ଆତଙ୍କବାଦୀ ଅନୁପ୍ରବେଶ ବନ୍ଦ କଲେ ଯାଇ ଆମର ବନ୍ଧୁକ ଶାନ୍ତ ପଡିବ, ପାକିସ୍ତାନକୁ କହିଲା ଭାରତ

ନୂଆଦିଲ୍ଲୀ : ସବୁବେଳେ ସୀମା ସେପଟୁ ଗୁଳିମାଡ କରୁଥିବା ପାକିସ୍ତାନ ଏବେ ଭାରତୀୟ ସେନାର ପ୍ରଚଣ୍ଡ ପ୍ରତିଆକ୍ରମଣରେ ଛାନିଆ ହୋଇଯାଇଛି । ଏପରି ଆକ୍ରମଣ ବନ୍ଦ ପାଇଁ ଅନୁରୋଧ କରୁଛି । କିନ୍ତୁ ଅନୁପ୍ରବେଶ ବନ୍ଦ ପାଇଁ ଫଳପ୍ରଦ ପଦକ୍ଷେପ ନେଲେ ଭାରତର ବନ୍ଧୁକ ଶାନ୍ତ ପଡିବ ବୋଲି ସ୍ପଷ୍ଟ କରିଦିଆଯାଇଛି । ଏଠାରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଡିଜିଏମଓ ସ୍ତରୀୟ ଆଲୋଚନାରେ ଏହି ପ୍ରସ୍ତାବ ଦିଆଯାଇଛି । ପାକିସ୍ତାନ ଡିଜିଏମଓ ଆଶ୍ୱାସନା ପ୍ରଦାନ କରିଥିଲେ ଯେ ସୀମାରେଖା ନିକଟରେ ଶାନ୍ତି ଭଙ୍ଗ କରୁଥିବା ବିରୋଧି ଗୋଷ୍ଠୀଙ୍କ ବିରୋଧରେ ପାକିସ୍ତାନ ସେନାବାହିନୀ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏବଂ ଭାରତ ପକ୍ଷରୁ ସନ୍ତ୍ରାସବାଦ ଆକ୍ରମଣ ବିରୋଧରେ ପ୍ରଦାନ କରାଯାଉଥିବା ସୂଚନା ଅନୁଯାୟୀ କାର୍ଯ୍ୟଧାରା ଗ୍ରହଣ କରିବ ।

ଭାରତର ଡିଜିଏମଓ ସ୍ପଷ୍ଟ ଭାବେ ପ୍ରକାଶ କରିଥିଲେ ଯେ ସନ୍ତ୍ରାସବାଦୀଙ୍କ ଦ୍ୱାରା କରାଯାଉଥିବା ଅନୁପ୍ରବେଶ ପ୍ରୟାସ ଉଦବେଗଜନକ । ସେ ମଧ୍ୟ ପାକିସ୍ତାନ ଡିଜିଏମଓଙ୍କୁ ସୂଚନା ପ୍ରଦାନ କରିଥିଲେ ଯେ ଏହିପରି କାର୍ଯ୍ୟକଳାପ ପିର ପାଞ୍ଜାଲ ପାର୍ବତ୍ୟ ଶ୍ରେଣୀର ଉତ୍ତର ଭାଗରେ ବୃଦ୍ଧି ପାଇଛି । ସୀମାରେଖା ଅଞ୍ଚଳର ପାକିସ୍ତାନ ପଟର ଲଞ୍ଚ ପ୍ୟାଡରୁ ଅନୁପ୍ରବେଶ ରୋକିବା ପାଇଁ ପାକିସ୍ତାନ ପଦକ୍ଷେପ ଗ୍ରହଣ କରିବା ଉଚିତ । ଯଦି ଅନୁପ୍ରବେଶ ରୋକିବା ନେଇ ଏବଂ ଜମ୍ମୁ କାଶ୍ମୀରରେ ସନ୍ତ୍ରାସବାଦ ନିୟନ୍ତ୍ରଣ କରିବା ନେଇ ପାକିସ୍ତାନ ସୈନ୍ୟବାହିନୀ ସକାରାତ୍ମକ ପଦକ୍ଷେପ ଗ୍ରହଣ କରେ ତେବେ 2003ର ଅସ୍ତ୍ରବିରତି ଉଲ୍ଲଂଘନ କରିବା ନେଇ ହୋଇଥିବା ବୁଝାମଣା ପତ୍ର ଅନୁଯାୟୀ ଭାରତୀୟ ସୈନ୍ୟବାହିନୀ ଏହାର କାର୍ଯ୍ୟଧାରା ଜାରି ରଖିବ ବୋଲି ଭାରତର ଡିଜିଏମଓ ଆଶ୍ୱାସନା ପ୍ରଦାନ କରିଥିଲେ ।

ସମ୍ବନ୍ଧିତ ଖବର