ଲଜ୍ଜା: ମୁଜାଫରପୁର ପରେ ଏବେ ଚର୍ଚ୍ଚାରେ ୟୁପି ଦେଓରିଆ ସେଲଟର ହୋମ୍‌; ୨୪ ବାଳିକା ଉଦ୍ଧାର, ୧୫ ନିଖୋଜ

ଗୋରଖପୁର (ଉତ୍ତରପ୍ରଦେଶ): ବିହାର ମୁଜାଫରପୁର ସେଲଟର ହୋମ୍‌ ଦୁଷ୍କର୍ମ ମାମଲାର ତାତି ଦେଶରୁ ଥମି ନଥିବା ବେଳେ ଆଉ ଏକ ସେଲଟର ହୋମ୍‌ରେ ଚାଲିଥିବା କେଳେଙ୍କାରୀ ଏବେ ପଦାକୁ ଆସିଛି। ଆଉ ଏଇ ସେଲଟର ହୋମ୍‌ଟି ହେଉଛି ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲା ଅନ୍ତର୍ଗତ ଦେଓରିଆର। ଏଇ ସେଲଟର ହୋମ୍‌ରୁ ୨୪ ଜଣ ବାଳିକାଙ୍କୁ ଉଦ୍ଧାର କରା ଯାଇଥିବା ବେଳେ ନିଖୋଜ ଥିବା ୧୫ ବାଳିକାଙ୍କୁ ଖୋଜି ବାହାର କରିବା ପାଇଁ ଉତ୍ତରପ୍ରଦେଶ ରାଜ୍ୟ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଥିବା ଜାଣିବାକୁ ମିଳିଛି।

ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇ ସୂତ୍ରରୁ ହସ୍ତଗତ ହୋଇଥିବା ଖବରରୁ ପ୍ରକାଶ, ଗୋରଖପୁର ଦେଓରିଆ ସ୍ଥିତ ସେଲଟର ହୋମ୍‌ରେ ଚାଲିଥିବା କେଳେଙ୍କାରୀ ସଂପର୍କରେ ଜଣାପଡ଼ିବା ପରେ ଉତ୍ତରପ୍ରଦେଶ ପୁଲିସ୍‌ କାଳବିଳମ୍ବ ନକରି ଏହି ସେଲଟର ହୋମ୍‌ରୁ ୨୪ ଜଣ ବାଳିକାଙ୍କୁ ଉଦ୍ଧାର କରିବା ସହ ଏହାର ପରିଚାଳକ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି। ଏଥିସହ ଏହି ସେଲଟର ହୋମରୁ ରହସ୍ୟମୟ ଭାବେ ନିଖୋଜ ହୋଇ ଯାଇଥିବା ୧୫ ଜଣ ବାଳିକାଙ୍କୁ ମଧ୍ୟ ଖୋଜି ବାହାର କରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରି ଦେଇଛି। ଏହି ଘଟଣାରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ଉତ୍ତରପ୍ରଦେଶର ଯୋଗୀ ସରକାର ଦେଓରିଆ ଜିଲ୍ଲାପାଳଙ୍କୁ ଅନ୍ୟତ୍ର ବଦଳି କରି ଦେଇଛନ୍ତି। କାରଣ, ସିବିଆଇ କର୍ତ୍ତୃପକ୍ଷ ଏହି ସେଲଟର ହୋମ୍‌ ପରିଦର୍ଶନ କରିବା ପରେ ଏହାର ଲାଇସେନ୍ସକୁ ବାତିଲ କରିଦେବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ୍‌ କରିଥିଲେ।


ଗଣମାଧ୍ୟମକୁ ସୂଚନା ଦେଇ ଦେଓରିଆ ଏସ୍‌ପି ରୋହନ୍‌ ପି କାନ୍ୟା କହିଛନ୍ତି ଯେ ଏହି ସେଲଟର ହୋମ୍‌ରେ ରହୁଥିବା ଜନୈକା ବାଳିକା ସେଲଟର ହୋମ୍‌ରୁ ଖସି ଆସି ସେଲଟର ହୋମ୍‌ରେ ଚାଲିଥିବା କେଳେଙ୍କାରୀ ସଂପର୍କରେ ପୁଲିସ୍‌କୁ ସୂଚନା ଦେବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା। ବାଳିକା ଜଣକ ପୁଲିସ୍‌କୁ ସୂଚନା ଦେଇ କହିଥିଲା ଯେ ଏହି ସେଲଟର ହୋମ୍‌ରେ ଅନ୍ତେବାସିନୀ ମାନଙ୍କୁ ଅକଥନୀୟ ନିର୍ଯାନତା ଦିଆଯାଉଥିଲା। ସେଲଟର ହୋମ୍‌ରେ ଅନ୍ତେବାସିନୀ ଥିବା ୧୫ ବର୍ଷରୁ ଉର୍ଦ୍ଧ୍ୱ ବାଳିକାମାନଙ୍କୁ ନେବା ପାଇଁ ପ୍ରତି ରାତିରେ ନୂଆ ନୂଆ ଗାଡ଼ି ସେଲଟର ହୋମ୍‌କୁ ଆସୁଥିଲା। ଆଉ ସେଇ ଗାଡ଼ିରେ ସେଲଟର ହୋମ୍‌ର ବାଳିକା ମାନଙ୍କୁ ଅଜଣା ସ୍ଥାନକୁ ପଠାଇ ଦିଆ ଯାଉଥିଲା ଏବଂ ପରଦିନ ସକାଳେ ସେମାନେ ସେଲଟର ହୋମ୍‌କୁ ଫେରୁଥିଲେ। ଏହି ସୂଚନା ପାଇବା ପରେ ପୁଲିସ୍‌ ସେଲଟର ହୋମ୍‌ ଉପରେ ଚଢ଼ାଉ କରି ସେଠାରୁ ୨୪ ଜଣ ବାଳିକାଙ୍କୁ ଉଦ୍ଧାର କରିଥିବା ବେଳେ ୧୫ ଜଣ ବାଳିକା ନିଖୋଜ ଥିବା ଜାଣିବାକୁ ପାଇଛି। ତେବେ ବର୍ତ୍ତମାନ ପୁଲିସ୍‌ ଘଟଣା ସଂପର୍କରେ ତଦନ୍ତ ଜାରି ରଖିଥିବାରୁ ଘଟଣା ସଂପର୍କରେ ଗଣମାଧ୍ୟମକୁ ଆଉ କିଛି ଅଧିକ ତଥ୍ୟ ଦେବାକୁ ମନା କରି ଦେଇଛନ୍ତି ଏସ୍‌ପି କାନ୍ୟା।

ସମ୍ବନ୍ଧିତ ଖବର