‘ଦୁର୍ଭାଗ୍ୟପୂର୍ଣ୍ଣ ଓ ଅସନ୍ତୋଷଜନକ। କିନ୍ତୁ, ଆମେ ଏହାକୁ ପାଳନ କରିବୁ’: ଶବରିମାଲା ମନ୍ଦିରର ମୁଖ୍ୟ ପୁରୋହିତ

କୋଚି (କେରଳ): କେରଳର ପ୍ରସିଦ୍ଧ ଶବରିମାଲା ମନ୍ଦିର ମଧ୍ୟକୁ ବୟସ ନିର୍ବିଶେଷରେ ସବୁ ମହିଳାଙ୍କର ପ୍ରବେଶାଧିକାର ରହିଛି ବୋଲି ଆଜି ସୁପ୍ରିମ୍‌ କୋର୍ଟଙ୍କ ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଚୂଡ଼ାନ୍ତ ରାୟ ଦେଇଛନ୍ତି। ତେବେ, ସୁପ୍ରିମ୍‌ କୋର୍ଟଙ୍କ ଏହି ରାୟକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶବରିମାଲା ମନ୍ଦିରର ମୁଖ୍ୟ ପୁରୋହିତ ସୁପ୍ରିମ୍‌ କୋର୍ଟଙ୍କ ରାୟ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ‘ଏହି ରାୟ ଦୁର୍ଭାଗ୍ୟପୂର୍ଣ୍ଣ ଓ ଅସନ୍ତୋଷଜନକ। କିନ୍ତୁ, ଆମେ ଏହାକୁ ପାଳନ କରିବୁ।’ ତେବେ, ସୁପ୍ରିମ୍‌ କୋର୍ଟଙ୍କ ଚୂଡ଼ାନ୍ତ ରାୟକୁ ସଂପୂର୍ଣ୍ଣ ଓ ବିଶଦ ଭାବେ ପଢ଼ି ସାରିବା ପରେ ହିଁ ଏବାବଦରେ ଆମେ ଯାହା କିଛି ପରବର୍ତ୍ତୀ ନିର୍ଣ୍ଣୟ ନେବୁ ବୋଲି ମୁଖ୍ୟ ପୁରୋହିତ। ସେହିପରି ପଣ୍ଡାଲମ୍‌ ରାଜପରିବାରର ପ୍ରତିନିଧି ଏସଂପର୍କରେ କୌଣସି ପ୍ରତିକ୍ରିୟା ନଦେଇ ସୁପ୍ରିମ୍‌ କୋର୍ଟଙ୍କ ସଂପୂର୍ଣ୍ଣ ରାୟକୁ ପଢ଼ିସାରିବା ପରେ ଏମାମଲାରେ ମନ୍ତବ୍ୟ ରଖିବେ ବୋଲି କହିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଆର୍‌ ଏଫ୍‌ ନରିମାନ, ଜଷ୍ଟିସ୍‌ ଏ ଏମ୍‌ ଖାନ୍‌ଓ୍‌ିଲକର, ଜଷ୍ଟିସ୍‌ ଡି ଓ୍‌ାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗତ ଅଗଷ୍ଟ ମାସରେ କ୍ରମାଗତ ଭାବେ ଦୀର୍ଘ ୮ ଦିନ ଧରି ଏହି ବିବାଦୀୟ ମାମଲାର ଚୂଡ଼ାନ୍ତ ଶୁଣାଣି କରିବା ପରେ ରାୟକୁ ସଂରକ୍ଷିତ ରଖିଥଲେ। ସଂରକ୍ଷିତ ଥିବା ରାୟକୁ ଆଜି ଘୋଷଣା କରି ସୁପ୍ରିମ୍‌ କୋର୍ଟ ଶବରିମାଲା ମନ୍ଦିର ମଧ୍ୟକୁ ବୟସ ନିର୍ବିଶେଷରେ ସବୁ ମହିଳାଙ୍କୁ ପ୍ରବେଶାଧିକାର ପ୍ରଦାନ କରିଛନ୍ତି। ଏହି ରାୟରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ସମେତ ଜଷ୍ଟିସ୍‌ ଆର୍‌ ଏଫ୍‌ ନରିମାନ, ଜଷ୍ଟିସ୍‌ ଏ ଏମ୍‌ ଖାନ୍‌ଓ୍ଵିଲକର, ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଏକମତ ପୋଷଣ କରିଥିବା ବେଳେ ଏକମାତ୍ର ମହିଳା ବିଚାରପତି ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା ଏଥିରେ ଦ୍ୱିମତ ପୋଷଣ କରିଥିଲେ। ତେବେ, ୪:୧ ବହୁମତରେ ରାୟଟି ଗୃହୀତ ହୋଇଥିଲା।

ସମ୍ବନ୍ଧିତ ଖବର