ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ : ସ୍ୱଚ୍ଛଳ ଏସ୍‌ସି/ଏସ୍‌ଟି କର୍ମଚାରୀଙ୍କର ସମ୍ପର୍କୀୟଙ୍କ ପଦୋନ୍ନତିରେ ସଂରକ୍ଷଣ କେତେ ଜରୁରୀ

ନୂଆଦିଲ୍ଲୀ : ସ୍ୱଚ୍ଛଳ ଏସ୍‌ସି/ଏସ୍‌ଟି କର୍ମଚାରୀଙ୍କ ସମ୍ପର୍କୀୟଙ୍କର ପଦୋନ୍ନତିରେ ସଂରକ୍ଷଣକୁ ନେଇ ଆଜି ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଯେଉଁ ଅନୁସୂଚିତ ଜାତି/ଜନଜାତି ବର୍ଗର ଉଚ୍ଚ ପଦସ୍ଥ କର୍ମଚାରୀ ରହିଛନ୍ତି, ସେମାନଙ୍କ ସମ୍ପର୍କୀୟଙ୍କ ସରକାରୀ କ୍ଷେତ୍ରରେ ପଦୋନ୍ନତି ପାଇଁ କୋଟାର ବ୍ୟବହାର କେତେଦୂର ଯଥାର୍ଥ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, ପ୍ରାଥମିକ ସ୍ତରରେ ସଂରକ୍ଷଣରେ କୌଣସି ଅସୁବିଧା ନାହିଁ। କିନ୍ତୁ ଜଣେ ବ୍ୟକ୍ତିି ଯଦି ସଂରକ୍ଷଣ ଯୋଗୁଁ ରାଜ୍ୟର ମୁଖ୍ୟ ଶାସନ ସଚିବ ହୋଇଯିବେ, ତେବେ ମଧ୍ୟ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ପଦୋନ୍ନତିରେ ଏଭଳି ସଂରକ୍ଷଣ ଦିଆଯିବା ଠିକ୍‌ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ଏସ୍‌ସି/ଏସ୍‌ଟି ବର୍ଗର ବ୍ୟକ୍ତିଙ୍କୁ ଚାକିରି କ୍ଷେତ୍ରରେ ପଦୋନ୍ନତି ନିମନ୍ତେ ସଂରକ୍ଷଣର ଆବଶ୍ୟକତାକୁ ନେଇ ଚାଲିଥିବା ଏକ ମାମଲାରେ ସୁପ୍ରିମକୋର୍ଟ ଏଭଳି ଆଭିମୁଖ୍ୟ ପୋଷଣ କରିଛନ୍ତି। ଆଜିର ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ, ଅତିରିକ୍ତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ଅଗଷ୍ଟ ୨୯ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସମ୍ବନ୍ଧିତ ଖବର