ଟ୍ରେନର ଆଗ ଓ ପଛରେ ଲାଗିବ ଇଂଜିନ, ମାତ୍ର ୧୩ ଘଣ୍ଟାରେ ପହଞ୍ଚିବ ଦିଲ୍ଲୀରୁ ମୁମ୍ବାଇ

ନୂଆଦିଲ୍ଲୀ :ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀରୁ ମୁମ୍ବାଇ ଯିବାକୁ ମାତ୍ର ୧୩ ଘଣ୍ଟା ଲାଗିବ । ଅବିଶ୍ୱାସ ମନେହେଉଥିଲେ ମଧ୍ୟ ସତ । କାରଣ ଏ ନେଇ ରେଳବାଇ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଯୋଜନାକୁ ସାକାର କରିବାକୁ ଖୁବଶୀଘ୍ର ଏକ ପରୀକ୍ଷଣ କରାଯିବ । ରାଜଧାନୀ ଏକ୍ସପ୍ରେସର ଆଗ ଓ ପଛରେ ଦୁଇଟି ଇଂଜିନ ଲଗାଯିବ । ଏହା ଦ୍ୱାରା ଟ୍ରେନର ଗତି ଅନେକ ପରିମାଣରେ ବଢିଯିବ । ଖୁବଶୀଘ୍ର ମୁମ୍ବାଇର ବାନ୍ଦ୍ରା ଟର୍ମିନସ ଓ ଦିଲ୍ଲୀର ହଜରତ ନିଜାମୁଦ୍ଦିନ ମଧ୍ୟରେ ଏହି ସ୍ୱତନ୍ତ୍ର ଟ୍ରେନର ପରୀକ୍ଷଣ କରାଯିବ । ଏବେ ଏହି ଦୁଇଟି ଷ୍ଟେସନ ମଧ୍ୟରେ ରାଜଧାନୀ ଏକ୍ସପ୍ରେସକୁ ୧୬ ଘଣ୍ଟା ଲାଗୁଛି । ଏହି ନୂଆ ପରୀକ୍ଷଣ ସଫଳ ହେଲେ ଏହି ସମୟ ୧୩ ଘଣ୍ଟାକୁ ହ୍ରାସ ପାଇବ । ଗତ ୨୦୧୭ରେ ଟ୍ରେନର ଆଗପଟେ ଦୁଇଟି ଇଂଜିନ ଲଗାଯିବା ପରେ ଯାତ୍ରା ସମୟ ୧୪ ଘଣ୍ଟାକୁ ହ୍ରାସ ପାଇଥିଲା । ଏହି ନୂଆ ପରୀକ୍ଷଣ ସଫଳ ହେଲେ ତାହା ଆଉ ଘଣ୍ଟେ ହ୍ରାସ ପାଇ ୧୩ ଘଣ୍ଟାକୁ କମିବ । ତେବେ ଏହି ନୂଆ କୌଶଳ ଲାଗି ରାଜଧାନୀ ଏକ୍ସପ୍ରେସର ବଗି ଗୁଡ଼ିକରେ କେତେକ ପରିବର୍ତ୍ତନ କରିବାକୁ ହେବ । ଏହାପରେ ଟ୍ରେନର ବେଗ ଓ ବ୍ରେକ ବ୍ୟବସ୍ଥାର ପରୀକ୍ଷଣ କରାଯିବ । କିଛିମାସର ପରୀକ୍ଷଣ ପରେ ବର୍ଷ ଶେଷ ବେଳକୁ ଏହା ସର୍ବସାଧାରଣଙ୍କ ପାଇଁ ଆରମ୍ଭ କରାଯିବ ।

ସମ୍ବନ୍ଧିତ ଖବର