ଅବପାତରେ ପରିଣତ ହେଲା ଭାରତ ମହାସାଗରରେ ସୃଷ୍ଟ ଲଘୁଚାପ; ୨୪ ଘଣ୍ଟା ମଧ୍ୟରେ ହୋଇପାରେ ଭୀଷଣ ସାମୁଦ୍ରିକ ଝଡ଼
ନୂଆଦିଲ୍ଲୀ: ଭାରତ ମହାସାଗରର ପୂର୍ବ ବିଷୁବରୈଖୀୟ ଓ ଦକ୍ଷିଣପୂର୍ବ ବଙ୍ଗୋପ ସାଗର ଉପରେ ସୃଷ୍ଟ ଲଘୁଚାପ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୨୦ କି. ମି. ବେଗରେ ଆହୁରି ଉତ୍ତରପଶ୍ଚିମ ଦିଗକୁ ଗତି କରିବା ପରେ ଅବପାତରେ ପରିଣତ ହୋଇଛି। ଏପ୍ରିଲ୍ ୨୭ ତାରିଖ ଭୋର୍ ୫: ୩୦ ସୁଦ୍ଧା ଏହା ଶ୍ରୀଲଙ୍କାର ତିଙ୍କୋମାଲୀରୁ ପ୍ରାୟ ୮୭୦ କିଲୋମିଟର୍ ଦୂର ପୂର୍ବ-ଦକ୍ଷିଣପୂର୍ବ ଏବଂ ଆନ୍ଧ୍ରପ୍ରଦେଶର ମଛଲିପଟନମ୍ର ଦକ୍ଷଇଣ-ଦକ୍ଷିଣପୂର୍ବକୁ ପ୍ରାୟ ୧୫୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଉଗ୍ର ସାମୁଦ୍ରିକ ଝଡ଼ ପାଲଟି ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଭୀଷଣ ସାମୁଦ୍ରିକ ଝଡ଼ ପାଲଟିବାର ଆଶଙ୍କା କରାଯାଉଛି।
ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଏହା ଶ୍ରୀଲଙ୍କା ଉପକୂଳର ଉତ୍ତରପଶ୍ଚିମ ଦିଗଆଡ଼କୁ ମୁହାଁଇ ଏପ୍ରିଲ୍ ୩୦ ତାରିଖ ସନ୍ଧ୍ୟା ବେଳକୁ ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବାର ଯଥେଷ୍ଟ ସମ୍ଭାବନା ରହିଛି।
ଏହାର ପ୍ରଭାବରେ ଏପ୍ରିଲ୍ ୨୯ ଓ ୩୦ ତାରିଖ ଦିନ କେରଳର କେତେକ ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଉତ୍ତର ଉପକୂଳ ତାମିଲନାଡୁ ଏବଂ ଉପକୂଳ ଆନ୍ଧ୍ରପ୍ରଦେଶରେ ମଧ୍ୟ ଏପ୍ରିଲ୍ ୩୦ ତାରିଖ ଓ ମେ ୧ ତାରିଖ ଦିନ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ଅବପାତ ଯୋଗୁଁ ତାମିଲନାଡୁ ଓ ପୁଦ୍ଦୁଚେରୀ ଉପକୂଳରେ ଏପ୍ରିଲ୍ ୩୦ ତାରିଖ ସକାଳେ ଘଣ୍ଟାପ୍ରତି ୧୬୦ କିଲୋମିଟର ଝାଙ୍କ ସହ ଘଣ୍ଟାପ୍ରତି ୧୩୫ ରୁ ୧୪୦ କିଲୋମିଟର ବେଗରେ ବତାସ ପ୍ରବାହ ହେବ। ମେ ୧ ତାରିଖ ଦିନ ଉତ୍ତର ତାମିଲନାଡୁ, ପୁଦ୍ଦୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳ ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଉପରୋକ୍ତ ବେଗରେ ବତାସ ପ୍ରବାହ କରିବ।
ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବ। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ କୁହାଯାଇଛି।