ପଶ୍ଚିମବଙ୍ଗରେ ଆକ୍ରମଣର ପ୍ରତିବାଦ : ଆଜି ଦେଶବ୍ୟାପୀ ଡାକ୍ତର ଧର୍ମଘଟ

‌ନୂଆଦିଲ୍ଲୀ : ପଶ୍ଚିମବଂଗରେ ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦରେ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ସୋମବାର ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛି ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ (ଆଇଏମ୍‌ଏ)। ଏହି ଧର୍ମଘଟ ସମୟରେ ସମସ୍ତ ଅଣଜରୁରୀ ସେବା ବନ୍ଦ ରହିବ ଏବଂ ହସ୍ପିଟାଲଗୁଡ଼ିକରେ ସକାଳ ୬ଟାରୁ ଓପିଡି ମଧ୍ୟ ବନ୍ଦ ରହିବ ବୋଲି କୁହାଯାଇଛି। ଏହା ବ୍ୟତୀତ ଭାରତୀୟ ଚିକିତ୍ସକ ସଂଘର ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ବଡ଼ ଧରଣର ଧାରଣା ଅନୁଷ୍ଠିତ ହେବ।

ଆଇଏମ୍‌ଏର ଜାତୀୟ ସଭାପତି ରାଜନ ଶର୍ମା କହିଛନ୍ତି, ପ୍ରଥମ ଥର ପାଇଁ କର୍ପୋରେଟ୍‌ ହସ୍ପିଟାଲ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଦେଶରେ ଡାକ୍ତରଙ୍କ ସୁରକ୍ଷା ସ୍ଥିତିରେ ଦିନକୁ ଦିନ ଅବନତି ଘଟୁଥିବାରୁ ଦେଶବ୍ୟାପୀ ଆନ୍ଦୋଳନ ପାଇଁ ସଂଘ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଗତକାଲି ସମସ୍ତ ରାଜ୍ୟକୁ ପତ୍ର ଲେଖି ଡାକ୍ତର ଏବଂ ହସ୍ପିଟାଲର ସୁରକ୍ଷା କ୍ଷେତ୍ରରେ କଠୋର ଆଇନ ଲାଗୁ କରିବାକୁ କହିଛନ୍ତି। ତେବେ କେନ୍ଦ୍ର ସରକାର ମଧ୍ୟ ଡାକ୍ତରଙ୍କ ସୁରକ୍ଷା ପାଇଁ ଜାତୀୟସ୍ତରରେ ଆଇନ ପ୍ରଣୟନ କରିବାକୁ ଆଇଏମ୍‌ଏ ଦାବି କରିଛି।

ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀମାନେ ହସ୍ପିଟାଲରେ ଆଉ ସୁରକ୍ଷିତ ନ ଥିବାରୁ ଏ ଦିଗରେ ସରକାର ତତ୍ପରତା ଦେଖାଇ ପଦକ୍ଷେପ ନେବା ଜରୁରୀ ବୋଲି କୁହାଯାଇଛି। ଆଇଏମ୍‌ଏ ପକ୍ଷରୁ ଏ ନେଇ ଏକ ଦାବିପତ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଦାନ କରାଯାଇଛି। ହସ୍ପିଟାଲଗୁଡ଼ିକୁ ‘ନିରାପଦ ଅଂଚଳ’ ଭାବେ ଘୋଷଣା କରି ଏହାର ସୁରକ୍ଷା ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସରକାର ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଆଇଏମ୍‌ଏ ପ୍ରସ୍ତାବ ଦେଇଛି।

ପଶ୍ଚିମବଂଗ ପ୍ରସଙ୍ଗରେ ଆଇଏମ୍‌ଏ କହିଛି ଯେ ସେଠାରେ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ସ୍ଥିତି ଅଣାୟତ୍ତ ହୋଇଛି ଏବଂ ଡାକ୍ତରମାନେ ଆଉ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଡାକ୍ତରଙ୍କ ଉପରେ ଘାତକ ଆକ୍ରମଣ ପରେ ମଧ୍ୟ ମମତା ସରକାର ସୁରକ୍ଷା ବାବଦରେ ଯେଉଁଭଳି ପଦକ୍ଷେପ ଗ୍ରହଣ କରିବା କଥା ତାହା କରିନାହାନ୍ତି। ପଶ୍ଚିମବଂଗରେ କୌଣସି ହସ୍ପିଟାଲରେ ମଧ୍ୟ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ସୁରକ୍ଷିତ ନଥିବାରୁ ଏହା ଗମ୍ଭୀର ସଙ୍କଟ ସୃଷ୍ଟି କରିଛି ବୋଲି ଆଇଏମ୍‌ଏ କହିଛି।

ସମ୍ବନ୍ଧିତ ଖବର