୨୦ ମାସ ପୂର୍ବରୁ ସଂସଦକୁ ଭାଙ୍ଗିଦେବା ଅସାମ୍ବିଧାନିକ : ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ବେଆଇନ ଘୋଷଣା କଲେ ସୁପ୍ରିମକୋର୍ଟ 

କଲମ୍ବୋ :  ଧାର୍ଯ୍ୟ ସମୟ ପୂର୍ବରୁ ଶ୍ରୀଲଙ୍କାର ସଂସଦକୁ ଭାଙ୍ଗିଦେବା ବେଆଇନ ବୋଲି ଶ୍ରୀଲଙ୍କାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ୨୦ ମାସ ପୂର୍ବରୁ ସଂସଦକୁ ଭାଙ୍ଗିଦେବା ଅସାମ୍ବିଧାନିକ ବୋଲି କୋର୍ଟ କହିଛନ୍ତି । ଏକ ସାତ ଜଣିଆ ସାମ୍ବିଧାନିକ ବେଞ୍ଚ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏହା ଫଳରେ ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନାଙ୍କୁ ଡବଲ ଧକ୍କା ଲାଗିଛି । କାରଣ ଗତକାଲି ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେ ସଂସଦରେ ନଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିସାରିଛନ୍ତି ।

ଗତ ମାସରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ବରଖାସ୍ତ ଓ ସଂସଦକୁ ଭାଙ୍ଗିଦେବାକୁ ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ଦେଇଥିବା ନିର୍ଦ୍ଦେଶକୁ ବେଆଇନ ଘୋଷଣା କରଥିଲେ ଶ୍ରୀଲଙ୍କାର ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଲନିନ ପରେରାଙ୍କ ଅଧ୍ୟକ୍ଷତାରେ ଥିବା ତିନିଜଣିଆ ବେଞ୍ଚ ଏହି ରାୟ ଶୁଣାଇଥିଲେ । ରାଷ୍ଟ୍ରପତି ସିରିସେନାଙ୍କ ଏହି ନିଷ୍ପତ୍ତି ବିରୋଧରେ ଓ୍ଵିକ୍ରମସିଂଘେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବାବେଳେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଗତ ଅକ୍ଟୋବର ୨୬ରେ ରାଷ୍ଟ୍ରପତି ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିବାସହ ବିବାଦୀୟ ଭାବେ ପୂର୍ବତନ ରାଷ୍ଟ୍ରପତି ମହିନ୍ଦ୍ରା ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଥିଲେ । ଏହାକୁ ନେଇ ଦେଶରେ ସାମ୍ବିଧାନିକ ସଂକଟ ଦେଖାଦେଇଥିଲା । ବହୁମତ ସାବ୍ୟସ୍ତ ନ କରିବା ପର୍ଯ୍ୟନ୍ତ ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ମାନିବାକୁ ବାଚସ୍ପତି ମନା କରିଦେଇଥିଲେ । ଏବେ ସୁପ୍ରିମକୋର୍ଟଙ୍କ ରାୟ ପରେ ସ୍ଥିତିରେ ନାଟକୀୟ ମୋଡ ଆସିଛି ।

 

ସମ୍ବନ୍ଧିତ ଖବର