ଶବ ଦାହ ଅଟକାଇ ମଲା ମଣିଷକୁ ବଞ୍ଚାଇଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଉପସ୍ଥିତି ବୁଦ୍ଧି ଖଟାଇ ଜଣେ ପୁଲିସ ଅଧିକାରୀ ମୃତ ବୋଲି ଘୋଷଣା କରାଯାଇଥିବା ଜଣେ ଜୀବନ୍ତ ଲୋକର ଶବ ଦାହ କରିବା କାର୍ଯ୍ୟରୁ ଗୋଟିଏ ପରିବାରକୁ ଅଟକାଇଛନ୍ତି।

ଜଣେ ଯୁବକ ରଶି ଦେଇଛନ୍ତି ବୋଲି ପୁଲିସକୁ କେହି ଜଣେ ସୋମବାର ସନ୍ଧ୍ୟାରେ ବାରା ହିନ୍ଦି ରାଓ ଅଞ୍ଚଳରୁ ଫୋନ୍‌ ଯୋଗେ ଜଣାଇଥିଲେ। ଏସ୍‌ଏଚ୍‌ଓ ସଞ୍ଜୟ କୁମାର ସଦଳବଳେ ସେଠାକୁ ଯାଇ ଶୋକସନ୍ତପ୍ତ ପରିବାରକୁ ଭେଟିଲେ। ସେଦିନ ସନ୍ଧ୍ୟାରେ ଘଟିଥିବା କଥା ପରିବାର ଲୋକେ ପୁଲିସ ଆଗରେ କହିଲେ। ସେମାନେ କହିଲେ, ପରିବାରର ବାକି ସଦସ୍ୟ ବୈଠକ ଘରେ ବସିଥିବାବେଳେ ୨୧ ବର୍ଷିୟ ରାଜୁ ନିଜ କୋଠରିକୁ ଯାଇଥିଲା।

କୋଡ଼ିଏ ମିନିଟ୍‌ ପରେ ରାଜୁର ବାପା କିଛି କଥାବାର୍ତ୍ତା କରିବାକୁ ତା’ କୋଠରିକୁ ଯାଇ ଦେଖିଲେ ରାଜା ସିଲିଙ୍ଗ୍‌ ଫ୍ୟାନ୍‌ରେ ଝୁଲିଛି। ସେ ପାଟି ଚିଲାଇବାରୁ ସମସ୍ତେ ଘର କୋଠରି ଭିତରକୁ ଧାଇଁ ଗଲେ। ଗୋଟାଏ ବେଡ୍‌ ସିଟ୍‌ ବେକରେ ବାନ୍ଧି ରାଜୁ ଜୀବନ ହାରିଥିଲା। ପରିବାର ଲୋକେ ଏକତ୍ର ହୋଇ ତାକୁ ପଙ୍ଖାରୁ ଖୋଲି ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପୁଲିସକୁ ଖବର ଦେଇଥିଲେ।

ରାଜୁ ଆତ୍ମହତ୍ୟା କରିଥିବା କୋଠରିକୁ ଏସ୍‌ଏଚ୍‌ଓ କୁମାର ତଲାସ କରି ଭାବିଲେ ଘରର ଉଚ୍ଚତାରୁ ଯାହା ଜଣାପଡୁଛି ଏହାର ଛାତରୁ ଝୁଲି କେହି ଆତ୍ମ ହତ୍ୟା କରି ପାରିବ ନାହିଁ। ନିଶ୍ଚୟ ତା’ର ପାଦ ଭୂଇଁକୁ ଛୁଇଁ ଥିବ ବୋଲି ସେ ବିଚାର କଲେ। ଏ ଭିତରେ ରାଜୁଙ୍କ ପରିବାର ତା’ର ଶବ ସତ୍କାର ପାଇଁ ଆୟୋଜନ ଆରମ୍ଭ କଲେ।

ତା’ପରେ ଏସ୍‌ଏଚ୍‌ଓ କୁମାର ରାଜୁଙ୍କ ଶବ ଯାଞ୍ଚ କଲେ। ସେତେବେଳକୁ ଶବ ନେବା ଗାଡ଼ି ପହଞ୍ଚି ବାହାରେ ଅପେକ୍ଷା କରିଥିଲା। ରାଜୁଙ୍କ ନାଡ଼ୀର ଗତି ବାରିପାରି କୁମାର ଚକିତ ହୋଇ ଯାଇଥିଲେ। ରାଜୁଙ୍କ ଦେହରେ ଜୀବନ ଥିଲା! ନାଡ଼ୀର ଗତି ଅତି ଧୀମା ଥିଲେ ବି ଚାଲୁଥିଲା ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହନ୍ତି।

ବାଟରେ ସିପିଆର୍‌ ଦେଇ ଦେଇ କୁମାର ରାଜୁଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ। ଡାକ୍ତରଖାନାରେ ଡାକ୍ତରମାନେ ତାଙ୍କର ଜୀବନ ଫେରାଇ ଆଣିଥିଲେ।

ଡାକ୍ତରମାନେ ପୁଲିସକୁ କହିଲେ ଯେ ରାଜୁଙ୍କ ନାଡ଼ୀର ଗତି ଏତେ ଧୀମା ଥିଲା ଯେ ଡାକ୍ତରଖାନା ଆଣିବାରେ ଆଉ କ୍ଷଣିକେ ବିଳମ୍ବ ହୋଇଥିଲେ ସେ ମରି ଯାଇଥାଆନ୍ତେ।

ଚେତା ଫେରିବା ପରେ ରାଜୁ ପୁଲିସକୁ କହିଲେ କି, ବରାବର ବାପାମାଆଙ୍କ ଗାଳି ଶୁଣି ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା।

ସମ୍ବନ୍ଧିତ ଖବର