ଡିସଚାର୍ଜକୁ ନେଇ ବିବାଦ : ଏମ୍‌ସରେ ଲାଲୁ ସମର୍ଥକଙ୍କ ଗଣ୍ଡଗୋଳ, ଥାନାରେ ଏତଲା

ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲ୍‌ଦଣ୍ଡ ଭୋଗୁଥିବା ଲାଲୁ ପ୍ରସାଦ ଯାଦବ ଏବେ ଅସୁସ୍ଥତା ହେତୁ ଚିକିତ୍ସାଧୀନ ଅଛନ୍ତି। ଗତ କିଛିଦିନ ହେଲା ଏମ୍ସରେ ଚିକିତ୍ସିତ ହେଉଥିବା ଲାଲୁଙ୍କୁ  ଏମ୍ସ କର୍ତ୍ତୃପକ୍ଷ ଦିଲ୍ଲୀରୁ ରାଞ୍ଚି ସ୍ଥିତ ରିମ୍ସ (ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସ)କୁ ପଠାଇ ଦେଇଛନ୍ତି। ଆରଜେଡି ସୁପ୍ରିମୋ ଲାଲୁ  ପ୍ରାରମ୍ଭରେ ଏମ୍ସ ନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ ଯେ, ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନଆସିବା ପର୍ଯ୍ୟନ୍ତ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରା ନଯାଉ। କିନ୍ତୁ ଏମ୍ସ ମେଡିକାଲ୍‌ ବୋର୍ଡ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଅଛି ବୋଲି ଜଣାଇବା ପରେ ତାଙ୍କୁ ଏମ୍ସରୁ ରିମ୍ସକୁ ସ୍ଥାନାନ୍ତରିତ କରାଯାଇଛି। ଲାଲୁ କିନ୍ତୁ ଏହାକୁ ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି।

କୌଣସି ସୁବିଧା ସୁଯୋଗ ନଥିବା ଏକ ଡାକ୍ତରଖାନାକୁ ତାଙ୍କୁ ଚିକିତ୍ସା ପାଇଁ ପଠାଯାଉଛି ଏବଂ ଏହା ତାଙ୍କ ବିରୋଧରେ ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିବାରୁ ତାଙ୍କୁ ଏମ୍ସରୁ ରିମ୍ସ ପର୍ଯ୍ୟନ୍ତ ୧୬ ଘଣ୍ଟାର ଯାତ୍ରା ପାଇଁ ଆଦୌ ବାଧ୍ୟ କରିବା ଉଚିତ୍‌ ନୁହେଁ। ଯଦି ତାଙ୍କ ଜୀବନ ପ୍ରତି କିଛି ବିପଦ ଦେଖାଦିଏ ତେବେ ଏଥିଲାଗି କେବଳ ଏମ୍ସ କର୍ତ୍ତୃପକ୍ଷ ହିଁ ଦାୟୀ ରହିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଲାଲୁଙ୍କୁ ଏମ୍ସରୁ ଡିସଚାର୍ଜକୁ ବିରୋଧ କରି ଆଜି ତାଙ୍କର ଅନେକ ସମର୍ଥକ ଏମ୍ସ ପରିସରରେ ବିଶୃଙ୍ଖଳା ଘଟାଇ ଭଙ୍ଗାରୁଜା କରିଛନ୍ତି। ଏମ୍ସ ପକ୍ଷରୁ ମଧ୍ୟ ଏନେଇ ଦିଲ୍ଲୀ ପୁଲିସ୍‌ରେ ଏକ ଏତଲା ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ ବିର୍ସା ମୁଣ୍ଡା ଜେଲ୍‌ରେ ଜେଲ୍‌ ଦଣ୍ଡ ଭୋଗୁଥିବା ଲାଲୁଙ୍କୁ ଗତ ମାର୍ଚ୍ଚ ୧୭ ତାରିଖରେ ରିମ୍ସରେ ଭର୍ତ୍ତି କରାଯାଇଥିଲା। ଏହାପରେ ଉତ୍ତମ ଚିକିତ୍ସା ପାଇଁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଅନୁମତି ଦେବାପରେ ସେ ମାର୍ଚ୍ଚ ୨୯ ତାରିଖରେ ଏମ୍ସରେ ଭର୍ତ୍ତି ହୋଇଥିଲେ।

ସମ୍ବନ୍ଧିତ ଖବର