ଉତ୍ତର-ପୂର୍ବ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି, ଆଜି ପରିସ୍ଥିତି ଶାନ୍ତ ଥିବା ସୂଚନା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ଚାଲିଥିବା ହିଂସା ଯୋଗୁ ଉତ୍ତର-ପୂର୍ବ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ ତେଗବାହାଦୁର ହସ୍ପିଟାଲରେ ଜଣଙ୍କର ଓ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ପୁଲିସ କର୍ମଚାରୀ ଥିବା ଜଣାଯାଇଛି। ତେବେ ଆଜି ପରିସ୍ଥିତି ଶାନ୍ତ ଥିବାର ସୂଚନା ମିଳିଛି।
ଗତକାଲି ରାତି ସୁଦ୍ଧା ଏହି ହିଂସାରେ ୨୭ ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ ୨୫୦ରୁ ଅଧିକ ଲୋକ ଆହତ ହୋଇଥିବାର ଖବର ମିଳିଥିଲା।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ଲୋକଙ୍କୁ ଶାନ୍ତିର ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସବୁ ପରିସ୍ଥିତିରେ ଶାନ୍ତି ଏବଂ ଭାଇଚାରା ବଜାୟ ରଖିବାକୁ ହେବ। ଦିଲ୍ଲୀରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ଅହରହ ପ୍ରୟାସ ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

image source-times of india

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ ସୁରକ୍ଷା ପରମର୍ଶଦାତା (ଏନ୍‌ଏନ୍‌ଏ) ଅଜିତ ଡୋଭଲ ହିଂସାଗ୍ରସ୍ତ ଅଂଚଳରେ ଗତରାତିରୁ ଡେରା ପକାଇ ଉଭୟ ପକ୍ଷର ଲୋକଙ୍କ ସହିତ ଶାନ୍ତି ଓ ସଦ୍‌ଭାବ ବଜାୟ ରଖିବାକୁ ଆଲୋଚନା କରିଛନ୍ତି। ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀଙ୍କ ସହିତ ଡୋଭାଲ ଦୁଇଟି ପର୍ଯ୍ୟାୟରେ ବୈଠକ କରି ପରିସ୍ଥିତି ନିୟନ୍ତ୍ରଣ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି।

Dailyhunt

ହିଂସା ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଡୋଭାଲ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି। ପରିସ୍ଥିତିର ମୁକାବିଲାରେ ବିଫଳ ହୋଇଥିବା ଦିଲ୍ଲୀ ‌ପୁଲିସ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଲୋକମାନେ ପୁଲିସର ଦକ୍ଷତା ଓ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଲେଣି।
ହିଂସାଗ୍ରସ୍ତ ଅଂଚଳରେ ପୁଲିସ କର୍ମୀ ମୁତୟନ ଥିବା ବେଳେ ରାପିଡ୍‌ ଆକ୍ସନ ଫୋର୍ସ ମୁତୟନ ମଧ୍ୟ ବଢ଼ାଇ ଦିଆଯାଇଛି। ଦିଲ୍ଲୀର ମୌଜପୁର, ଭଜନପୁରା ଏବଂ ଜାପରାବାଦରେ ଆଜି ବି ହିଂସା ଜାରି ରହିଥିବାରୁ ସୁରକ୍ଷା ବାହିନୀ ସେଠାରେ ଫ୍ଲାଗ୍‌ମାର୍ଚ କରିଛନ୍ତି।

ସମ୍ବନ୍ଧିତ ଖବର