ଦିଲ୍ଲୀ ହିଂସା: ପ୍ରଭାବିତ ଅଂଚଳରେ ଅସ୍ବାଭାବିକ ନିରବତା, ନାଳରୁ ମିଳିଲା ଆଉ ୪ ଶବ

ମୃତ୍ୟୁ ସଂଖ୍ୟା ୪୬ ଛୁଇଁଲା, ୭ ମେଟ୍ରୋ ଷ୍ଟେସନ ବନ୍ଦ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଉତ୍ତର ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାରେ ମୃତକଙ୍କ ସଂଖ୍ୟା ଲଗତାର ବଢ଼ିବାରେ ଲାଗିଛି। ପ୍ରଭାବିତ ଅଂଚଳରେ ୪ ଦିନ ହେଲା କୌଣସି ହିଂସା ହୋଇନଥିଲେ ମଧ୍ୟ ଗତକାଲି କେତେକ ସ୍ଥାନରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲା। ସର୍ବାଧିକ ପ୍ରଭାବିତ ଜାଫରାବାଦ, ମୌଜପୁର, ଚାନ୍ଦବାଗ ଆଦି ଅଂଚଳରେ ଏବେ ଅସ୍ବାଭାବିକ ନିରବତା ଦେଖିବାକୁ ମିଳିଛି। ସବୁ ଅଂଚଳରେ ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ମୁତୟତ ହୋଇଛନ୍ତି। ଆଜି ଦଙ୍ଗାଗ୍ରସ୍ତ ଗୋକୁଳପୁର ଅଂଚଳରେ ନାଳ ଭିତରୁ ୪ଟି ଶବ ଜବତ ହେବା ସହ ମୃତ୍ୟୁ ସଂଖ୍ୟା ୪୬ରେ ପହଞ୍ଚିଛି। ଜବତ ହୋଇଥିବା ଶବଗୁଡ଼ିକର ପରିଚୟ ମିଳିନାହିଁ। ଅନେକ ଲୋକ ଏ ପର୍ଯ୍ୟନ୍ତ ନିଖୋଜ ଥିବାରୁ ବିଭିନ୍ନ ସ୍ଥାନରେ ନାଳ ଓ ପାଉଁଶ ଗଦା ଭିତରେ ଲୋକେ ଶବ ସନ୍ଧାନ କରୁଛନ୍ତି। ୯ଟି ସ୍ବତନ୍ତ୍ର ରିଲିଫ୍‌ କ୍ୟାମ୍ପ୍‌ରେ ଦଙ୍ଗା ପୀଡ଼ିତଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି ଏବଂ ସେମାନଙ୍କୁ ତତ୍କାଳ ଆର୍ଥିକ ସହାୟତା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି।

ଉତ୍ତର ପୂର୍ବ ଦିଲ୍ଲୀରେ ଗତ ରବିବାର ଦିନ ଦଙ୍ଗା ଆରମ୍ଭ ହୋଇଥିଲା, ଯାହାକି ୩ ଦିନ ପର୍ଯ୍ୟନ୍ତ ଜାରି ରହିଥିଲା। ପୁଲିସର କଠୋର ପଦକ୍ଷେପ ପରେ ଏବେ ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ୨୦୦ରୁ ଅଧିକ ଆହତଙ୍କ ମଧ୍ୟରୁ ଏବେ ବି ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦଙ୍ଗାକୁ ନେଇ ଗୁଜବ ସୃଷ୍ଟି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ପକ୍ଷରୁ ଚେତାଇ ଦିଆଯାଇଛି। ଦିଲ୍ଲୀ ଦଙ୍ଗାରେ ଏ ପର୍ଯ୍ୟନ୍ତ ୨୫୪ଟି ଏଫ୍‌ଆଇଆର୍‌ ରୁଜୁ ହୋଇଥିବା ୯୦୩ ଲୋକଙ୍କୁ ଗିରଫ କରାଯାଇଛି।

ହିଂସା ଗୁଜବ, ୭ ମେଟ୍ରୋ ଷ୍ଟେସନ ବନ୍ଦ
ନୂଆଦିଲ୍ଲୀ: ଦିଲ୍ଲୀର ତିଳକ ନଗର, ହରିନଗର ଆଦି ଅଂଚଳରେ ଆଜି ରାତିରେ ହିଂସା ଗୁଜବ ଯୋଗୁଁ ଆତଙ୍କ ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ଲୋକେ ଦୋକାନ ବଜାର ବନ୍ଦ ଭୟରେ ‌ଏଣେ ତେଣେ ଦୌଡ଼ୁଥିବା ଦେଖାଯାଇଥିଲା। ପରିସ୍ଥିତିକୁ ଦେଖି ଆଗୁଆ ସତର୍କତା ପଦକ୍ଷେପ ସ୍ବରୂପ ଦିଲ୍ଲୀର ୭ଟି ମେଟ୍ରୋ ଷ୍ଟେସନକୁ ବନ୍ଦ ରଖାଯାଇଛି । ତେବେ ସୋସିଆଲ ମିଡିଆରେ ମିଥ୍ୟା ପ୍ରଚାର ଏବଂ ଗୁଜବ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ବୋଲି ଦିଲ୍ଲୀ ପୁଲିସ ସ୍ପଷ୍ଟ କରିଛି। ଗୁଜବକୁ ବିଶ୍ବାସ ନକରି ଲୋକେ ସ୍ବାଭାବିକ ଜୀବନଯାତ୍ରା ଜାରି ରଖିବାକୁ କୁହାଯାଇଛି। ସ୍ଥିତି ସଂପୂର୍ଣ୍ଣ ସ୍ବାଭାବିକ ଓ ଶାନ୍ତିପୂର୍ଣ୍ଣ ରହିଛି ଏବଂ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀମାନେ କହିଛନ୍ତି।

ଦଙ୍ଗା ଷଡ଼ଯନ୍ତ୍ରର ପୁଙ୍ଖାନୁପୁଙ୍ଖ ଯାଞ୍ଚ ହେବ: ଗୃହ ରାଷ୍ଟ୍ରମନ୍ତ୍ରୀ
ହାଇଦ୍ରାବାଦ: ଉତ୍ତର ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗା ପଛରେ ବଡ଼ ଷଡ଼ଯନ୍ତ୍ର ରହିଥିବା ସନ୍ଦେହ କରାଯାଉଥିବାରୁ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ହେବ ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶନ ରେଡ୍ଡି କହିଛନ୍ତି। ଦିଲ୍ଲୀ ଦଙ୍ଗା ପାଇଁ ରାଜନୈତିକ ଦଳ ଏବଂ ସୋସିଆଲ ମିଡିଆକୁ ରେଡ୍ଡି ଦାୟୀ କରିଛନ୍ତି। ସଂଶୋଧିତ ନାଗରିକତା ଆଇନ ପାଇଁ ଜଣେ ବି ଭାରତୀୟଙ୍କ ନାଗରିକତା ଯିବା ନାହିଁ ସରକାର ବାରମ୍ବାର ସ୍ପଷ୍ଟ କରୁଥିଲେ ମଧ୍ୟ ବିରୋଧୀ ଦଳମାନେ ଏହାକୁ ନେଇ ସଂଖ୍ୟାଲଘୁଙ୍କ ମଧ୍ୟରେ ଲଗାତାର ବିଭ୍ରାନ୍ତି ସୃଷ୍ଟି କରିଚାଲିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର