ଆଦିବାସୀ ଯୁବତୀଙ୍କୁ ଡିଜିଟାଲ ଦକ୍ଷତା ପ୍ରଶିକ୍ଷଣ ଦିଆଯିବ

ନୂଆଦିଲ୍ଲୀ : ଓଡ଼ିଶା ସମେତ ଦେଶର ଆଦିବାସୀ ଅଧ୍ୟୁଷିତ ରାଜ୍ୟର ଆଦିବାସୀ ଯୁବତୀମାନଙ୍କୁ ଡିଜିଟାଲ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯିବ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଓ ଫେସବୁକ୍ ଦ୍ବାରା ଦେଶର ୫ ହଜାର ଆଦିବାସୀ ଯୁବତୀଙ୍କୁ ଡିଜିଟାଲ ଦକ୍ଷତା ପ୍ରଶିକ୍ଷଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସୂଚନା ଓ ପ୍ରଯ୍ୟୁକ୍ତିର ଉପଯୋଗ ଦ୍ବାରା ଆଦିବାସୀ ଯୁବତୀମାନଙ୍କୁ ସଶକ୍ତ କରାଯିବା ସହିତ ଡିଜିଟାଲ କ୍ଷମତାକୁ ବୃଦ୍ଧି କରିବା ପାଇଁ ପ୍ରଶିକ୍ଷଣ ଦ୍ବାରା ପ୍ରୟାସ କରାଯିବ। ଆଦିବାସୀ ଯୁବତୀ ମାନଙ୍କୁ ଡିଜିଟାଲ ଶିକ୍ଷା, ଉଦ୍ୟୋଗୀ ତଥା ଅନଲାଇନ୍ ସୁରକ୍ଷା ସମ୍ପର୍କରେ ପ୍ରଶିକ୍ଷିତ କରାଯିବ। ଯାହାଦ୍ବାରା ପ୍ରଶିକ୍ଷିତ ଯୁବତୀ ମାନଙ୍କୁ ସେମାନଙ୍କର ଗାଁ ଓ ସମ୍ପ୍ରଦାୟରେ ଡିଜିଟାଲ ଲିଡର ହୋଇପାରିବେ ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ଦ୍ବାରା ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି ପ୍ରଶିକ୍ଷିତ ହୋଇଥିବା ଆଦିବାସୀ ଯୁବତୀମାନଙ୍କୁ ଫେଲୋସିପ୍ ପ୍ରଦାନ କରିବା ପାଇଁ ମଧ୍ୟ ସୁପାରିଶ କରାଯିବ, ଯାହାଦ୍ବାରା ଡିଜିଟାଲ ଦକ୍ଷତା ପ୍ରଶିକ୍ଷଣର ଅନୁଭବକୁ ସେମାନେ ଉପଯୋଗ କରିପାରିବେ। ଡିଜିଟାଲ ଦକ୍ଷତା ଦ୍ବାରା ବ୍ୟବସାୟ ଫେସନ ଓ କଳାରେ ମଧ୍ୟ ଆଦିବାସୀ ଯୁବତୀମାନେ ପାଦ ରଖିପାରିବେ।

ସମ୍ବନ୍ଧିତ ଖବର