ରାସ୍ତାରେ କାହିଁକି ଶବ ବ୍ୟବଚ୍ଛେଦ କଲେ ଡାକ୍ତର

ବାରମର: ରାଜସ୍ତାନର ବାରମର ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରମାନେ ଦୁର୍ଘଟନାରେ ପ୍ରାଣ ହରାଇଥିବା ଦୁଇଜଣଙ୍କ ଶବ ରାସ୍ତାକଡ଼ରେ ବ୍ୟବଚ୍ଛେଦ କରି ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦର ସରବ୍ୟ ହୋଇଛନ୍ତି। କିନ୍ତୁ ସ୍ୱାସ୍ଥ୍ୟ ଅଧିକାରୀମାନେ କହୁଛନ୍ତି କି, ପରିବାର ଲୋକଙ୍କ ଅନୁରୋଧକ୍ରମେ ମାନବୀୟ ଦୃଷ୍ଟିକୋଣରୁ ତାହା କରାଯାଇଛି। ଏହାର କାରଣ ୧୦୦ କିଲୋମିଟର୍‌ ମଧ୍ୟରେ ଶବାଗାରଟିଏ ନାହିଁ।

ପୁଲିସ କହିବା ଅନୁସାରେ, ବାରମର ଅନ୍ତର୍ଗତ ଗଦରା ରୋଡ୍‌ରେ ବାସ କରୁଥିବା ୩୦ ବର୍ଷୀୟ ମାୟା କନ୍‌ଓ୍ଵାର୍‌ ମଙ୍ଗଳବାର ଦିନ ଘରଛାତ ଉପରେ ଥିବା ଲୁହା ତାରରେ ଲୁଗା ଶୁଖାଇବା ବେଳେ ବିଜୁଳି ତାର ସଂସ୍ପର୍ଶରେ ଆସିଥିଲେ। ତାଙ୍କ ଚିତ୍କାର ଶୁଣି ଶାଶୂ ରାଜ ଦେବୀ ଏବଂ ଶ୍ୱଶୁର ପଦମ ସିଂହ ତାଙ୍କୁ ବଞ୍ଚାଇବାକୁ ଧାଇଁ ଯାଇ ବିଜୁଳି ଆଘାତ ପାଇଥିଲେ।

ତିନି ଜଣଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଗଲା, କିନ୍ତୁ ସେତେବେଳକୁ ଶାଶୂ ବୋହୂ ଦୁହେଁ ମରି ସାରିଥିଲେ। ଶ୍ୱଶୁରଙ୍କୁ ଚିକିତ୍ସା ପାଇଁ ବାରମର ଡାକ୍ତରଖାନା ପଠାଯାଇଥିଲା।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନେ ବୁଧବାର ଦିନ କେନ୍ଦ୍ର ବାହାରେ ଶବ ବ୍ୟବଚ୍ଛେଦ କରିଥିଲେ। ବାରମର୍‌ର ମୁଖ୍ୟ ଚିକିତ୍ସା ଅଧିକାରୀ କହନ୍ତି: ବାରମର ଓ ଗଦରା ରୋଡ୍‌ ମଧ୍ୟସ୍ଥ ୧୦୦ କିଲୋମିଟର୍‌ ଭିତରେ ଶବାଗାର ନାହିଁ। ପୁଲିସ ଏବଂ ପରିବାର ସଦସ୍ୟଙ୍କ ଅନୁରୋଧକ୍ରମେ ଡାକ୍ତରମାନେ ମାନବୀୟ ଦୃଷ୍ଟିକୋଣରୁ ଶବ ବ୍ୟବଚ୍ଛେଦ କରିଥିଲେ। ବ୍ୟବଚ୍ଛେଦ ସମୟରେ ପ୍ରୋଟୋକଲ୍‌ ଅନୁସରଣ କରାଯାଇଛି।

ସ୍ୱାସ୍ଥ୍ୟ ବିଭାଗ କଥାରେ ଗଦରା ରୋଡ୍‌ର ବାସିନ୍ଦାମାନେ ଅସନ୍ତୁଷ୍ଟ। ମୁନୁରାମ ମେଘଓ୍ଵାଲ୍‌ କହନ୍ତି: ଏହା ଯଥାର୍ଥ ନୁହେଁ; ଏଇଟା ପ୍ରଥମ ଘଟନା ନୁହେଁ। ଏଠି ଡାକ୍ତରମାନେ ଏମିତି ଶବ ବ୍ୟବଚ୍ଛେଦ କରନ୍ତି; ଏଇଟା ବଡ଼ ଦୁଃଖର ବିଷୟ।

ସମ୍ବନ୍ଧିତ ଖବର