ତେଜିଲା ଡାକ୍ତର ଆନ୍ଦୋଳନ : ୩୦୦ରୁ ଅଧିକ ଡାକ୍ତରଙ୍କ ଇସ୍ତଫା

ମମତାଙ୍କଠାରୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବି, କଠୋର ସୁରକ୍ଷା ଆଇନ ଲାଗୁ ହେଉ: ଆଇଏମ୍ଏ

ନୂଆଦିଲ୍ଲୀ/କୋଲକାତା : କୋଲକାତାରେ ଡାକ୍ତରଙ୍କ ଉପରେ ଆକ୍ରମଣର ପ୍ରତିବାଦରେ ପଶ୍ଚିମବଂଗରେ ଚାଲିଥିବା ଡାକ୍ତର ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି। ଆଜି ଏହି ଆନ୍ଦୋଳନ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିଛି। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମୁମ୍ବାଇ, ନାଗପୁର, ପାଟନା, ହାଇଦ୍ରାବାଦ, ବାରଣାସୀ ଆଦି ସହରରେ ଡାକ୍ତରଙ୍କ ଧର୍ମଘଟ ଯୋଗୁଁ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି।

ଏହା ବ୍ୟତୀତ ଡାକ୍ତରଙ୍କ ବିରୋଧରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଷୋଦ୍‌ଗାର ଏବଂ ଆକ୍ରୋଶମୂଳକ କାର୍ଯ୍ୟ ପ୍ରତିବାଦରେ ଆଜି ସନ୍ଧ୍ୟା ସୁଦ୍ଧା ୩୦୦ରୁ ଅଧିକ ଡାକ୍ତର ଇସ୍ତଫା ଦେଇସାରିଲେଣି। ତେଣୁ ମମତା ହସ୍ପିଟାଲ ଆସି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ଆନ୍ଦୋଳନରତ ଡାକ୍ତରମାନେ ଅଡ଼ି ବସିଛନ୍ତି। ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ (ଆଇଏମ୍‌ଏ) ମଧ୍ୟ ଆସନ୍ତା ସୋମବାର ଦେଶ ବ୍ୟାପୀ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି। ଏହାଛଡ଼ା ଆଇଏମ୍‌ଏ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପତ୍ର ଲେଖି ଜାତୀୟସ୍ତରରେ ଡାକ୍ତରଙ୍କ ସୁରକ୍ଷା ପାଇଁ କଠୋର ଆଇନ ଲାଗୁ କରିବାକୁ ଦାବି କରାଯାଇଛି।

ଚାରି ଦିନ ହେଲା ଡାକ୍ତର ଆନ୍ଦୋଳନ ଯୋଗୁଁ ପଶ୍ଚିମବଙ୍ଗର ବିଭିନ୍ନ ସରକାରୀ ହସ୍ପିଟାଲରେ ନାହିଁ ନ ଥିବା ଅବସ୍ଥା ସୃଷ୍ଟି ହୋଇଛି। ହଜାର ହଜାର ରୋଗୀ ଚିକିତ୍ସା ନ ପାଇ ଫେରୁଥିବାବେଳେ ଚିକିତ୍ସା ଅଭାବରୁ କେତେକ ସ୍ଥାନରେ ରୋଗୀ ପ୍ରାଣ ମଧ୍ୟ ହରାଇଛନ୍ତି। ଏଭଳି ସ୍ଥିତି ଆନ୍ଦୋଳନରତ ଡାକ୍ତରମାନେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ସରକାରଙ୍କ ଆଗରେ ୬ ଦଫାଦାବି ରଖିଛନ୍ତି। ଏଥିରେ ମମତାଙ୍କ ନିଃସର୍ତ୍ତ ପ୍ରାର୍ଥନା ଦାବି ଅନ୍ୟତମ। କନିଷ୍ଠ ଡାକ୍ତର ଫୋରମ୍‌ର ପ୍ରବକ୍ତା ଅରିନ୍ଦମ ଦତ୍ତା କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରମାନଙ୍କ ପ୍ରତି ଯେଭଳି ରୁକ୍ଷ ମନୋଭାବ ଦେଖାଇଛନ୍ତି ଓ ଧମକ ଦେଇଛନ୍ତି ତାହା କଦାପି ଗ୍ରହଣୀୟ ନୁହେଁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଡାକ୍ତରଙ୍କୁ ନିଃସର୍ତ୍ତ କ୍ଷମା ମାଗିବା ଜରୁରୀ। ହସ୍ପିଟାଲଗୁଡ଼ିକରେ ଭିତ୍ତିଭୂମି ବିକାଶ ଦିଗରେ ମଧ୍ୟ ସରକାରଙ୍କୁ ଧ୍ୟାନ ଦେବାକୁ ପଡ଼ିବ ଏବଂ ଡାକ୍ତରଙ୍କ ସୁରକ୍ଷା ପାଇଁ ସଶସ୍ତ୍ର ସୁରକ୍ଷା କର୍ମୀ ନିୟୋଜିତ କରିବାକୁ ଦାବି କରାଯାଇଛି। ଆଜି ଆଇଏମ୍‌ଏ ପକ୍ଷରୁ ଘୋଷଣା କରାଯାଇଛି ଯେ ଡାକ୍ତରଙ୍କ ସମସ୍ୟା ସମାଧାନ ନେଇ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାନଗଲେ ଏହା ସୋମବାରଠାରୁ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବ। ଏବଂ ଏହି ଧର୍ମଘଟରେ ୪ ଲକ୍ଷ ଡାକ୍ତର ଅଂଶ ଗ୍ରହଣ କରିବେ।

ଅନ୍ୟପକ୍ଷରେ କୋଲକାତା ହାଇକୋର୍ଟ ଆଜି ଡାକ୍ତର ଆନ୍ଦୋଳନ ନେଇ କୌଣସି ରାୟ ଦେବାକୁ ମନା କରିବା ସହ ରାଜ୍ୟ ସରକାର ତୁରନ୍ତ ସମାଧାନର ପନ୍ଥା ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର