ତାଜ୍‌ ଫାଲକନୁମାରେ ଆଇଭାଙ୍କା ଟ୍ରମ୍ପ୍‌ଙ୍କ ପାଇଁ ଡିନର୍‌ ପ୍ରସ୍ତୁତି

ହାଇଦ୍ରାବାଦ: ତାଜ୍‌ ଫାଲ୍‌କନୁମା ପାଲେସ୍‌ରେ ଆଇଭାଙ୍କା ଟ୍ରମ୍ପ୍‌ଙ୍କ ଡିନର୍‌ ପାଇଁ ଚାଲିଛି ପ୍ରସ୍ତୁତି। ଥାଇଲାଣ୍ଡ୍‌ର ବ୍ୟାଙ୍ଗ୍‌କକ୍‌, ଇଣ୍ଡୋନେସିଆ ଏବଂ ବେଙ୍ଗାଲୁରୁରୁ ଆସିଛି ଫୁଲ। ଦେଶରେ ଥିବା ବିଭିନ୍ନ ନାମଜାଦା ହୋଟେଲ୍‌ରୁ ଆସିଛନ୍ତି ରୋଷେୟା। ପ୍ରତି ଆଇଟମ୍‌ ପାଇଁ ଜଣେ ଲେଖାଏଁ ରୋଷେୟା ରହିଛନ୍ତି। ବରିୟାନି ଏବଂ ଅନ୍ୟାନ୍ୟ ଡିସ୍‌ ରାନ୍ଧିବା ପାଇଁ ଆସିଛନ୍ତି ପୋଖତ ରୋଷେୟା। ଖାଦ୍ୟ ପରଷିବା ପାଇଁ ଆସିଛି ସୁନା ଓ ରୁପାର ଥାଳିଆ ଏବଂ ଆହୁରି କେତେ ବାସନକୁସନ। ପୂର୍ବତନ ନିଜାମଙ୍କ ବାସଭବନର ନିଜାମ ସୁଟ୍‌ ଏବଂ ଅନ୍ୟାନ୍ୟ ସୁଟ୍‌ଗୁଡ଼ିକୁ ସଜାସଜି କରି ରଖାଯାଇଛି। ହୁଏ ତ ଆଇଭାଙ୍କା, ପ୍ରଧାନମନ୍ତ୍ରୀ ମୋଦି କିଂବା ଅନ୍ୟ ମାନ୍ୟଗଣ୍ୟ ଅତିଥି ସେଠାରେ ବିଶ୍ରାମ ନେଇ ପାରନ୍ତି।

ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନିଜେ ଫାଲକନୁମା ପାଲେସ୍‌ ଯାଇ ଡିନର୍‌ ବ୍ୟବସ୍ଥା ତଦାରଖ କରିବେ। ସେଠାରେ ମୁଖ୍ୟମନ୍ତ୍ରୀ ଆସନ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ, ଖାଦ୍ୟ ତାଲିକା, ଫୁଲରେ ସଜାସଜି ଆଦି କଥା ବିଷୟରେ ଆଲୋଚନା କରିବେ।

ସେଠାରେ ନିମନ୍ତ୍ରିତ ଅତିଥିମାନେ ଅତି କମ୍‌ରେ ତିନି ଘଣ୍ଟା କଟାଇବେ। ଅତିଥିମାନେ ନଭେମ୍ବର ୨୮ ତାରିଖ ସନ୍ଧ୍ୟା ୭ଟାରେ ସେଠରେ ପହଞ୍ଚିବେ। ପାଲେସ୍‌ ଭିତରେ ୨୦୦୦ ପୁଲିସ ଏବଂ ପାଲେସ୍‌ ବାହାରେ ୩୫୦୦ ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର