ମେଣ୍ଟ ପଛରେ କିଏ?

ପ୍ରଣବଙ୍କୁ ନେଇ ଚର୍ଚା ଜୋର ଧରିଲା ୨୦୧୯ରେ ହୋଇପାରନ୍ତି ‘କିଙ୍ଗ୍‌ ମେକର’

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ନେଇ ଜାତୀୟ ରାଜନୀତିରେ ଏବେ କମ୍ପନ ସୃଷ୍ଟି ହୋଇଛି। ଜୀବନସାରା କଂଗ୍ରେସ ସହ ସଂପୃକ୍ତ ଥିବା ଶ୍ରୀ ମୁଖାର୍ଜୀ କ’ଣ ପାଇଁ ଆରଏସ୍‌ଏସ୍‌ (ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ)ର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି? ଯେଉଁ ସଂଗଠନକୁ କଂଗ୍ରେସ ସାଂପ୍ରଦାୟିକ କହି ଦୃଢ଼ ବିରୋଧ କରୁଛି ସେହି ସଂଗଠନର କାର୍ଯ୍ୟକ୍ରମରେ ଯୋଗ ଦେବାଲାଗି ପ୍ରଣବ କାହିଁକି ଆଗ୍ରହ ପ୍ରକାଶ କରିଛନ୍ତି? ଏହା ପଛରେ ରହସ୍ୟ କଣ? ଏହିସବୁ ପ୍ରଶ୍ନକୁ ନେଇ ଦିଲ୍ଲୀ ରାଜନୀତି ଏବେ ଉଠୁଛି ପଡ଼ୁଛି। କେହି ଏ ସଂପର୍କରେ ଖୋଲାଖୋଲି ମୁହଁ ଖୋଲୁ ନାହାନ୍ତି। କଂଗ୍ରେସ ନେତାମାନେ କହୁଛନ୍ତି ଯେ ପ୍ରଣବ କାହିଁକି ଏଭଳି ନିଷ୍ପତ୍ତି ନେଇଛନ୍ତି ସେସଂପର୍କରେ କେବଳ ପ୍ରଣବ ହିଁ କହି ପାରିବେ। ତେବେ ପ୍ରଣବଙ୍କ ଅଫିସ୍‌ର ନିରବତା ସମଗ୍ର ଘଟଣାକୁ ରହସ୍ୟମୟ କରିଦେଇଛି। ଦିଲ୍ଲୀ ରାଜନୈତିକ ମହଲରେ ଚର୍ଚା ଚାଲିଛି ଯେ ଆରଏସ୍‌ଏସ୍‌ର ନାଗପୁର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମ୍ମତି ଦେଇ ପ୍ରଣବ ଜଣାଇଦେବାକୁ ଚାହୁଁଛନ୍ତି ଯେ ରାଜନୀତିରେ ସେ ଅଲୋଡ଼ା ନୁହନ୍ତି। ରାଷ୍ଟ୍ରପତି ଭବନରୁ ଅବସର ନେଇଥିଲେ ମଧ୍ୟ ଜାତୀୟ ରାଜନୀତିକୁ ଓଲଟପାଲଟ କରିବାର କ୍ଷମତା ତାଙ୍କର ରହିଛି। ରାଷ୍ଟ୍ରପତି ଥିବା ସମୟରେ ସେ ଅନେକ ସମୟରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହିତ ସଂପର୍କ ରଖିଥିଲେ। ବିଭିନ୍ନ ଦଳର ନେତା ତାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିଲେ। ଅବସର ନେବାପରେ ମଧ୍ୟ ସେ ଏଭଳି ନେତାଙ୍କ ସହିତ ସଂପର୍କରେ ଅଛନ୍ତି।

