ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟରେ ପ୍ରସ୍ତୁତ ହେବ ଇଟାକୃତିର ଜଳେଣି: ଆର୍‌ବିଆଇ

ଏବେବି ୧୬,୦୫୦ କୋଟି ଟଙ୍କା ମୂଲ୍ୟର ଅଚଳ ନୋଟ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ମଧ୍ୟକୁ ଫେରି ନାହିଁ

ନୂଆଦିଲ୍ଲୀ: ବିମୁଦ୍ରାୟନ ପରେ ଅଚଳ ହୋଇ ପଡ଼ିଥିବା ପୁରୁଣା ୫୦୦ ଟଙ୍କିଆ ଓ ୧୦୦୦ଟଙ୍କିଆ ନୋଟ ସବୁକୁ ମେସିନ୍‌ ସାହାଯ୍ୟରେ ଟୁକୁରା ଟୁକୁରା କରି କାଟି ଦିଆଯିବା ପରେ ସେଥିରେ ଇଟାକୃତିର ଜଳେଣି ପ୍ରସ୍ତୁତ କରାଯିବ ବୋଲି ଭାରତୀୟ ରିର୍ଜଭ ବ୍ୟାଙ୍କ୍‌ (ଆର୍‌ବିଆଇ) ପକ୍ଷରୁ ସୂଚନା ମିଳିଛି। ସୂଚନା ଅଧିକାର ଆଇନ୍‌ (ଆରଟିଆଇ) ବଳରେ ମଗା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଆର୍‌ବିଆଇ ପକ୍ଷରୁ କୁହାଯାଇଛି ଯେ ସର୍ବପ୍ରଥମେ ଅଚଳ ହୋଇ ପଡ଼ିଥିବା ପୁରୁଣା ୫୦୦ ଟଙ୍କିଆ ଓ ୧୦୦୦ଟଙ୍କିଆ ନୋଟ ସବୁକୁ ମେସିନ୍‌ ସାହାଯ୍ୟରେ ଟୁକୁରା ଟୁକୁରା କରି କାଟି ଦିଆଯିବା ପରେ ସେଥିରେ କୋଇଲା ଗୁଣ୍ଡ ମିଶାଯାଇ ସେଥିରେ ଇଟା ଆକୃତିର ଜଳେଣି ପ୍ରସ୍ତୁତ କରାଯିବ। ଏବଂ ପରବର୍ତ୍ତୀ ସମୟରେ ଏହି ଇଟାକୃତି ଜାଳେଣିକୁ ନିଲାମ ପ୍ରକ୍ରିୟା ଜରିଆରେ ବିକ୍ରୟ କରି ଦିଆଯିବ।

ଆର୍‌ଟିଆଇ ବଳରେ ସମ୍ବାଦ ସରବରାହ ସଂସ୍ଥା ପିଟିଆଇର ଜନୈକ ସମ୍ବାଦିକଙ୍କ ପକ୍ଷରୁ ମଗା ଯାଇଥିବା ଏକ ଉତ୍ତର ଦେବାକୁ ଯାଇ ଆରବିଆଇ ଏହି ତଥ୍ୟ ପ୍ରକାଶ କରିଛି। ଆର୍‌ବିଆଇ ସୂଚନା ପ୍ରଦାନ କରି କହିଛି ଯେ ବିମୁଦ୍ରାୟନ ଘୋଷିତ ହେବାପରେ ୨୦୧୭ ଜୁନ୍‌ ୩୦ ତାରିଖ ସୁଦ୍ଧା ୧୫.୨୮ ଲକ୍ଷ କୋଟି ଟଙ୍କା ମୂଲ୍ୟର ଅଚଳ ହୋଇ ପଡ଼ିଥିବା ପୁରୁଣା ୫୦୦ ଟଙ୍କିଆ ଓ ୧୦୦୦ଟଙ୍କିଆ ନୋଟ ଆର୍‌ବିଆଇ ନିକଟରେ ଗଚ୍ଛିତ ଥିଲା।

