ଲକ୍‌ଡାଉନ୍‌ ବେଳେ ଚର୍ଚ୍ଚାରେ ସିଂହଭି, କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦାନ ଚର୍ଚ୍ଚା ଥମୁନି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭା ସାଂସଦ ଅଭିଷେକ ମନୁ ସିଂହଭି କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଉଛନ୍ତି! କୋଭିଡ୍‌-୧୯ ଜନିତ ପରିସ୍ଥିତିକୁ ନେଇ ସାରାଦେଶ ଲକ୍‌ଡାଉନ୍‌ ଅବସ୍ଥାରେ ଥିବାବ‌େଳେ ଏହିଭଳି ଏକ ଆଲୋଚନା କେବଳ ଦିଲ୍ଲୀ କାହିଁକି, ସାରାଦେଶର ରାଜନୀତିକୁ ଆଚ୍ଛାଦିତ କରିଥିଲା। ଶ୍ରୀ ସିଂହଭି କଂଗ୍ରେସର ଜଣେ ବରିଷ୍ଠ ନେତା। ତାଙ୍କ ସମ୍ପର୍କରେ ଏହିଭଳି ଏକ କଳ୍ପନାଜଳ୍ପନାକୁ ଉଭୟ ଶ୍ରୀ ସିଂହଭି ଏବଂ କଂଗ୍ରେସ ଖଣ୍ଡନ କରିଛନ୍ତି। ତେବେ, ‘ନିଆଁ ନଥିଲେ ଧୂଆଁ ବାହାରେନି’ ଉକ୍ତିରେ ବିଶ୍ବ‌ାସ ରଖୁଥବା ବର୍ଗ ଏକଥାରେ ସତ୍ୟତା ଥାଇପାରେ ବୋଲି ଏବେ ବି କହୁଛନ୍ତି। ସେମାନେ ଦର୍ଶାନ୍ତି ଯେ କହିଲାବେଳେ ରାଜନେତା ସିନା ଧରାପଡ଼ନ୍ତି, କିନ୍ତୁ ରାଜନେତା ସହିତ ଜଣେ ଦକ୍ଷ ଆଇନଜୀବୀ ହୋଇଥିଲେ ସୁବିଧାଜନକ ବୋଲି ମନେ ନକଲେ କଥାଟା ଯେତେ ସତ ହେଲେ ବି ତାହାକୁ ସହଜରେ ସ୍ବୀକାର କରନ୍ତିନି। ଶ୍ରୀ ସିଂହଭି ଟୁଇଟ୍‌ କରି ଏହା ଗୁଜବ ବୋଲି କହିଥିଲେ ମଧ୍ୟ ତାହାକୁ ଅନେକେ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଫଳତଃ, ଏହି କଳ୍ପନାଜଳ୍ପନା ସମ୍ପୂର୍ଣ୍ଣ ଭାବେ ଅପସରି ଯାଇନାହିଁ।

ଦୁଇଟି ଘଟଣା ଶ୍ରୀ ସିଂହଭି କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଉଥିବା ସମ୍ପର୍କରେ ଇନ୍ଧନ ‌ଯୋଗାଇଥିଲା। ପ୍ରଥମ ହେଉଛି, ବିଜେପିର ଆଦର୍ଶଗତ ପରାମର୍ଶକ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏ୍‌)କୁ ସମର୍ଥନ କରୁଥିବା ଭଳି ତାଙ୍କର ଏକ ଟୁଇଟ୍‌। ଏହି ଟୁଇଟ୍‌ରେ ଆର୍‌ଏସ୍‌ଏସ୍‌କୁ ନିଷିଦ୍ଧ କରାଯାଇଥିବା ପ୍ରସଙ୍ଗରେ ଏକ ଭିନ୍ନ ମତ ରଖିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ଅର୍ଥନୈତିକ ବର୍ଣ୍ଣାଳୀରେ ଭରତ ପାଇଁ ଉଭୟ ବ‌ାମ ଓ ଦକ୍ଷିଣପନ୍ଥୀଙ୍କ ମତର ଆବଶ୍ୟକତା ରହିଛି। ସେହିଭଳି, ହିନ୍ଦୁ ଓ ଅଣହିନ୍ଦୁଙ୍କ ମତ। ଉଭୟ ମତକୁ ଗ୍ରହଣ କରିବାର ଆବଶ୍ୟକତା ରହିଛି। ସେଇଥିପାଇଁ ଆର୍‌ଏସ୍‌ଏସ୍‌ ନିଷିଦ୍ଧ ହେବାକୁ ସମର୍ଥନ କରୁନାହିଁ। ସମାନଭାବେ, ଆର୍‌ଏସ୍‌ଏସ୍‌ ଅଧିକାଂଶ ମତକୁ ବି ଗ୍ରହଣ କରୁନାହିଁ।’ ଏହା ସହିତ ଯୋଡ଼ି ହୋଇଛି ଶ୍ରୀ ସିଂହଭିଙ୍କ ପିଏଚ୍‌ଡି। ସାର୍‌ ୱିଲିୟମ୍‌ ୱାଦେଙ୍କ ଅଧୀନରେ ଶ୍ରୀ ସିଂହଭି ‘ଜରୁରୀକାଳୀନ କ୍ଷମତା’ ଉପରେ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି କରିଛନ୍ତି। ସେଇଥିପାଇଁ ସେ ବିଶ୍ବାସ କରନ୍ତି ଯେ, ‘ସନ୍ତ୍ରାସବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ନ ହେବା ପର୍ଯ୍ୟନ୍ତ କୌଣସି ସଂଗଠନକୁ ନିଷିଦ୍ଧ କରିବା ଉଚିତ ନୁହେଁ।’ ଏହିସବୁ କାରଣରୁ ତାଙ୍କର ଆର୍‌ଏସ୍‌ଏସ୍‌ ସହିତ ପରୋକ୍ଷ ସମର୍ଥନ ନେଇ ଆଲୋଚନା ହୋଇଥିଲା।

ଆଉ ଏକ କାରଣ ହେଉଛି, ଶ୍ରୀ ସିଂହଭିଙ୍କ ବାପା ଲକ୍ଷ୍ମୀ ଏମ୍‌. ସିଂହଭି ରାଜ୍ୟସଭାରେ ବିଜେପିର ସଦସ୍ୟ ଥିଲେ। ଏହା ସତ୍ତ୍ବେ ସେ ବିଜେପିରେ ଯୋଗ ନ ଦେଇ କଂଗ୍ରେସରେ ଯୋଗଦେବା ପଛରେ କାରଣ ଥିଲା ଦଳର ବରିଷ୍ଠ ନେତା ମାଧବ ରାଓ ସିନ୍ଧିଆଙ୍କ ସହିତ ସମ୍ପର୍କ। ସିନ୍ଧିଆଙ୍କୁ ସେ ନିଜର ‘ରାଜନୈତିକ ଗୁରୁ’ ବୋଲି ମାନୁଥିଲେ ଏବଂ ଯେଉଁଥିପାଇଁ ସେ କଂଗ୍ରେସରେ ଯୋଗଦେଇଥିଲେ। କଂଗ୍ରେସର ମୁଖପାତ୍ର ହେବା ସହିତ ଦଳର ସମର୍ଥନରେ ସେ ଏବେ ରାଜ୍ୟସଭା ସଦସ୍ୟ ବି ଅଛନ୍ତି। ତେବେ, ଜୁନିଅର୍‌ ସିନ୍ଧିଆ ଅର୍ଥାତ୍‌ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗଦେବା ପରେ ଶ୍ରୀ ସିଂହଭି ତାଙ୍କ ପଦାଙ୍କ ଅନୁସରଣ କରିପାରନ୍ତି ବୋଲି କେତେକ ମହଲରେ ଅନୁମାନ କରାଯାଉଛି। ଏବଂ ଏ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବାର ଆଉ ଏକ କାରଣ। ନିକଟରେ ଘଟିଥିବା ଆଉ ଏକ ଘଟଣା ପାଇଁ ଶ୍ରୀ ସିଂହଭି ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଥିଲେ। ଲକ୍‌ଡାଉନ୍‌ରେ ଫସିଥିବା ଶ୍ରମିକଙ୍କୁ ରେଳଭଡ଼ା ଦେବେ ବୋଲି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଘୋଷଣା କରିଥିବାବେଳେ ଶ୍ରୀ ସିଂହଭି କହିଥିଲେ ଯେ, ‘ ସୋନିଆ ଗାନ୍ଧୀ କିମ୍ବା କଂଗ୍ରେସ ଶ୍ରମିକମାନଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରି କେନ୍ଦ୍ର ସରକାରଙ୍କ ବିକଳ୍ପ ହୋଇପା‌ରିବେ ନାହିଁ।’ ତେବେ, ଏହାକୁ ଖଣ୍ଡନ କରିଛନ୍ତି ଉଭୟ ଶ୍ରୀ ସିଂହଭି ଏବଂ କଂଗ୍ରେସ। ଶ୍ରୀ ସିଂହଭି ଟୁଇଟ୍‌ କରି କହିଥିଲେ ଯେ, ‘ତମେ ‌ଯେଉଁମାନେ ମୋ ସମ୍ପର୍କରେ ଗୁଜବ ସୃଷ୍ଟି କରୁଛ, ଧନ୍ୟବାଦ ଯେ ମୋତେ ତମମାନଙ୍କ ଦୁନିଆର କେନ୍ଦ୍ରବିନ୍ଦୁ କରିଦେଇଛ।’ ତେବେ, ସେ କଂଗ୍ରେସ ଛାଡ଼ୁନାହାନ୍ତି କିମ୍ବା ବିଜେପିରେ ଯୋଗଦେଉନାହାନ୍ତି ବୋଲି ସିଧାସଳଖ କହିନଥିଲେ। ସେହିଭଳି, କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସିଂହ ସୂର୍ଯ୍ୟେୱାଲା ଏହା ଏକ ଭିତ୍ତିହୀନ ଗୁଜବ ବୋଲି କହିଥିଲେ। ଅନ୍ୟ ଯେଉଁମାନେ ଶ୍ରୀ ସିଂହଭିଙ୍କ କଂଗ୍ରେସ ପରିତ୍ୟାଗକୁ ଏକ ଗୁଜବ ବୋଲି କୁହନ୍ତି, ସେମ‌ାନଙ୍କ ଯୁକ୍ତି ହେଉଛି-ତାଙ୍କର କାର୍ଯ୍ୟକାଳ ସରିଲେ ସେ ତୃଣମୂଳ କଂଗ୍ରେସ ସମର୍ଥନରେ ପୁଣିଥରେ ରାଜ୍ୟସଭାକୁ ନିର୍ବାଚିତ ହେବାର ଳକ୍ଷ୍ୟ ରଖିଛନ୍ତି। ଏହାରି ମାଧ୍ୟମରେ ଆସନ୍ତାବର୍ଷ ପଶ୍ଚିମବଙ୍ଗର ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ମଧ୍ୟରେ ମେଣ୍ଟକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ତେବେ, ଶ୍ରୀ ସିଂହଭିଙ୍କ ଭଳି ଜଣେ ଓକିଲ ଯେତେବେଳେ ଏହାକୁ ଗୁଜବ ବୋଲି କହିଛନ୍ତି, ତାଙ୍କ ସହିତ ଏ ସମ୍ପର୍କରେ ଯୁକ୍ତି କରିବା ସମୀଚୀନ ହେବନାହିଁ ବୋଲି ଅନେକ ମତ ଦିଅନ୍ତି। ତଥାପି, କୋଭିଡ-୧୯ ଜନିତ ଲକ୍‌ଡାଉନ୍‌ ସମୟରେ ଶ୍ରୀ ସିଂହଭିଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି।

ସମ୍ବନ୍ଧିତ ଖବର