ଡାକ୍ତର ଧର୍ମଘଟ ପ୍ରତ୍ୟାହୃତ

0

କୋଲକାତା : ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆଲୋଚନା ପରେ କନିଷ୍ଠ ଡାକ୍ତରମାନେ ଧର୍ମଘଟ ପ୍ରତ୍ୟାହାର କରି ନେଇଛନ୍ତି। ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମମତା ଡାକ୍ତରମାନଙ୍କ ସୁରକ୍ଷା ପାଇଁ ଅନେକ କାର୍ଯ୍ୟ କରିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟରେ ସଂଶୋଧନ ଆଣିବା ଲାଗି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଧାନସଭାର ଆସନ୍ତା ଅଧିବେଶନରେ ଏ ସଂକ୍ରାନ୍ତରେ ବିଲ୍ ଆଗତ ହେବ। ଦାୟିତ୍ବରେ ଥିବା ସମୟରେ ଆକ୍ରମଣରେ କୌଣସି ଡାକ୍ତରଙ୍କ ମୃତ୍ୟୁ ହେଲେ ତାଙ୍କର ନିକଟ ସମ୍ପର୍କୀୟଙ୍କୁ ସରକାର ଚାକିରି ଯୋଗାଇ ଦେବେ ବୋଲି ମଧ୍ୟ ମମତା କହିଛନ୍ତି। ପଶ୍ଚିମବଙ୍ଗର ସମସ୍ତ ସରକାରୀ ଡାକ୍ତରଖାନାରେ ସୁରକ୍ଷାକୁ ବଢ଼ାଇ ଦିଆଯିବ। ଏଥିସହିତ ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ସ୍ଥାପନ ପାଇଁ ମମତା ନିର୍ଦେଶ ଦେଇଛନ୍ତି। ଆନ୍ଦୋଳନରତ କନିଷ୍ଠ ଡାକ୍ତରଙ୍କ ପ୍ରସ୍ତାବ କ୍ରମେ ଏହି ପ୍ରକୋଷ୍ଠ ଖୋଲାଯିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। କର୍ମସ୍ଥଳରେ ଆମେମାନେ ନିଜକୁ ଭୟଭୀତ ମନେ କରୁଛୁ। ସେଥିପାଇଁ ଏନ୍‌ଆର୍‌ଏସ୍‌ର ଡାକ୍ତରମାନଙ୍କୁ ଯେଉଁମାନେ ଆକ୍ରମଣ କରିଛନ୍ତି ସେମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ ବୋଲି ଡାକ୍ତରମାନେ ଆଜି ମମତାଙ୍କ ସହ ଆଲୋଚନାବେଳେ ଦାବି କରିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ କହିଥିଲେ ଏନ୍‌ଆର୍‌ଏସ୍‌ ଡାକ୍ତରଖାନାରେ ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇଛି। ଏହି ଘଟଣା ସହ ସଂଶ୍ଳିଷ୍ଟ ୫ ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀ କୋଲକାତା ପୁଲିସ କମିସନର ଅନୁଜ ଶର୍ମାଙ୍କୁ ପ୍ରତ୍ୟେକ ଡାକ୍ତରଖାନାରେ ଜଣେ ନୋଡାଲ ପୁଲିସ ଅଧିକାରୀଙ୍କୁ ମୁତୟନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତର ପ୍ରତିନିଧିମାନଙ୍କ ସହିତ ମମତା ଆଜି ନବାନ୍ନରେ ଆଲୋଚନା କରିଥିଲେ। କୌଣସି ଡାକ୍ତରଙ୍କ ବିରୋଧରେ ମାମଲା ହୋଇନାହିଁ ବୋଲି ଆଲୋଚନା ସମୟରେ ଆନ୍ଦୋଳନରତ ଡାକ୍ତରମାନଙ୍କୁ ମମତା ସୂଚନା ଦେଇଥିଲେ।

ସଚିବାଳୟ ପରିସରରେ ଆୟୋଜିତ ଏହି ବୈଠକକୁ ମାତ୍ର ଦୁଇଟି ଆଞ୍ଚଳିକ ନ୍ୟୁଜ ଚ୍ୟାନେଲକୁ ଖବର ସଂଗ୍ରହ ପାଇଁ ଅନୁମତି ଦିଆଯାଇଥିଲା। ଆଲୋଚନା ସମୟରେ କନିଷ୍ଠ ଡାକ୍ତରମାନେ ଡାକ୍ତରଖାନା ଏବଂ ମେଡିକାଲ କଲେଜରେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ବୈଠକରେ ପୁଲିସ ମହାନିର୍ଦ୍ଦେଶକ, ପୁଲିସ କମିସନର, ସ୍ବାସ୍ଥ୍ୟ ସଚିବ, ଅତିରିକ୍ତ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଏନଆରଏସଏମସିଏଚର ଏକ ୩୧ ଜଣିଆ କନିଷ୍ଠ ଡାକ୍ତର ଆଲୋଚନାକୁ ଯାଇଥିଲେ। ଧର୍ମଘଟ ପ୍ରତ୍ୟାହୃତ ହେବା ପରେ କନିଷ୍ଠ ଡାକ୍ତରମାନେ ଖୁସିରେ ଉତ୍ସବ ମନାଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.