ମୋବାଇଲ୍‌ ବିସ୍ଫୋରଣରେ ନଷ୍ଟ ହୋଇଯାଇଥିବା ୟେମିନ୍‌ ଯୁବକଙ୍କ ଓଠ ତିଆରି କଲେ ଦିଲ୍ଲୀ ଡାକ୍ତର

ନୂଆଦିଲ୍ଲୀ: ବର୍ଷେ ତଳେ ମୋବାଇଲ୍‌ ଫୋନ୍‌ ବିସ୍ଫୋରଣ ଯୋଗୁ ନଷ୍ଟ ହୋଇଯାଇଥିବା ଜଣେ ଯୁବକଙ୍କ ଓଠକୁ ଦିଲ୍ଲୀ ଡାକ୍ତରମାନେ ପୁଣି ଥରେ ତିଆରି କରିଦେଇଛନ୍ତି। ବର୍ଷେ ତଳେ ୟେମେନ୍‌ ଦେଶର ସେ ୨୬ ବର୍ଷିୟ ଯୁବକ ପାଟିରେ ମୋବାଇଲ୍‌ ଫୋନ୍‌ଟିକୁ କାମୁଡ଼ି ଧରି କାମ କରୁଥିଲେ। ସେତିକି ବେଳେ ଫୋନ୍‌ଟି ଫାଟିଯାଇଥିଲା।
ଏହି ଦୁର୍ଘଟଣା ପରେ ଯୁବକଜଣକ ଠିକ୍‌ ଭାବେ ଖାଇ ପାରୁ ନ ଥିଲେ। ସ୍ପଷ୍ଟ ଭାବେ କଥା ମଧ୍ୟ କହି ପାରୁ ନ ଥିଲେ। ତାଙ୍କର ଜିଭ ଓ ଚିବୁକ ମଧ୍ୟ ନଷ୍ଟ ହୋଇଥିଲା।
ସପ୍ତାହେ ତଳେ ଅସ୍ତ୍ରୋପଚାର କରି ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ଥିବା କେଏଏସ୍‌ ମେଡିକାଲ୍‌ ସେଣ୍ଟର୍‌ର ଡାକ୍ତରମାନେ ତାଙ୍କର ଓଠକୁ ଠିକ୍‌ କରିଛନ୍ତି।
ଚିବୁକରୁ ଫ୍ଲାପ୍‌ ଟିସୁ କାଢ଼ି ଡାକ୍ତରମାନେ ତାଙ୍କ ମୁଖ ଗହ୍ଵରର ଓ ଓଠର ଧାର ତିଆରି କରିଥିଲେ। ପେଟରୁ ଚର୍ବି ଟିସୁ ସଂଗ୍ରହ କରି ତାଙ୍କର ଓଠ ତିଆରି କରାଗଲା। ଫଳରେ ତାଙ୍କର ଓଠଟି ଏବେ ସ୍ୱାଭାବିକ ଓଠ ଭଳି ଦିଶୁଛି।
ବିସ୍ଫୋରଣ ଯୋଗୁଁ ତାଙ୍କ ମୁହଁର ଲୋମ ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଥିଲା। ଗ୍ରାଫ୍‌ଟିଙ୍ଗ୍‌ ପଦ୍ଧତିରେ ଡାକ୍ତରମାନେ ତାଙ୍କ ମୁହଁରେ ଲୋମ ରୋପଣ କରିଛନ୍ତି।
ଏବେ ସେ ଯୁବକ ଅନ୍ୟମାନଙ୍କ ଭଳି ଖାଇବା ପିଇବା କରିବା ସହ ସ୍ପଷ୍ଟ ଭାବେ କଥା ମଧ୍ୟ କହିପାରୁଛନ୍ତି।

ସମ୍ବନ୍ଧିତ ଖବର