ରେଳଯାତ୍ରା ବେଳେ ଡିଜିଟାଲ ଆଧାର ପରିଚୟ ପ୍ରମାଣପତ୍ର ଭାବେ ଗ୍ରହଣୀୟ ହେବ

ନୂଆଦିଲ୍ଲୀ : ରେଳ ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁସାରେ ଜଣେ ରେଳଯାତ୍ରୀ ଏବେ ଯାତ୍ରା ସମୟରେ ନିଜ ‘ଡିଜିଟାଲ ଲକର’ ଆକାଉଣ୍ଟର ‘ଇସ୍ୟୁଡ ଡକ୍ୟୁମେଣ୍ଟସ’ରୁ ନିଜ ଆଧାର ଏବଂ ଡ୍ରାଇଭିଂ ଲାଇସେନ୍ସକୁ ପରିଚୟପତ୍ର ଭାବେ ଦେଖାଇପାରିବେ । ଏହା ବୈଧ ବୋଲି ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । କିନ୍ତୁ ଏହି ଡକ୍ୟୁମେଣ୍ଟ ଯାତ୍ରୀ ନିଜେ ଅପଲୋଡ୍ କରିଥିଲେ ତାହା ଗ୍ରହଣୀୟ ହୋଇପାରିବନି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଏବେ ସଂରକ୍ଷିତ ଶ୍ରେଣୀରେ ରେଳଯାତ୍ରା ସମୟରେ ଯାତ୍ରୀମାନେ ନିମ୍ନଲିଖିତ ଡକ୍ୟୁମେଣ୍ଟକୁ ପରିଚୟପତ୍ର ଭାବେ ଦେଖାଇଲେ ତାହା ବୈଧ ଗ୍ରହଣୀୟ ହେଉଛି;ଭାରତୀୟ ନିର୍ବାଚନ କମିସନଙ୍କ ଦ୍ୱାରା ଜାରି କରାଯାଇଥିବା ଭୋଟର ପରିଚୟପତ୍ର , ପାସ୍ପୋର୍ଟ, ଆୟକର ବିଭାଗ ଦ୍ୱାରା ଜାରି କରାଯାଇଥିବା ପାନକାର୍ଡ , ଆରଟିଓଙ୍କ ଦ୍ୱାରା ଦିଆଯାଇଥିବା ଡ୍ରାଇଭିଂ ଲାଇସେନ୍ସ, , କେନ୍ଦ୍ର/ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଫଟୋ ପରିଚୟପତ୍ର, ଯେଉଁଥିରେ କି ସିରିଏଲ ନମ୍ବର ଉଲ୍ଲେଖଥିବ , ସ୍ୱୀକୃତିପ୍ରାପ୍ତ ସ୍କୁଲ ଓ କଲେଜ ଦ୍ୱାରା ଜାରି କରାଯାଇଥିବା ଆଇଡେଣ୍ଟିଟି କାର୍ଡ, ଜାତୀୟକରଣ ବ୍ୟାଙ୍କ ଦ୍ୱାରା ପ୍ରଦତ୍ତ ଫଟୋ ସମ୍ବଳିତ ପାସବୁକ୍, ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ଲାମିନେଟେଡ ଫଟୋ ସମ୍ବଳିତ କ୍ରେଡିଟ କାର୍ଡ , ଆଧାର କାର୍ଡ, ଇ-ଆଧାର ଏବଂ ଏମ୍-ଆଧାର , କେନ୍ଦ୍ର/ରାଜ୍ୟ ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ଜିଲ୍ଲା ପ୍ରଶାସନ, ମ୍ୟୁନିସିପାଲିଟି ଏବଂ ପଞ୍ଚାୟତ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ପରିଚୟପତ୍ର, ଯେଉଁଥିରେ କି ସିରିଏଲ୍ ନମ୍ବର ଉଲ୍ଲେଖଥିବ । ଏହା ସହିତ କମ୍ପ୍ୟୁଟରୀକୃତ ଯାତ୍ରୀ ସଂରକ୍ଷଣ ପଦ୍ଧତି (PRS) କାଉଣ୍ଟରରୁ ସଂଗ୍ରହ କରାଯାଇଥିବା ଟିକେଟଧାରୀ ଯାତ୍ରୀ ସ୍ଲିପର ଏବଂ ଦ୍ୱିତୀୟ ଶ୍ରେଣୀ ସଂରକ୍ଷିତ ବଗିରେ ଯାତ୍ରା କରୁଥିଲେ ରେସନ କାର୍ଡର ଫଟୋକପି ଏବଂ ଜାତୀୟକରଣ ବ୍ୟାଙ୍କ ଫଟୋ ସମ୍ବଳିତ ପାସବୁକ୍ ପରିଚୟପତ୍ର ଭାବେ ଗ୍ରହଣୀୟ ହୋଇପାରିବ ।

ସମ୍ବନ୍ଧିତ ଖବର