ଦିଲ୍ଲୀରେ ସିଏଏ ନିଆଁ : ୭ ମୃତ, ୧୦୦ରୁ ଅଧିକ ଆହତ, ଉତ୍ତରପୂର୍ବ ଜିଲ୍ଲାରେ ୧୪୪ ଧାରା ଜାରି

୫ଟି ମେଟ୍ରୋ ଷ୍ଟେସନ ବନ୍ଦ, ସମସ୍ତ ସ୍କୁଲ, କଲେଜ ବନ୍ଦ

ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀର ମୌଜପୁରରେ ଗତକାଲି ସିଏଏ ବିରୋଧୀ ଓ ସପକ୍ଷବାଦୀ ଆନ୍ଦୋଳନକାରୀ ମୁହାଁମୁହିଁ ହେବା ପରେ ସଂଘଠିତ ଭୟଙ୍କର ସଂଘର୍ଷରେ ୭ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି। ଏଥିରେ ଗତକାଲି ଦିଲ୍ଲୀ ପୁଲିସର ହେଡ୍ କନେଷ୍ଟବଳ ରତନ ଲାଲଙ୍କର ମୃତ୍ୟୁ ହୋଇଥିଲା।
ଆଜି ସକାଳେ ମୌଜପୁର ଏବଂ ବ୍ରହ୍ମାପୁରୀ ଅଞ୍ଚଳରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ପଥର ମାଡ଼ ଚାଲିଥିଲା। ଠିକ୍ ସେହିପରି ଉତ୍ତରପୂର୍ବ ଦିଲ୍ଲୀର ମୌଜାପୁର, ଗୋକୁଳପୁରୀ ଅଞ୍ଚଳରେ ପୁଣି ୫ଟି ବାଇକରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ । ଏପରିକି ନିଆଁ ଲିଭାଉଥିବା ଅଗ୍ନିଶମବାହିନୀ କର୍ମଚାରୀଙ୍କୁ ବି ଆକ୍ରମଣ ହୋଇଥିବା ଜଣାଯାଇଛି । ପରିସ୍ଥିତିକୁ ନଜରରେ ରଖି ୫ଟି ମେଟ୍ରୋ ଷ୍ଟେସନ ବନ୍ଦ କରିଛି ପ୍ରଶାସନ । ଏହାଛଡ଼ା ଦିଲ୍ଲୀର ଉତ୍ତରପୂର୍ବ ଜିଲ୍ଲାରେ ମାସକ ଲାଗି ୧୪୪ ଧାରା ଜାରି କରାଯାଇଛି ଏବଂ ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରିଦିଆଯାଇଛି।

image source-sakshi post

ସୂଚନାଯୋଗ୍ୟ, ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳ‌ରେ ଗତକାଲି ସିଏଏ ବିରୋଧୀ ଆନ୍ଦୋଳନକାରୀ ଏବଂ ସିଏଏ ସମର୍ଥକଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଥିଲା। ଉଭୟ ପକ୍ଷ ପରସ୍ପରକୁ ପଥର ମାଡ଼ କରିଥିଲେ। ତେବେ ଜଫରବାଦ୍‌ ଏବଂ ମୌଜପୁର ନିକଟରେ ସ୍ଥିତି ଅତି ଭୟଙ୍କର ହୋଇଥିଲା। ମୌଜପୁର ଅଞ୍ଚଳରେ ମୁତୟନ ହୋଇଥିବା ମୁଖ୍ୟ କନେଷ୍ଟବଳ ରତନ ଲାଲ୍‌ (୪୨) ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ ଗୁରୁତର ଆହତ ହୋଇଥିଲେ। ରତନ ଲାଲ୍‌ ଆନ୍ଦୋଳନକାରୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ମୁଣ୍ଡରେ ପଥର ମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେହିପରି ଅନ୍ୟ ଜଣେ ବ୍ୟକ୍ତିଙ୍କର ଶରୀରରେ ଗୁଳି ବାଜିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କୁ ମହମ୍ମଦ ଫରକାନ୍‌ ବୋଲି ଚିହ୍ନଟ କରାଯାଇଛି। ଏହାସହିତ ଆଉ ୫ଜଣ ମଧ୍ୟ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର