ଡାଇମଣ୍ଡ ପ୍ରିନସେସ ଜାହାଜରେ ଥିବା ଆଉ ୨ ଭାରତୀୟଙ୍କୁ କରୋନା ଭାଇରସ ସଂକ୍ରମଣ

ନୂଆଦିଲ୍ଲୀ : ଜାପାନର ୟାକାହାମା ଉପକୂଳରେ ଥିବା କ୍ରୁଜ ଜାହାଜ ଡାଇମଣ୍ଡ ପ୍ରିନସେସରେ ଆଉ ଦୁଇ ଭାରତୀୟଙ୍କଠାରେ କରୋନା ଭାଇରସ ଚିହ୍ନଟ ହୋଇଛି । ଏହାକୁ ମିଶାଇ ଏହି ଜାହାଜରେ ଥିବା ମୋଟ ୧୩୮ ଜଣ ଭାରତୀୟଙ୍କ ମଧ୍ୟରୁ ୬ ଜଣଙ୍କଠାରେ କରୋନା ଭାଇରସ ଥିବା ସ୍ପଷ୍ଟ ହୋଇଯାଇଛି ।
ଅନ୍ୟପକ୍ଷରେ ଆଜିଠାରୁ ଆମେରିକା ଏହି ଜାହାଜରେ ଥିବା ନିଜର ନାଗରିକମାନଙ୍କୁ ନିଜ ଦେଶକୁ ନେବା ଆରମ୍ଭ କରିଛି । ତେବେ ସଂକ୍ରମିତ ହୋଇଥିବା ୪୪ ଆମେରିକୀୟ ଜାପାନ ହସପିଟାଲରେ ରହିବେ । ଅଷ୍ଟ୍ରେଲିଆ ମଧ୍ୟ ନିଜ ନାଗରିକଙ୍କୁ ଫେରାଇ ନେବାକୁ ବିଚାର କରୁଛି । ତେବେ ଭାରତ ନିଜ ନାଗରିକଙ୍କୁ ଫେରାଇ ଆଣିବାକୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ ।
ଗତ ଶନିବାରଦିନ ଜାପାନ ସରକାର ଘୋଷଣା କରିଥିଲେ ଯେ ୧୭ ତାରିଖଠାରୁ ଯାତ୍ରୀମାନଙ୍କର ଚୂଡ଼ାନ୍ତ ରକ୍ତ ପରୀକ୍ଷା କରାଯିବ ଓ ସୁସ୍ଥ ବ୍ୟକ୍ତିମାନଙ୍କୁ ନିଜ ନିଜ ଦେଶକୁ ଯିବାକୁ ଅନୁମତି ଦିଆଯିବ । ସୂଚନାଯୋଗ୍ୟ ଯେ, ପ୍ରାୟ ୧୫ ଦିନ ପୂର୍ବେ ଏହି ବିଳାସମୟ ଜାହାଜଟି ଜାପାନର ୟାକାହାମା ଉପକୂଳରେ ଲାଗିଥିଲା । କରୋନା ଭାଇରସ ସଂକ୍ରମଣ କାରଣରୁ ଏହି ଜାହାଜକୁ ଜାପାନ ସରକାର ପର୍ଯ୍ୟବେକ୍ଷଣରେ ରଖିଛନ୍ତି ଓ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ ଦେଉନାହାନ୍ତି ।

ସମ୍ବନ୍ଧିତ ଖବର