କେତେକ ନେତା କହୁଛନ୍ତି ଯେ ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ଏକ ବଡ଼ ଧରଣର ଖେଳ ପାଇଁ ଯୋଜନା କରିଛନ୍ତି ୮୨ ବର୍ଷୀୟ ପ୍ରଣବ ମୁଖାର୍ଜୀ। ଉଭୟ କଂଗ୍ରେସ ଓ ବିଜେପିକୁ କ୍ଷମତାଠାରୁ ଦୂରେଇ ରଖିବା ଲାଗି ଯେଉଁ କେତେକ ନେତା ଅଭିଯାନ ଆରମ୍ଭ କରିଛନ୍ତି ସେମାନଙ୍କ ପଛରେ ରହିଛନ୍ତି ପ୍ରଣବ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଶପଥପାଠ ଉତ୍ସବରେ ବହୁସଂଖ୍ୟକ ବିଜେପି-ବିରୋଧୀ ଦଳ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିଥିଲେ। ଏଥିରେ କଂଗ୍ରେସ ମଧ୍ୟ ସାମିଲ ଥିଲା। କିନ୍ତୁ ଏହିସବୁ ଦଳ ଯେ ୨୦୧୯ ନିର୍ବାଚନରେ କଂଗ୍ରେସ ସହିତ ରହିବେ ତାହାର ଗ୍ୟାରେଣ୍ଟି ନାହିଁ। ବିଶେଷ କରି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ୍‌ ମୁଖ୍ୟ ଚନ୍ଦ୍ରଶେଖର ରାଓ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଭଳି ନେତା ହେଉଛନ୍ତି କଂଗ୍ରେସର କଟ୍ଟର ବିରୋଧୀ। ଯାହା ବିରୋଧରେ ଲଢି ନିର୍ବାଚନ ଜିତିଛନ୍ତି ସେହି ଦଳ ସହିତ ସେମାନେ ୨୦୧୯ରେ ମେଣ୍ଟ କରିବା ସମ୍ଭାବନା କ୍ଷୀଣ। ତେଣୁ ଏହି ଦଳ ଓ ନେତାମାନଙ୍କୁ ଏକାଠି କରି ୨୦୧୯ରେ ଦିଲ୍ଲୀ ଗାଦିରେ ବସାଇବା ଚକ୍କରରେ ଅଛନ୍ତି ପ୍ରଣବ। ଏଥିରେ ତାଙ୍କୁ ସହାୟତା କରିପାରନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ। ଏନସିପି ନେତା ଶରଦ ପାଓ୍ଵାର, ସିପିଏମ୍‌ ଏବଂ ଶିବସେନା ମଧ୍ୟ ଏହି ମେଣ୍ଟରେ ସାମିଲ ହୋଇପାରନ୍ତି ବୋଲି ଜୋରଦାର ଚର୍ଚା ଚାଲିଛି। ପ୍ରଣବଙ୍କ ଏହି ଅଭିଯାନକୁ ସଫଳ କରିବା ଲାଗି ମମତା ବାନାର୍ଜୀ ଅଣ୍ଟା ଭିଡ଼ିଛନ୍ତି। ମୋଦିଙ୍କୁ ନେଇ ଅସନ୍ତୁଷ୍ଟ ଥିବା ଆଡ଼ଭାନୀ, ଯଶୋବନ୍ତ ସିହ୍ନା, ଶତ୍ରୁଘ୍ନ ସିହ୍ନା ଏବଂ ଅନ୍ୟ କେତେକ ବିଜେପି ନେତା ମଧ୍ୟ ଏହାକୁ ସମର୍ଥନ ଜଣାଉଥିବାର ଖବର ମିଳିଛି। ଗତ ଜାନୁଆରୀ ମାସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନରେ ଦେଶର କିଛି ବଡ଼ ବଡ଼ ନେତା ଏକତ୍ରିତ ହୋଇଥିଲେ। ସେଥିରେ ପ୍ରଣବ ମଧ୍ୟ ଉପସ୍ଥିତ ଥିଲେ। ବିଜୁବାବୁଙ୍କ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେବାଲାଗି ଭୁବନେଶ୍ୱର ଯାଇଥିବା ବେଳେ ଏହି ନେତାମାନେ ନବୀନ ନିବାସରେ ଏକାଠି ହୋଇଥିଲେ। ସେଠାରେ ଶରଦ ପାଓ୍ଵାର, ଆଡ଼ଭାନୀ ଏବଂ ଦେବେଗୌଡା ତଥା ସୀତାରାମ ୟେଚୁରି ମଧ୍ୟ ଉପସ୍ଥିତ ଥିଲେ। ଏଭଳି ମେଣ୍ଟ ପାଇଁ ଏହା ଆରମ୍ଭ ଥିଲା ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ୨୦୦୪ ମସିହାରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ଥିବା ପ୍ରଣବଙ୍କୁ ଉକ୍ତ ପଦ ନ ମିଳିବାରୁ କ୍ଷୁବ୍ଧ ଥିଲେ ଏବଂ ତାଙ୍କ ପୁସ୍ତକ ‘ଦ କୋଆଲିସନ ଇୟର୍ସ’ ପୁସ୍ତକରେ ନିଜ ମନକଥା ପ୍ରକାଶ କରିଥିଲେ। ଚର୍ଚ୍ଚା ଚାଲିଛି ଯେ ଏହି କାରଣରୁ ସେ କେନ୍ଦ୍ରରେ କଂଗ୍ରେସକୁ କ୍ଷମତାରୁ ଦୂରେଇ ରଖିବାକୁ ଚାହାନ୍ତି। ୨୦୧୯ରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ନମିଳିଲେ ସରକାର କିଏ ଗଢ଼ିବ ଏବଂ ପ୍ରଧାନମନ୍ତ୍ରୀ କିଏ ହେବ ତାହାକୁ ନିର୍ଣ୍ଣୟ କରିବାରେ ପ୍ରଣବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର