କୁଲି ସମ୍ପ୍ରଦାୟର ଅନୁସୂଚିତ ଜନଜାତି ମାନ୍ୟତା କାଏମ୍‌ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସାଧାରଣତଃ କୌଣସି ଇଂରାଜୀ ଶବ୍ଦ ଶେଷରେ ‘ଏସ୍‌’ ଲାଗିଲେ ତାହା ବହୁବଚନ ହୋଇଥାଏ। ଏମିତି ଏକ ‘ଏସ୍‌’ କୁଲି ସମ୍ପ୍ରଦାୟରେ ଲାଗିବାରୁ ତାହା ‘କୁଲିସ୍‌’ ରୂପେ ବିବେଚନା ହେଲା ଏବଂ ଏହା କ୍ରମେ ମକଦ୍ଦମାର ରୂପ ନେଇ ସୁପ୍ରିମକୋର୍ଟରେ ପହଞ୍ଚିଲା। ଶେଷରେ ସୁପ୍ରିମକୋର୍ଟ ଚୂଡ଼ାନ୍ତ ରାୟ ଦେଇ କୁଲି ସମ୍ପ୍ରଦାୟର ଅନୁସୂଚିତ ଜନଜାତି ମାନ୍ୟତା କାଏମ ରଖିଛନ୍ତି। ସୁପ୍ରିମ୍ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ କୁଲିସ୍‌ ହେଉଛି କୁଲି ଶବ୍ଦର ବହୁ ବଚନ। ଓଡ଼ିଶାର କୁଲି ସମ୍ପ୍ରଦାୟକୁ ବଡ଼ ଆଶ୍ବସ୍ତି ଦେଇ ସୁପ୍ରିମକୋର୍ଟ ରାୟ‌େର କହିଛନ୍ତି ଯେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଆଦେଶ (ସଂଶୋଧନ) ଆଇନ ୧୯୭୯ରେ ଅନୁଚ୍ଛେଦ ୨ର ପାରା ଦ୍ବାଦଶରେ ଉଲ୍ଲେଖ ଥିବା ‘କୁଲିସ୍‌’ ‘କୁଲି’ ସମ୍ପ୍ରଦାୟର ଲୋକ। ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖି ସୁପ୍ରିମକୋର୍ଟ କହିଛନ୍ତି ପ୍ରଥମେ ରାଷ୍ଟ୍ରପତି ଓ ପରେ ସଂସଦ ଦ୍ବାରା ‘କୁଲିସ୍‌’ ଶବ୍ଦକୁ ବ୍ୟବହାର କରାଯିବା ସମୟରେ ଏହାକୁ ବହୁବଚନ ଦୃଷ୍ଟିରୁ ବ୍ୟାଖ୍ୟା କରାଯାଇଥିଲା। ଏହାର ଅନ୍ୟ ଏକ ବ୍ୟାଖ୍ୟାର ଅର୍ଥ ହେଉଛି କୁଲି ସମ୍ପ୍ରଦାୟକୁ ମିଳୁଥିବା ସୁବିଧା ଅନ୍ୟମାନେ ନେଇ ପାରିବେ ନାହିଁ। ରାଷ୍ଟ୍ରପତିଙ୍କ ଆଦେଶରେ କୁଲି ଶବ୍ଦର ବ୍ୟବହାର କରାଯାଉଥିଲା। ଅନ୍ୟପ‌େକ୍ଷ ରାଜ୍ୟ ସରକାରଙ୍କ ତର୍କ ଥିଲା କୁଲି ସମ୍ପ୍ରଦାୟର ଲୋକଙ୍କୁ ଅନୁସୂଚିତ ଜନଜାତି ଘୋଷିତ କରାଯାଇଥିବାରୁ କୌଣସି ପ୍ରକାର ସୁବିଧା ପାଇ ପାରିବେ ନାହିଁ। ଓଡ଼ିଶା ହାଇକୋର୍ଟ ପୂର୍ବରୁ ତାଙ୍କ ରାୟରେ ‘କୁଲିସ୍‌’କୁ କୁଲି ସମ୍ପ୍ରଦାୟ ତାଲିକାରେ ସାମିଲ୍‌ କରାଯାଇ ପାରିବ ବୋଲି କହିଥିଲେ। ଏହାକୁ ଚ୍ୟାଲେଂଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ‘କୁଲିସ୍‌’କୁ କୁଲି ରୂପେ ବିବେଚନା କରାଯିବା ରାୟରେ ଭ୍ରମ ଥିବା ସୁପ୍ରିମକୋର୍ଟଙ୍କ ନିକଟରେ ଯୁକ୍ତି ବାଢ଼ିଥିଲେ। ସୁପ୍ରିମକୋର୍ଟର ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତା ରାଜ୍ୟ ସରକାରଙ୍କ ଦ୍ବାରା ଦାଖଲ କରାଯାଇଥିବା ସ୍ବତନ୍ତ୍ର ଲିଭ୍‌ ପିଟିସନ୍‌ର ଫଏସଲା କରି ରାୟରେ କହିଛନ୍ତି ଯେ ‘କୁଲିସ’ ‘କୁଲି’ ସମ୍ପ୍ରଦାୟର ବହୁ ବଚନ ଏବଂ କୁଲିସ୍‌ ଅଲଗା ସମ୍ପ୍ରଦାୟ ନୁହେଁ। ଅତଏବ୍‌ ‘କୁଲିସ୍‌’ କୁଲି ସମ୍ପ୍ରଦାୟରେ ସାମିଲ୍ ହେଉଛି ବୋଲି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ୨୦ ପୃଷ୍ଠାର ରାୟରେ କହିଛନ୍ତି। ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଭାଶିଷ ମିଶ୍ର ଓ ପ୍ରତିପକ୍ଷଙ୍କ ତରଫରୁ ସୌମ୍ୟଜିତ ପାଣି ଉଭୟ ପକ୍ଷର ଯୁକ୍ତି ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର