ଶ୍ରୀମନ୍ଦିର ଭିତରେ କି ବାହାରେ ସୁରକ୍ଷିତ ନୁହନ୍ତି ଭକ୍ତ! ରିପୋର୍ଟ

ସାମ୍ବାଦିକ, ପରିଦର୍ଶକ କେହି ବାଦ୍‌ ପଡ଼ୁନାହାନ୍ତି; ପ୍ରଶାସନ, ପରିଚାଳନା କମିଟି ଓ ସରକାରଙ୍କ ପଦକ୍ଷେପ ଶୂନ

ନୂଆଦିଲ୍ଲୀ : ପୁରୀ ଶ୍ରୀମନ୍ଦିର ପରିସରରେ ଭକ୍ତଙ୍କ ସହ ଅସଦାଚରଣ ଓ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ରୁଜୁ ହୋଇଥିବା ମାମଲା ସମ୍ପର୍କରେ ପୁରୀ ଜିଲ୍ଲା ଜଜ୍‌ ସୁପ୍ରିମକୋର୍ଟଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦେଶ ମୁତାବକ, ଆଜି ଏହି ରିପୋର୍ଟ ଓ୍ଵବ୍‌ସାଇଟ୍‌ରେ ଉପଲବ୍ଧ ହୋଇଛି।

ମନ୍ଦିର ଭିତରେ ଓ ବାହାରେ ଭକ୍ତ ଓ ତୀର୍ଥଯାତ୍ରୀ ସୁରକ୍ଷିତ ନଥିବା ଏହି ରିପୋର୍ଟରେ ଜଜ୍‌ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ଅପରାଧିକ ଅଭିଯୋଗ ପରେ ସେବାୟତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଅନୁଯାୟୀ ୫୦ଟି ମାମଲା ରୁଜୁ ହୋଇଛି। ଚଳିତବର୍ଷ ହିଁ କେବଳ ୪୦ଟି ମାମଲା ରୁଜୁ ହୋଇଥିବା ରିପୋର୍ଟରେ ଉଲ୍ଳେଖ କରାଯାଇଛି। ଏହାବାଦ୍‌ ୨୦୧୭ରେ ୯୭ଟି, ୨୦୧୬ରେ ୮୭ଟି, ୨୦୧୫ରେ ୧୪୧ଟି ଓ ୨୦୧୪ରେ ୧୦୪ଟି ମାମଲା ସେବାୟତଙ୍କ ବିରୋଧରେ ରୁଜୁ ହୋଇଥିବା ଜିଲ୍ଲା ଜଜ୍‌ ତାଙ୍କ ରିପୋର୍ଟରେ ଉଲ୍ଳେଖ କରିଛନ୍ତି।

ପଞ୍ଜୀକୃତ ହୋଇଥିବା ମାମଲା ଗୁଡ଼ିକର ସଂଖ୍ୟାରୁ ଏହା ସ୍ପଷ୍ଟ ଯେ, ମନ୍ଦିର ଭିତରେ କି ବାହାରେ ଭକ୍ତ ଓ ତୀର୍ଥଯାତ୍ରୀ ସୁରକ୍ଷିତ ନୁହନ୍ତି ବୋଲି ଜିଲ୍ଲା ଜଜ୍‌ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ପରିଦର୍ଶକ ଓ ସାମ୍ବାଦିକଙ୍କୁ ମଧ୍ୟ ସେବାୟତ ଅସଦାଚରଣ କରିଥିବା ନେଇ ୨୫ଟି ମାମଲା ରୁଜୁ ହୋଇଛି। ଏପରିକି ପୁରୀ ଜିଲ୍ଲାପାଳଙ୍କୁ ମଧ୍ୟ ସେବାୟତ ଅସଦାଚରଣ କରିଛନ୍ତି ବୋଲି ରିପୋର୍ଟରେ ଉଲ୍ଳେଖ ରହିଛି। ଶ୍ରୀମନ୍ଦିର ପରିସର ତଥା ବଡ଼ ଦାଣ୍ଡରେ ମଧ୍ୟରେ ଭକ୍ତଙ୍କୁ ପ୍ରଲୋଭିତ କରି କିଛି ନିଯୋଗ ଶ୍ରୀମନ୍ଦିର ପରିସରରେ ଥିବା ଅଫିସକୁ ନେଇ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦାମ୍‌ରେ ଶୁଖିଲା ଭୋଗ ବିକ୍ରି କରାଉଛନ୍ତି। ଗୁରୁଡ଼ସ୍ତମ୍ଭ ନିକଟରେ ଶ୍ରୀଜୀଉଙ୍କୁ ଭୋଗ ଅର୍ପଣ କରିବା ବାହାନାରେ ଭକ୍ତଙ୍କୁ ପଣ୍ଡା ଓ ସେବକମାନେ ଠକୁଥିବା ରିପୋର୍ଟରେ କୁହାଯାଇଛି। ଅଧିକ ଟଙ୍କାରେ ଭୋଗ ଗ୍ରହଣ କରିବାକୁ ଭକ୍ତ ଅରାଜି ହେଲେ ସେମାନଙ୍କୁ ଅସଦାଚରଣ, ଗାଳିଗୁଲଜ ଓ ମାରପିଟ ମଧ୍ୟ କରାଯାଉଛି।

ଶ୍ରୀମନ୍ଦିର ପ୍ରଶାସନ, ପରିଚାଳନା କମିଟି ତଥା ସରକାର ଭକ୍ତ ଓ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ କୌଣସି ଦୃଢ ପଦକ୍ଷେପ ନେଇନଥିବା କୁହାଯାଇଛି। ବରଂ ସେବାୟତଙ୍କର ତୁଷ୍ଟୀକରଣ କରାଯାଉଥିବା ଏହି ରିପୋର୍ଟରେ ଉଲ୍ଲେଖ ରହିଛି। କେତେ ଆଶା ନେଇ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ ମନରେ କୋହ ଓ ଦୁଃଖ ନେଇ ଫେରୁଥିବା ଜିଲ୍ଲା ଜଜ୍‌ ରିପୋର୍ଟରେ କହିଛନ୍ତି।

ଅର୍ଥ ପରିଚାଳନାରେ ବି ଅବ୍ୟବସ୍ଥା

ରିପୋର୍ଟରେ କୁହାଯାଇଛି, ଶ୍ରୀଜଗନ୍ନାଥ ମନ୍ଦିରରେ ୩ ପ୍ରକାର ପାଣ୍ଠି ବ୍ୟବସ୍ଥା ରହିଛି। ଶ୍ରୀମନ୍ଦିର କର୍ପସ ପାଣ୍ଠିରେ ୩୧ ମାର୍ଚ୍ଚ ୨୦୧୭ରୁ ୩୧ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ୩୨୭ କୋଟି,୮୭ଲକ୍ଷ ୮୮ ହଜାର ୧୯୯.୦୪ ଟଙ୍କା ଜମା ହୋଇଥିବା ବେଳେ ଫାଉଣ୍ଡେସନ ପାଣ୍ଠିରେ ଏହି ଅବଧି ମଧ୍ୟରେ ୭୯ କୋଟି ୭୧ଲକ୍ଷ ୩୩ ହଜାର ୨୧୮.୭୩ ଟଙ୍କା ଜମା ହୋଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ପାଣ୍ଠି ଅନ୍ତର୍ଗତ ୩୧ ମାର୍ଚ୍ଚ ୨୦୧୭ରୁ ୩୧ ମାର୍ଚ୍ଚ ୨୦୧୮ ମଧ୍ୟରେ ୯୮,୩୫,୯୨,୫୮୧.୨୩ ଟଙ୍କା ଜମା ହୋଇଛି। ଶ୍ରୀମନ୍ଦିରର ଅନ୍ୟ ଜମାର ପରିମାଣ ହେଉଛି ୫୩୮ କୋଟି, ୨୯ ଲକ୍ଷ ୩୬ ହଜାର ୪୪୧.୩୭ ଟଙ୍କା।

ଚଳିତବର୍ଷ ମେ’ ୩୧ ତାରିଖର ଡ୍ରାଫ୍ଟ ଅଡିଟରେ ୨୦,୬୫,୨୯୬ ଟଙ୍କା ଜମାକୁ ନେଇ ଆପତ୍ତି ରହିଥିଲା। ଇଣ୍ଟରନାଲ ଅଡିଟରେ ଶ୍ରୀମନ୍ଦିର ଆୟ ଓ ବ୍ୟୟର ସାର୍ବଜନୀନ ହିସାବର କୌଣସି ସ୍ପଷ୍ଟ ଚିତ୍ର ନଥିବା ବେଳେ ଓଡ଼ିଶା ଏଜିଙ୍କ ଦ୍ୱାରା ୨୦୦୯-୧୫ ଯାଏଁ କରାଯାଇଥିବା ଅଡିଟ ରିପୋର୍ଟରେ ସ୍ପଷ୍ଟ ହୋଇଥିବା ଜିଲ୍ଲା ଜଜ୍‌ କହିଛନ୍ତି।