ଅନ୍ୟପକ୍ଷରେ ଅଚଳ ହୋଇ ପଡ଼ିଥିବା ପୁରୁଣା ୫୦୦ ଟଙ୍କିଆ ଓ ୧୦୦୦ଟଙ୍କିଆ ନୋଟ ସଂପର୍କରେ ସୂଚନା ପ୍ରଦାନ କରିବାକୁ ଯାଇ ଆର୍‌ବିଆଇ ପକ୍ଷରୁ କୁହାଯାଇଛି ଯେ ୨୦୧୬ ନଭେମ୍ବର ୮ ତାରିଖ ରାତିରେ ଯେତେବେଳେ ବିମୁଦ୍ରାୟନ ଘୋଷଣା କରାଗଲା ସେତେବେଳେ ୧,୭୧୬.୫ କୋଟି ଖଣ୍ଡ ୫୦୦ ଟଙ୍କଆ ୬୮୫.୮ କୋଟି ଖଣ୍ଡ ୧୦୦୦ ଟଙ୍କିଆ ନୋଟ ଦେଶ ମଧ୍ୟରେ ପ୍ରଚଳିତ ଥିଲା। ଯାହାର ମୋଟ ମୂଲ୍ୟ ଥିଲା ୧୫.୪୪ ଲକ୍ଷ କୋଟି ଟଙ୍କା। ବିମୁଦ୍ରାୟନ ପରେ ଅଚଳ ଘୋଷିତ ନୋଟ ମଧ୍ୟରୁ ୯୯ ପ୍ରତିଶତ ଅର୍ଥାତ ୧୫.୨୮ ଲକ୍ଷ କୋଟି ଟଙ୍କା ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ମଧ୍ୟକୁ ଫେରି ଆସିଥିବା ବେଳେ ଏବେବି ୧୬,୦୫୦ କୋଟି ଟଙ୍କା ମୂଲ୍ୟର ଅଚଳ ନୋଟ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ମଧ୍ୟକୁ ଫେରି ପାରି ନାହିଁ ବୋଲି କହିଛି ଆର୍‌ବିଆଇ।

ପୁରୁଣା ନୋଟକୁ ପୁନଃ କାର୍ଯ୍ୟକ୍ଷମ କରାଇବା ପାଇଁ କୌଣସି ବ୍ୟବସ୍ଥା ଆରବିଆଇ ନିକଟରେ ମହଜୁଦ୍‌ ନାହିଁ। ସେଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ରହିଥିବା ଆରବିଆଇର ୫୯ଟି ଶାଖାରେ ରହିଥିବା ସଂପୂର୍ଣ୍ଣ ଅତ୍ୟାଧୁନିକ ଯାଞ୍ଚ ମେସିନ୍‌ ସାହାଯ୍ୟରେ ଯାଞ୍ଚ କରାଯାଉଛି। ଏହାପରେ ଏହିସବୁ ଅଚଳ ନୋଟକୁ କଟିଂ ମେସିନ୍‌ ସାହାଯ୍ୟରେ ଟୁକୁଡ଼ା ଟୁକୁଡ଼ା କରି କାଟି ଦିଆଯିବ ପରେ ଏହି ଅଚଳ ନୋଟର ଏହି ଟୁକୁଡ଼ା ଖଣ୍ଡରେ କୋଇଲା ଗୁଣ୍ଡ ମିଶାଯାଇ ଏଥିରୁ ଇଟାକୃତିର ଜାଳେଣି ପ୍ରସ୍ତୁତ କରାଯିବ। ଏବଂ ଏହି ଇଟାକୃତି ଜାଳେଣିକୁ ନିଲାମ ପ୍ରକ୍ରିୟା ଜରିଆରେ ବିକ୍ରୟ କରି ଦିଆଯିବ ବୋଲି ସୂଚନା ଦେଇଛି ଆରବିଆଇ।

ସମ୍ବନ୍ଧିତ ଖବର