ଡିଏନ୍‌ଏ ରିପୋର୍ଟରେ ଫସିଗଲେ :୬୦୦ କୋଟିର କାରବାର ପ୍ରଭାବିତ ହେବ

ହାଇଦ୍ରାବାଦ: ଡିଏନ୍‌ଏ ରିପୋର୍ଟ କାରଣରୁ ହିଁ ସଲମାନ ଖାନ୍‌ କୃଷ୍ଣସାର ମୃଗ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ସଲମାନଙ୍କ ଦ୍ୱାରା ଶିକାର ହୋଇଥିବା ଉକ୍ତ ମୃଗର ଡିଏନ୍‌ଏ ଦୀର୍ଘ ୨୦ ବର୍ଷ ପରେ ବଲିଉଡ ଷ୍ଟାର ସଲମାନଙ୍କୁ ଏହି ମାମଲାରେ ଫସାଇ ଦେଇଛି। ମୃତ ମୃଗର ନମୂନା ପରୀକ୍ଷଣ ପାଇଁ ହାଇଦ୍ରାବାଦର ସେଣ୍ଟର ଫର ଡିଏନ୍‌ଏ ଫିଙ୍ଗରପ୍ରିଣ୍ଟିଂ ଆଣ୍ଡ ଡାଏଗ୍ନୋଷ୍ଟିକ୍‌ ସେଣ୍ଟରକୁ ଯାଇଥିବା ବେଳେ ୨୦୧୫ ମସିହାରେ ଜି ବି ରାଓ ଏହାର ପରୀକ୍ଷା କରି ରିପୋର୍ଟ ଦାଖଲ କରିଥିଲେ। ୧୯୯୮ର ଏହି ମୃଗ ଶିକାର ପରେ ସେହିସ୍ଥାନର ବନ ସଂରକ୍ଷକ ମୃତଦେହକୁ ପୋତି ଦେଇଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ମୃଗର ହାଡ଼ ଓ ଦେହାବଶେଷକୁ ନେଇ ଡିଏନ୍‌ଏ ପରୀକ୍ଷା କରାଯାଇଥିଲା। ଏଥିରୁ ଗୁଳିମାଡ଼ ସଂକ୍ରାନ୍ତ ତଥ୍ୟ ଏବଂ ମରିବା ସମୟ ଜଣାପଡ଼ିଯାଇଥିଲା।

ନୂଆଦିଲ୍ଲୀ : ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ଙ୍କୁ ଜେଲ୍‌ଦଣ୍ଡ ହେବାଦ୍ୱାରା ଫିଲ୍ମ ବ୍ୟବସାୟରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ। ସଲ୍‌ମାନଙ୍କ ଜାମିନ ଅଗ୍ରାହ୍ୟ ହେଲେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟ ୬୦୦ କୋଟି ଟଙ୍କାର କାରବାର ପ୍ରଭାବିତ ହେବ। ଏହାଦ୍ୱାରା ୩ଟି ପ୍ରମୁଖ ଚଳଚ୍ଚିତ୍ର ପ୍ରକଳ୍ପ ଉପରେ ସିଧାସଳଖ ପ୍ରଭାବ ପଡ଼ିବ। ୫୨ ବର୍ଷୀୟ ସଲମାନ୍‌ ଏବେ ‘ରେସ୍‌ ଥ୍ରି’ ସୁଟିଂରେ ଥିଲେ, କିନ୍ତୁ ସୁଟିଂ ସମ୍ପୂର୍ଣ୍ଣ ହୋଇଛି କି ନାହିଁ ଜଣାପଡ଼ିନି। ଏହି ଫିଲ୍ମଟି ଜୁନ୍‌ ମାସରେ ମୁକ୍ତିଲାଭ କରିବାକୁ ଧାର୍ଯ୍ୟ ହୋଇଛି । ତେବେ ‘କିକ୍‌ ୨’, ‘ଦବଙ୍ଗ ଥ୍ରି’ ଏବଂ ‘ଭାରତ’ର ସୁଟିଂ ଆରମ୍ଭ ହୋଇନଥିବାରୁ ଏଥିରେ ଆର୍ଥିକ କ୍ଷତି ହେବନାହିିଁ ବୋଲି କୁହାଯାଉଛି। କିନ୍ତୁ ସଲମାନ୍‌ଙ୍କୁ ଜେଲ୍‌ ଦଣ୍ଡ ହେବା ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ଼ ଧରଣର କ୍ଷତି ବୋଲି ବାଣିଜ୍ୟ ସମୀକ୍ଷକ କୋମଲ ନେହତା କହିଛନ୍ତି। ରେସ୍‌ ଥ୍ରିରେ ପ୍ରାୟ ୧୫୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ତେବେ ଅନ୍ୟ ସବୁ ଫିଲ୍ମଗୁଡ଼ିକ ପାଇଁ ଅର୍ଥ ବିନିଯୋଗ ହୋଇନଥିଲେ ମଧ୍ୟ ସୁଟିଂ ପାଇଁ ବ୍ୟାପକ ଯୋଜନା ହୋଇଥିଲା। ଏପ୍ରିଲ ୫ ତାରିଖର ରାୟକୁ ନଜରରେ ରଖି ସଲମାନ୍‌ ଅନ୍ୟ କୌଣସି ଫିଲ୍ମ ଆରମ୍ଭ କରିନାହାନ୍ତି ବୋଲି କୁହାଯାଉଛି। ନିକଟରେ ସଲମାନଙ୍କ ବିଭିନ୍ନ ଚଳଚ୍ଚିତ୍ର ଅତି କମ୍‌ରେ ୨୦୦ କୋଟି ଟଙ୍କା ଲେଖାଏଁ ଆୟ କରିଛି।

ସମ୍ବନ୍ଧିତ ଖବର