ସେନେଟାଇଜେସନ ରିପୋର୍ଟ: ଡେରାରୁ ମିଳିଲା ଗର୍ଭପାତର ଫାଇଲ, ଓବି ଭ୍ୟାନ୍‌ ଓ ସ୍ପାଇ କ୍ୟାମେରା

ସିରସା: ଦୁଇଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ସିଂହଙ୍କୁ ପଞ୍ଚକୁଲା ସିବିଆଇ ସ୍ୱତନ୍ତ୍ର କୋର୍ଟ ୨୦ବର୍ଷ ଜେଲଦଣ୍ଡର ଶୁଣାଣି କରିବା ସହିତ ୩ଲକ୍ଷ ଟଙ୍କା ଜରିମାନା କରିଥିଲେ। ତେବେ ରାମ ରହିମଙ୍କୁ ଜେଲ ହେବା ପରେ ତାଙ୍କ ସହିତ ଜଡ଼ିତ ଥିବା ବିଭିନ୍ନ ରହସ୍ୟମୟ ଘଟଣାମାନ ସାମ୍ନାକୁ ଆସିଛି। ସୋମବାର ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କ ବିରୋଧରେ ଆଉ ଖବର ମିଳିଛି।

ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ କୋର୍ଟ କମିସନର ଏକେ ଏସ୍‌ ପାଓ୍ଵାର ନଭେମ୍ବର ୧୫ ତାରିଖରେ ପଞ୍ଜାବ-ହରିୟାଣା ହାଇକୋର୍ଟ ଡେରାର ସେନେଟାଇଜେସନ୍‌ ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟରୁ ଡେରାରୁ ବେଆଇନ ଓବି ଭ୍ୟାନ୍‌ ଓ ସ୍ପାଇ କ୍ୟାମେରା ମିଳିଥିବା ଜଣାପଡ଼ିଛି।। ଏହିଥିରୁ ସନ୍ଦେହ ହେଉଛି ରାମରହିମ ଗୁପ୍ତଚର କାର୍ଯ୍ୟାକଳାପରେ ସମ୍ପୃକ୍ତ ଥାଇ ପାରନ୍ତିି ! ଡେରାରେ ଗୋଟିଏ ନୁହେଁ ଅନେକ ସ୍ପାଇ କ୍ୟାମେରା ମିଳିଛି। ଏତଦ୍‌ ବ୍ୟତୀତ ପୁଲିସ ୯୨ଟି ପେନ୍‌ଡ୍ରାଇବ୍‌ ଓ ୬୫ଟି ହାର୍ଟ ଡିସ୍କ ମଧ୍ୟ ଜବତ କରିଛି।

କୁହାଯାଉଛି ଯେ,ଜବତ ହୋଇଥିବା ହାର୍ଡ ଡିସ୍କରେ ଗୁପ୍ତଚର ତଥା ଷ୍ଟିଙ୍ଗ ଅପରେସନ୍‌ର ଭିଡିଓ ବି ଥାଇପାରେ! ଏମିତିରେ ପ୍ରଶ୍ନ ଉଠୁଛି ରାମ ରହିମ କ’ଣ ଗୁପ୍ତଚରଙ୍କ ସହିତ ସାମିଲ ଥିଲେ କି ? କ’ଣ ଦେଶର ସୁରକ୍ଷାକୁ ବିପଦରେ ପକାଇବା ପାଇଁ ଯୋଜନା କରୁଥିଲେ କି ରାମ ରହିମ ?

ଏଯାବତ୍‌ ମିଳିଥିବା ସୂଚନାମୁତାବିକ୍‌, ଡେରାରେ କୌଣସି ଟେଲିଭିଜନ୍‌ ଚାନେଲ ନାହିଁ, ତେବେ ପୁଣି ଏଠାରେ ଓବି ଭ୍ୟାନ୍‌କୁ କେଉଁ କାରଣ ପାଇଁ ରଖାଯାଇଥିଲା? ନିଜକୁ ଭଗବାନଙ୍କ ଦୂତ ବୋଲି କହୁଥିବା ରାମ ରହିମ ପୁଣି ସ୍ପାଇ କ୍ୟାମେରା, ପେନ୍‌ଡ୍ରାଇବ୍‌ ଓ ପିନ୍‌ ପ୍ୟାକେଟ କ୍ୟାମେରା ସାହାଯ୍ୟରେ କ’ଣ କରୁଥିଲେ। କେଉଁମାନଙ୍କ ସମ୍ପର୍କରେ ସେ ଜାଣିବା ପାଇଁ ଏସବୁ ସାମଗ୍ରୀକୁ ବ୍ୟବହାର କରୁଥିଲେ?

ଉଲ୍ଲେଖଯୋଗ୍ୟ, ନଭେମ୍ବର ୭ରୁ ୯ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଡେରାରେ ଚାଲିଥିଲା ସେନେଟାଇଜେସନ୍‌ ଡ୍ରାଇଭ୍‌। ଏହି ସର୍ଚ୍ଚ ଅପରେସନ୍‌ରେ କୋର୍ଟ କମିସନର ଓ ଅନେକ ପୁଲିସ ଅଫିସର ବି ସାମିଲ ଥିଲେ। ଏହି ଅପ୍‌ରେସନ୍‌ରେ ୫ଟି ସ୍ପାଇ କ୍ୟାମେରା, ଗୋଟିଏ ଓବି ଭ୍ୟାନ୍‌, ୧୬୬ଟି ସିଡି, ୨୫୬ଟି ବାଉଁଶ ବାଡି, ୧୭ଟି ଲ୍ୟାପ୍‌ଟପ୍‌ ଓ ୯ଟି କମ୍ପ୍ୟୁଟର ଜବତ କରାଯାଇଛି। ଏଥିସହିତ ଅନେକ ବେଆଇନ୍‌ ସାମଗ୍ରୀ ସହିତ ୨୯ଟି ମୋବାଇଲ ଫୋନ୍‌ ଓ ଗୋଟିଏ ଭଙ୍ଗା ଫୋନ୍‌ ବି ମିଳିଥିଲା।

ପୁଲିସକୁ ୭ଟି ଡାଏରୀ ମିଳିଛି। ଯାହା ସମ୍ପର୍କରେ ଏଯାବତ୍‌ କୌଣସି ଖୁଲାସା କରାଯାଇ ନାହିଁ। ଏହି ଛାନ୍‌ଭିନ୍‌ ସମୟରେ ୮୫୦୦ ପୁରୁଣା ଟଙ୍କା ସହିତ ୩୦ହଜାର ନୂତନ ନୋଟ ଜବତ ହୋଇଛି। ଡେରା ହସ୍‌ପିଟାଲରୁ ଗର୍ଭପାତ ମାମଲା ନେଇ ୬ଟି ଫାଇଲ ମିଳିଛି। ଯାହାର ଅନୁସନ୍ଧାନ ହେବା ଏବେ ବାକି ରହିଛି।

ସମ୍ବନ୍ଧିତ ଖବର