ଦିଲ୍ଲୀ ସାମ୍ପ୍ରଦାୟିକ ହିଂସା:ପୁଲିସ କମିସନରଙ୍କୁ ଶାହଙ୍କ ସମନ

ଏସ୍‌ଆଇଟି ତଦନ୍ତ ପାଇଁ ଜନସ୍ବାର୍ଥ ମାମଲା

ନୂଆଦିଲ୍ଲୀ: ପୁରୁଣା ଦିଲ୍ଲୀର ହଜ୍‌ କାଜି ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଦେଖାଦେଇଥିବା ସାମ୍ପ୍ରଦାୟିକ ହିଂସା ଉଗ୍ର ରୂପ ନେବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଥିରେ ହସ୍ତକ୍ଷେପ କରିଛନ୍ତି। ଗତ ରବିବାର ରାତିରେ ପାର୍କିଂକୁ ନେଇ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ହିଂସାରୁ ସ୍ଥାନୀୟ ଏକ ମନ୍ଦିରରେ ଭଙ୍ଗାରୁଜା ହୋଇଥିଲା। ଏହାକୁ ନେଇ ପ୍ରବଳ ବିରୋଧ ହେବାପରେ ଏବଂ କଂଗ୍ରେସ ଏନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିବାପରେ ଗୃହମନ୍ତ୍ରୀ ଅମିତ ଶାହ ଏଥିରେ ହସ୍ତକ୍ଷେପ କରି ଦିଲ୍ଲୀ ପୁଲିସ କମିସନର ଅମୂଲ୍ୟ ପଟ୍ଟନାୟକଙ୍କୁ ସମନ କରିଥିଲେ ଏବଂ ଶାନ୍ତି ରକ୍ଷା ଦିଗରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ। ତେବେ ପଟ୍ଟନାୟକ  ଶାହଙ୍କ ସହ ‌‌‌ବୈଠକ ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ରଖି କହିଛନ୍ତି ଯେ ହଜ୍‌ କାଜି ଅଞ୍ଚଳରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଏହି ମାମଲାରେ ୪ ଜଣ ଗିରଫ ହୋଇଛନ୍ତି ଏବଂ ଏଥିରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ବୋଲି ପଟ୍ଟନାୟକ କହିଛନ୍ତି। ଗିରଫ ୪ ଜଣଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି। ଏବେ ସମ୍ପୃକ୍ତ ଅଞ୍ଚଳରେ ୧୦୦୦ରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ଘଟଣାରେ ଏସ୍‌ଆଇଟି ତଦନ୍ତ ପାଇଁ ଏବେ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆଇନଜୀବୀ ଅଲଖ ଆଲୋକଙ୍କ ଦ୍ବାରା ଏନେଇ ଦିଲ୍ଲୀ ହାଇକୋର୍ଟରେ ପିଆଇଏଲ୍‌ ଦାଖଲ ହୋଇଛି।
ପୁଲିସ ସୂଚନା ଅନୁଯାୟୀ ଗତ ରବିବାର ଦିନ ଜଣେ ଫଳ ବେପାରୀ ସଂଜୀବ ଗୁପ୍ତାଙ୍କର ଆସ୍‌ ମହମ୍ମଦ୍‌ ନାମକ ଜଣେ ବ୍ୟକ୍ତିଙ୍କ ସହ ବଚସା ହୋଇଥିଲା। ସଂଜୀବ ଗୁପ୍ତାଙ୍କ ଘର ବାହାରେ ମହମ୍ମଦ କାର୍‌ ପାର୍କିଂ କରିଥିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା ଏବଂ ଏହି ବିତର୍କ ବଢ଼ିବାରୁ ମହମ୍ମଦ କିଛି ଲୋକଙ୍କୁ ଧରି ଆଣି ସଂଜୀବଙ୍କ ଘର ଉପରକୁ ଆକ୍ରମଣ କରିଥିଲେ। ମହମ୍ମଦ୍‌ଙ୍କୁ ପୁଲିସ ଉକ୍ତ ମାମଲାରେ ଅଟକ ରଖି ପଚରାଉଚୁରା କରିବାରୁ ମହମ୍ମଦଙ୍କ ସମର୍ଥକମାନେ ତାଙ୍କୁ ଶୀଘ୍ର ଛାଡ଼ିଦେବାପାଇଁ ଦାବି କରିଥିଲେ ଏବଂ ପରେ ନିକଟସ୍ଥ ଏକ ମନ୍ଦିରରେ ପଶି ଭଙ୍ଗାରୁଜା କରିବା ସହ ମୂର୍ତ୍ତି ମଧ୍ୟ ବିକୃତ କରିଥିଲେ।

ସମ୍ବନ୍ଧିତ ଖବର