ବିକାଶ ଗାଏବ: ପ୍ରଚାରରେ ନୂଆମୋଡ଼

ଅହମଦାବାଦ୍‌: ଗୁଜରାଟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଘମାଘୋଟ ପ୍ରଚାର ଚାଲିଛି। ଡିସେମ୍ବର ୧୪ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଏବେ ଭିନ୍ନ ମୋଡ଼ ନେଇଛି। କେବଳ ବିକାଶ ପ୍ରସଙ୍ଗରେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବା ବିଜେପି ଏବେ ଏଥିରୁ ଦୂରେଇ ଯାଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍‌୍‌ବୋଧନରେ ବିକାଶ ଅପେକ୍ଷା କଂଗ୍ରେସର ପୂର୍ବ ସରକାରମାନଙ୍କ ବିଫଳତା ଏବଂ ତାଙ୍କ ପ୍ରତି କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ ସଂପର୍କରେ ଅଧିକ ଚର୍ଚ୍ଚା ଦେଖିବାକୁ ମିଳିଛି।

ଆଜି ମହିସାଗର ଜିଲ୍ଲାର ଲୁନାଓ୍ଵାଡ଼ାରେ ଏକ ର‍୍ୟାଲିରେ ଉଦ୍‌ବୋଧନ ଦେଇ ମୋଦି କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ମୋଦି କହିଛନ୍ତି କଂଗ୍ରେସ ଭୋଟ୍‌ ହାତେଇବା ଲାଗି ଭୟଙ୍କର ମିଛ କହୁଛି। କେବଳ ମିଥ୍ୟା ଓ ବିଭ୍ରାନ୍ତିକୁ ଅସ୍ତ୍ର କରି ଏହା ଦେଶରେ ବିଭାଜନ ଘଟାଇଛି ଏବଂ ସବୁ କ୍ଷେତ୍ରରେ କଳହର ମଞ୍ଜି ବୁଣୁଛି। କଂଗ୍ରେସ ମୁସଲିମ ଏବଂ ପଟିଦାରମାନଙ୍କୁ ସଂରକ୍ଷଣ ବାବଦରେ ମିଥ୍ୟା ପ୍ରତିଶ୍ରୁତି ଦେଇଛି। ଦେଶର ପ୍ରତ୍ୟେକଟି ଅଂଶରେ କଂଗ୍ରେସ ମୁସଲିିମ ସମ୍ପ୍ରଦାୟକୁ ପଥଭ୍ରଷ୍ଟ କରୁଛି। କଂଗ୍ରେସ ଯୁବନେତା ସଲମାନ ନିଜାମିଙ୍କ ନାମ ନେଇ ମୋଦି କହିଥିଲେ ଯେ କଂଗ୍ରେସର ଏହି ନେତା ମୋ ବାପା ଓ ମା’ କିଏ ବୋଲି ଟ୍ଵିଟ୍‌ରରେ ପ୍ରଶ୍ନ କରିଛନ୍ତି। ମୋଦି କହିଛନ୍ତି ଏଭଳି ପ୍ରଶ୍ନ କୌଣସି ଶତ୍ରୁକୁ ମଧ୍ୟ କେହି କରନ୍ତି ନାହିଁ। ଭାରତ ମାତା ହେଉଛନ୍ତି ମୋର ମାତା ଏବଂ ଭାରତ ଦେଶ ହେଉଛି ମୋର ପିତା ବୋଲି ମୋଦି କହିଛନ୍ତି। ମୋଦିଙ୍କ ଏହି ବୟାନର ଜବାବରେ କଂଗ୍ରେସ କହିଛି ଯେ ସଲମାନ ନିଜାମି ନାମକ କୌଣସି ବ୍ୟକ୍ତି କଂଗ୍ରେସ ଦଳରେ ନାହାନ୍ତି। ତେବେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହ ସଲମାନ ନିଜାମିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଅନ୍ୟପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି କଂଗ୍ରେସ ତା’ର ସବୁ ଶକ୍ତି ଖଟାଇଛି। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ମୋଦିଙ୍କୁ ଏକାଦଶ ପ୍ରଶ୍ନରେ ପଚାରିଛନ୍ତି ତାଙ୍କ ବକ୍ତତାରେ ବିକାଶ ପ୍ରସଙ୍ଗ ନ ରହିବାର କାରଣ କ’ଣ। ବିକାଶ ସ୍ଲୋଗାନରେ ନିର୍ବାଚନୀ ସଫଳତା ପାଇଥିବା ବିଜେପି ଏବେ ବିକାଶ ରାସ୍ତାରୁ ଦୂରେଇ ଭିନ୍ନ ରାଜନୀତିର ଆଶ୍ରୟ ନେଇଛି ବୋଲି ରାହୁଲ ଏକ ଜନସଭାରେ ମଧ୍ୟ କହିଛନ୍ତି। ଗୁଜରାଟରେ ବିକାଶର ପ୍ରକୃତ ଚିତ୍ର କ’ଣ ତାହା ଦେଶବାସୀ ଜାଣି ସାରିଥିବାରୁ ମୋଦି ଏବେ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେବାକୁ ଚାହୁନାହାନ୍ତି ବୋଲି ରାହୁଲ କହିଛନ୍ତି।

୩୯୭ ପ୍ରାର୍ଥୀ କୋଟିପତି

ନୂଆଦିଲ୍ଲୀ: ଚଳିତ ଗୁଜରାଟ ନିର୍ବାଚନରେ ମୋଟ ୧, ୮୨୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୯୭ ଜଣ କୋଟିପତି ପ୍ରାର୍ଥୀ ଥିବା ଜଣାପଡ଼ିଛି। ୧,୦୯୮ ଜଣ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ଶ୍ରେଣୀ କିମ୍ବା ତା’ଠାରୁ କମ୍‌ ବୋଲି ଗଣତାନ୍ତ୍ରିକ ସଂସ୍କାର ସଂଘ (ଏଡିଆର୍‌) ରିପୋର୍ଟରୁ ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୯୭୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୯୮ ଜଣ କୋଟିପତି ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଥିବା ୮୫୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୯୯ ଜଣ କୋଟିପତି ବୋଲି ଜଣାପଡ଼ିଛି । ଏହି କୋଟିପତିଙ୍କ ମଧ୍ୟରୁ ୧୩୧ ଜଣ ସେମାନଙ୍କ ସମ୍ପତ୍ତି ୫ କୋଟିରୁ ଅଧିକ ଥିବା ଦର୍ଶାଇଛନ୍ତି। ବିଜେପି ୧୪୨ ଜଣ କୋଟିପତିଙ୍କୁ ଟିକଟ ଦେଇଥିବା ବେଳେ କଂଗ୍ରେସ ୧୨୭ କୋଟିପତିଙ୍କୁ ପ୍ରାର୍ଥୀ କରିଛି।

ସମ୍ବନ୍ଧିତ ଖବର