ମୁଣ୍ଡରେ ଆଘାତ ଲାଗିଥିବା ରୋଗୀଙ୍କର ଗୋଡ଼ରେ ଅସ୍ତ୍ରୋପଚାର କଲେ ଦିଲ୍ଲୀ ଡାକ୍ତର

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ‘ସୁଶ୍ରୁତ ଟ୍ରମା ସେଣ୍ଟର୍‌’ର ଜଣେ ଡାକ୍ତର ମୁଣ୍ଡରେ ଆଘାତ ପାଇଥିବା ଜଣେ ରୋଗୀଙ୍କର ଗୋଡ଼ରେ ଅସ୍ତ୍ରୋପଚାର କରିଛନ୍ତି।

ଦୁର୍ଘଟଣାଗ୍ରସ୍ତ ହୋଇ ବିଜେନ୍ଦ୍ର ତ୍ୟାଗୀ ନାମକ ଜଣେ ଲୋକ ମୁଣ୍ଡ ଏବଂ ମୁହଁରେ ସାମାନ୍ୟ ଆଘାତ ପାଇ ଟ୍ରମା ସେଣ୍ଟର୍‌ରେ ଭର୍ତ୍ତି କରାଯାଇଥିଲେ। ସେହି ଓ୍ଵାର୍ଡରେ ସେହି ଦିନ ଗୋଡ଼ ଭାଙ୍ଗି ଭର୍ତ୍ତି ହୋଇଥିଲେ ଅନ୍ୟ ଜଣେ ରୋଗୀ ବୀରେନ୍ଦ୍ର। କିନ୍ତୁ, ସର୍ଜନ୍‌ ଉଭୟ ନାଁ ଭିତରେ ବାଉଳା ହୋଇ ଭୁଲ୍‌ କରି ପକାଇଥିଲେ।

ଭୁଲ୍‌ ଦେଖି ଡାକ୍ତରଖାନାର ଦୃଷ୍ଟି ଆକର୍ଷଣ କରିଥିବା ବିଜେନ୍ଦ୍ରଙ୍କ ପୁଅ ଅଙ୍କିତ ତ୍ୟାଗୀ କହନ୍ତି: ପିନ୍‌ଟିଏ ଲଗାଇବା ପାଇଁ ସର୍ଜନ୍‌ ମୋ ବାପାଙ୍କ ଡାହଣ ଗୋଡ଼ରେ ଭଅଁର କରି କଣା କରିଥିଲେ। ନିଶ୍ଚେତକ ଦିଆ ଯାଇ ଏହା କରାଯାଇଥିବାରୁ ବାପା ନିଜେ ଏ କଥା ଜାଣି ପାରି ନ ଥିଲେ।
ଏପ୍ରିଲ୍‌ ୧୯ ତାରିଖ ସକାଳ ସାଢ଼େ ନଅଟା ବେଳେ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା। ପିନ୍‌ଟିକୁ କାଢ଼ିବା ପାଇଁ ପୁଣି କେତେ ଘଣ୍ଟା ଭିତରେ ଆଉ ଏକ ପ୍ରକ୍ରିୟା କରାଯାଇଥିଲା।

ଟ୍ରମା ସେଣ୍ଟର୍‌ର ମେଡିକାଲ୍‌ ସୁପରିଣ୍ଟେଣ୍ଡଣ୍ଟ୍‌ କହନ୍ତି: ଘଟନାର ତଦନ୍ତ ପାଇଁ ଗଢ଼ା ଯାଇଥିବା କମିଟି ଅଭିଯୋଗର ସତ୍ୟତା ପାଇଛି। ଉକ୍ତ ଡାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆରମ୍ଭ ହୋଇଛି। ଏଥର ବିନା ସୁପର୍‌ଭିଜନ୍‌ରେ ସେ ଡାକ୍ତର ଜଣକ ଅସ୍ତ୍ରୋପଚାର କରି ପାରିବେ ନାହିଁ।

ଅଙ୍କିତ କହନ୍ତି ଆଘାତ ଲାଗିଥିବା ସ୍ଥାନ ମୁଣ୍ଡ ଏବଂ ଛାତିରେ ମୋ ବାପା ଯନ୍ତ୍ରଣା ଭୋଗୁଛନ୍ତି। କିନ୍ତୁ ଅଯଥା ଜାଗାରେ ଅସ୍ତ୍ରୋପଚାର କରାଯିବାରୁ ଏବେ ଚାଲି ମଧ୍ୟ ପାରୁ ନାହାନ୍ତି। କିନ୍ତୁ ଡାକ୍ତରଙ୍କ ବିରୋଧରେ କୋର୍ଟ କଚେରି ନ ଯିବାକୁ ତାଙ୍କ ପରିବାର ସ୍ଥିର କରିଛନ୍ତି।

ସମ୍ବନ୍ଧିତ ଖବର