ଏମସ ଛାଡି କ୍ଲିନିକ ଖୋଲିବାରେ ବ୍ୟସ୍ତ ଡାକ୍ତର, ୨୬ ଡାକ୍ତର ଦେଲେଣି ଇସ୍ତଫା!

ନୂଆଦିଲ୍ଲୀ: ବ୍ୟକ୍ତିଗତ କାରଣ ଦର୍ଶାଇ ଚାକିରି ଛାଡିବାରେ ଲାଗିଛନ୍ତି ଡାକ୍ତର | ଦେଶର ବଡ ସରକାରୀ ଡାକ୍ତରଖାନା ଏମସର ଅନେକ ବିଭାଗରୁ ବର୍ଷକ ମଧ୍ୟରେ ୧୦ ଜଣ ଡାକ୍ତର ଚାକିରି ଛାଡିସାରିଲେଣି | କୁହାଯାଉଛି ନିଜସ୍ୱ କ୍ଲିନିକ ପାଇଁ ଏହି ଡାକ୍ତରମାନେ ଏମସ ଭଳି ଡାକ୍ତରଖାନାକୁ ବାୟ ବାୟ କରିସାରିଲେଣି | ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କିଛି ଏଭଳି ତଥ୍ୟ ଦିଆଯାଇଛି |

    Image Source: ANIdoctor

ଡାକ୍ତରମାନେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଉଥିବାବେଳେ ସରକାରୀ ଡାକ୍ତରଖାନାରେ କାର୍ଯ୍ୟଶୈଳୀ ସେମାନଙ୍କୁ ପସନ୍ଦ ଆସୁନଥିବାର କୁହାଯାଉଛି | ଲୋକସଭାରେ ଉତ୍ତର ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅଶ୍ୱିନୀ କୁମାର ଚୋବେ କହିଛନ୍ତି ଯେ ଗତ ବର୍ଷକ ମଧ୍ୟରେ ନୂଆଦିଲ୍ଲୀ ଏମସର ୧୦ ଜଣ, ସଫଦରଗଞ୍ଜ ଡାକ୍ତରଖାନା ଓ ବର୍ଦ୍ଧମାନ ମେଡିକାଲ କଲେଜର ୧୫ ଜଣ ଡାକ୍ତର ଇସ୍ତଫା ଦେଇଛନ୍ତି |

ସେହିପରି ଡା. ରାମ ମନୋହର ଲୋହିଆ ହସ୍ପିଟାଲର ଜଣେ ଡାକ୍ତର ଇସ୍ତଫା ଦେଇଛନ୍ତି | ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଅନୁସାରେ ଦରମା ଦିଆଯାଉଥିବାବେଳେ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଡାକ୍ତରମାନେ ଇସ୍ତଫା ଦେଇଛନ୍ତି |

ସମ୍ବନ୍ଧିତ ଖବର