨ ଦିନ ପାଇଁ ସ୍କୁଲ ବନ୍ଦ, ନିର୍ମାଣ ଉପରେ ଲାଗିଲା ପ୍ରତିବନ୍ଧକ
ନୂଅାଦିଲ୍ଲୀ: ପୁଣି ଥରେ ସାଂଘାତିକସ୍ତରକୁ ଆସିଛି ଦେଶର ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ । ସତେ ଯେମିତି ଗ୍ୟାସ୍ ଚାମ୍ବରରେ ପରିଣତ ହୋଇଛି ଦିଲ୍ଲୀ ସହର । ବାୟୁ ପ୍ରଦୂଷଣର ସ୍ଥିତିକୁ ଦେଖି ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଏନସିଆର ଅଂଚଳର ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ସେହିପରି ଆସନ୍ତାକାଲି ଯାଏଁ ସମସ୍ତ ମିକ୍ସଚର ପ୍ଲାଣ୍ଟ ଏବଂ ପଥର କ୍ରସର ମଧ୍ୟ ବନ୍ଦ ରହିବ ବୋଲି କେଜ୍ରିୱାଲ ସରକାର ଘୋଷଣା କରିଛନ୍ତି । ଏପରି ପ୍ରଦୂଷଣ ମାତ୍ରାକୁ ଦେଖିବା ପରେ ଆଗକୁ ମଧ୍ୟ ରାଜ୍ୟରେ ଯୁଗ୍ମ-ଅଯୁଗ୍ମ ନମ୍ବର ଗାଡ଼ି ଚଳାଚଳ ବ୍ୟବସ୍ଥା ଲାଗୁ ହେବ ବୋଲି ଆଶା କରାଯାଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଗୋଟିଏ ପଟେ ଥଣ୍ଡା ବଢୁଥିବା ବେଳେ ଅନ୍ୟ ପଟେ ଖରାପ ହୋଇ ଚାଲିଥିବା ବାୟୁର ମାନକୁ ନେଇ ଚିନ୍ତାରେ ପଡିଛନ୍ତି ଦିଲ୍ଲୀବାସୀ । ଆଜି ଏନସିଆର ଅଂଚଳରେ ବାୟୁର ଗୁଣବତ୍ତା ମାନକ ରହିଛି ୫୦୦, ଯାହାକି ସାଂଘାତିକ ଶ୍ରେଣୀରେ ଆସୁଛି । ସେହିପରି ଆନନ୍ଦ ବିହାର ଅଂଚଳରେ ବାୟୁର ଗୁଣବତ୍ତା ମାନକ ୫୬୪ ରେକର୍ଡ ହୋଇଛି । ଦିଲ୍ଲୀ ପରି ଏହା ନିକଟବର୍ତୀ ଅଞ୍ଚଳ ଗାଜିଆବାଦରେ ବି ବାୟୁର ଗୁଣବତ୍ତା ମାନକ ଅତି ସାଂଘାତିକ ରହିଛି । ଏଠାରେ ବାୟୁର ଗୁଣବତ୍ତା ମାନକ ୫୬୦, ଦିଲ୍ଲୀର ନେହରୁ ଷ୍ଟାଡିୟମ ଅଂଚଳରେ ୪୮୩ , ନୋଏଡାରେ ୫୮୮, ଆଇଟିଓ ଅଂଚଳରେ ବାୟୁ ପ୍ରଦୂଷଣ ମାନକ ରହିଛି ୪୭୪ ।
ପଡୋଶୀ ରାଜ୍ୟରେ ପରେଲି ଜଳାଇବା କାରଣରୁ ବିଶେଷ କରି ଦିଲ୍ଲୀ ଏନସିଆର ଏହା ଦ୍ୱାରା ବିଶେଷ ପ୍ରଭାବିତ ହୋଇଛି । ଏଠାରେ ପରିସ୍ଥିତିକୁ ଦେଖି ସମସ୍ତ ସରକାରୀ ସ୍କୁଲଗୁଡ଼ିକୁ ଆଜି ଓ ଆସନ୍ତାକାଲି ପାଇଁ ବନ୍ଦ ରଖିବାକୁ ଘୋଷଣା ହୋଇଛି । ଦିଲ୍ଲୀର ଲୋଧି ରୋଡରେ ଅଧିକାଂଶ ସ୍ଥାନରେ ପିଏମ୍ ୨.୫ ଓ ପିଏମ୍ ୧୦ର ମାନକ ୫୦୦ ଉପରେ ରହିବା ପରିସ୍ଥିତିକୁ ଜଟିଳ କରିଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରାକୁ ଦେଖି କିଛି କଟକଣା ଗ୍ରହଣ କରାଯାଇଥିଲା । ଯାହା ମଧ୍ୟରେ ରହିଥିଲା ଯୁଗ୍ମ-ଅଯୁଗ୍ମ ଲାଗୁ କରିବା । କିଛି ଦିନ ସ୍ଥିତି ସୁଧୁରିଥିଲେ ମଧ୍ୟ ଏବେ ପୁଣି ଥରେ ଘାତକ ସ୍ତରକୁ ଆସିଛି ପ୍ରଦୂଷଣ । ଏଥିପାଇଁ ଦିଲ୍ଲୀରେ ପୁଣି ଯୁଗ୍ମ-ଅଯୁଗ୍ମ ଯୋଜନା ଆଗକୁ ମଧ୍ୟ ଜାରି ରହିବ ବୋଲି ଅନୁମାନ କରାଯାଉଛି ।