ଅଡିଟ ରିପୋର୍ଟ ମୁତାବକ, ସରକାରୀ ଗ୍ରାଣ୍ଟ ୪୪ କୋଟି ୯୯ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ୭୭ କୋଟି ୬୫ ଲକ୍ଷ ୫୩ ହଜାର ଟଙ୍କାକୁ ମିଶାଇ ମୋଟ ୧୨୨କୋଟି ୬୪ଲକ୍ଷ ୫୩ ହଜାର ଟଙ୍କାରୁ ମୋଟ ୯୩ କୋଟି ୧୮ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। କର୍ପସ ପାଣ୍ଠିର ପରିଚାଳନାରେ ଅନେକ ସ୍ଥାନରେ ଅର୍ଥ କମ୍‌ ହୋଇଥିବା ଜଣାପଡ଼ିଛି। କର୍ପସ ପାଣ୍ଠିର ବିଚାରଶୂନ୍ୟ ଭାବେ ବିନିଯୋଗ ଯୋଗୁଁ ୬୬.୩୦ଲକ୍ଷ ଟଙ୍କାର ସୁଧ କ୍ଷତି ହୋଇଥିବା ଏଜି ତାଙ୍କ ଅଡିଟ ରିପୋର୍ଟରେ ଉଲ୍ଳେଖ କରିଛନ୍ତି। ଶ୍ରୀଜଗନ୍ନାଥ ଫାଉଣ୍ଡେସନ ପାଣ୍ଠିରୁ ସେବକ କଲ୍ୟାଣ ପାଇଁ ୧.୯୮ କୋଟି ଟଙ୍କା ଅଧିକ ବ୍ୟୟ କରାଯାଇଥିବା, କମ୍‌ ସୁଧରେ ଟଙ୍କା ଜମା କରାଯିବା, ହୁଣ୍ଡି ଓ ଫାଉଣ୍ଡେସନ ପାଇଁ ପୃଥକ୍‌ କ୍ୟାସବୁକର ବ୍ୟବହାର କରାନଯିବା ତଥା ନିୟମିତ ଭାବେ ଇନଭେଷ୍ଟମେଣ୍ଟ ରେଜିଷ୍ଟର ବ୍ୟବହାର କରାନଯିବା ଭଳି ବ୍ୟତିକ୍ରମ ଦେଖାଯାଇଥିବା ଜଜ୍‌ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏଜିଙ୍କ ଅଡିଟ ରିପୋର୍ଟକୁ ମଧ୍ୟ ଜିଲ୍ଲା ଜଜ୍‌ ତାଙ୍କ ରିପୋର୍ଟ ସହ ସଂଲଗ୍ନ କରି ଦେଇଛନ୍ତି। ପ୍ରତ୍ୟେକ ବର୍ଷ ଏଜିଙ୍କ ଦ୍ୱାରା ଶ୍ରୀମନ୍ଦିର ପାଣ୍ଠିର ଅଡିଟ କରାଯାଉ ବୋଲି ଜଜ୍‌ ତାଙ୍କ ସୁପାରିସରେ କହିଛନ୍ତି। କେବଳ ଏତିକି ନୁହେଁ ଏହି ଅଡିଟ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରାଯିବା ସହ ଜନସାଧାରଣଙ୍କ ପାଇଁ ଶ୍ରୀମନ୍ଦିର େଓ୍ଵବସାଇଟରେ ଅପଲୋଡ କରିବା ପାଇଁ ମଧ୍ୟ ଜଜ୍‌ ସୁପାରିସ କରିଛନ୍ତି। ଆନନ୍ଦ ବଜାରର ପରିମଳ ବ୍ୟବସ୍ଥାକୁ ସଜାଡିବା, ଗରିବ ଲୋକଙ୍କ ପାଇଁ ଶସ୍ତାରେ ଧର୍ମଶାଳା ଉପଲବ୍ଧ କରାଇବା, ସାଧାରଣ ପୁଲିସରୁ ଭିନ୍ନ ରଖିବା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପୁଲିସ ପାଇଁ ସ୍ୱତନ୍ତ୍ର ପୋଷାକର ବ୍ୟବସ୍ଥା କରିବା ଆଦି ଜିଲ୍ଲା ଜଜ୍‌ ତାଙ୍କ ସୁପାରିସରେ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଜିଲ୍ଲା ଜଜ୍‌ଙ୍କ ସୁପାରିସକୁ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପରିଚାଳନା କମିଟିକୁ ନିର୍ଦ୍ଦେଶ ଦେଇଥିଲେ। ଏହି ରିପୋର୍ଟକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ, ଶ୍ରୀ ଜଗନ୍ନାଥ ମନ୍ଦିର ଓ ସୁପ୍ରିମକୋର୍ଟଙ୍କ େଓ୍ଵବସାଇଟରେ ମଧ୍ୟ ଅପଲୋଡ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସୁପ୍ରିମକୋର୍ଟଙ୍କ େଓ୍ଵବସାଇଟରେ ଏହି ରିପୋର୍ଟ ଅପଲୋଡ ହୋଇ ସାରିଥିବା ବେଳେ ଏଯାଏଁ ଶ୍ରୀମନ୍ଦିର ଓ ସଂସ୍କୃତି ମନ୍ତ୍ରାଳୟ େଓ୍ଵବସାଇଟରେ ରିପୋର୍ଟ ଅପଲୋଡ କରାଯାଇନାହିଁ। ଏହି ରିପୋର୍ଟ ୩ଟି ଯାକ େଓ୍ଵବସାଇଟରେ ଦୁଇ ସପ୍ତାହ ଯାଏଁ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ରିପୋର୍ଟ ସାର୍ବଜନୀନ ହେବା ଦ୍ୱାରା ଜନ ସାଧାରଣ ଶ୍ରୀମନ୍ଦିର ଉନ୍ନତି ଓ ସଂସ୍କାର ପାଇଁ ସେମାନଙ୍କର ମତାମତ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କୁ ଦେଇପାରିବେ ବୋଲି କୋର୍ଟ କହିଥିଲେ।

ସମ୍ବନ୍ଧିତ ଖବର