ଖୁବଶୀଘ୍ର ସେନାରେ ସାମିଲ ହେବ ‘ଦେଶୀ ବୋଫର୍ସ’ ଧନୁଷ

ନୂଆଦିଲ୍ଲୀ : ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ତୋପ ବା ଆର୍ଟିଲାରୀ ଗନ ଧନୁଷର ସଫଳ ପରୀକ୍ଷଣ ପରେ ତାହା ଭାରତୀୟ ସେନାରେ ସାମିଲ ହେବାର ସମ୍ଭାବନା ଉଜ୍ଜଳ ହୋଇଛି । ଗତ ୨ରୁ ୬ ତାରିଖ ମଧ୍ୟରେ ରାଜସ୍ଥାନର ପୋଖରାନ ରେଞ୍ଜରେ ହୋଇଥିବା ଧନୁଷର ପରୀକ୍ଷଣ ବେଶ ନିର୍ଭୁଲ ଥିଲା ଓ ଏହାର ପ୍ରଦର୍ଶନକୁ ନେଇ ସେନା ସନ୍ତୁଷ୍ଟ ଥିବା ଜଣାଯାଇଛି । ଏହା ତୋପର ମାରକ କ୍ଷମତା ଓ ଦକ୍ଷତା ବୋଫୋର୍ସ ତୋପ ସହ ସମାନ ବୋଲି ମନେ କରାଯାଉଛି । ଏଥିପାଇଁ ଏହାକୁ ‘ଦେଶୀ ବୋଫର୍ସ’ ବୋଲି କୁହାଯାଉଛି । ଜବଲପୁରର ଗନ କ୍ୟାରେଜ ଫାକ୍ଟ୍ରିେରେ ତିଆରି ହୋଇଥିବା ଏହି ତୋପକୁ ବିଭିନ୍ନ ଜଳବାୟୁରେ ପରୀକ୍ଷଣ କରାଯାଇଛି । ସିକ୍କିମର ପ୍ରବଳ ଥଣ୍ଡା, ଓଡ଼ିଶାର ବାଲେଶ୍ୱରରେ ପ୍ରବଳ ଆର୍ଦ୍ରତା ଓ ଗରମ ଏବଂ ପୋଖରାନର ଶୁଷ୍କ ମରୁଭୂମି, ସବୁଠାରେ ଏହି ତୋପ ନିଜର କାରନାମା ଦେଖାଇଛି । ଏହି ୧୫୫x୪୫ ଏମଏମ କାଲିବର ତୋପର ପ୍ରାୟ ୮୧ ପ୍ରତିଶତ ଉପକରଣ ସ୍ୱଦେଶରେ ନିର୍ମିତ । ଆସନ୍ତା ବର୍ଷ ସୁଦ୍ଧା ଏହାର ୯୦ ପ୍ରତିଶତ ଉପକରଣ ସ୍ୱଦେଶରେ ନିର୍ମାଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୧୪ଟି ତୋପ ଯୋଗାଇବା ପାଇଁ ସେନା ଅର୍ଡର ଦେଇଥିବାବେଳେ ତାମ ମଧ୍ୟରୁ ଚଳିତ ଆର୍ଥିକ ବର୍ଷରେ ୧୨ଟି ତୋପ ହସ୍ତାନ୍ତର କରାଯିବ । ଏ ନେଇ ସେନା ଓ ଜିସିଏଫ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହେବ ।

ସମ୍ବନ୍ଧିତ ଖବର