ଡାକ୍ତରଖାନା ଭିତରେ ପଶି ରୋଗୀଙ୍କ କଟା ଗୋଡ ନେଇ ବୁଲା କୁକୁର ଫେରାର୍

ପାଟନା: ମେଡିକାଲରେ ସାଧାରଣ ଭାବରେ ରୋଗୀମାନଙ୍କର ଚିକିତ୍ସାରେ ଅବହେଳା ହେଉଥିବା ନେଇ ଅନେକ ଅଭିଯୋଗ ଆସେ । କେତେ ବେଳେ ରୋଗୀଙ୍କ ଅସ୍ତ୍ରୋପଚାର ସମୟରେ ପେଟରେ ଗଜ କନା ରହିଯାଇଥାଏ ତ କେଉଁ ସମୟରେ ପେଟରେ କଇଁଚି ରହିଯିବା ଅଭିଯୋଗ ଆସିଥାଏ। ତେବେ ବର୍ତମାନ ସମୟରେ ଯେଉଁ ଅଭିଯୋଗ ଆସିଛି ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ତାହା ସତ୍ୟ । ଏପରି ଏକ ଅଭାବନୀୟ ଘଟଣାର ଖବର ଆସିଛି ବିହାରର ଏକ ମେଡିକାଲଠାରୁ। ଚିକିତ୍ସା ବେଳେ ଜଣେ ରୋଗୀଙ୍କ କଟା ଯାଇଥିବା ଗୋଡ଼କୁ କୁକୁର ନେଇ ପଳାଇଛି।

ସୂଚନାଯୋଗ୍ୟ, ଜଣେ ବ୍ୟକ୍ତି ଟ୍ରେନରେ ଚଢୁଥିବା ଖସି ଗମ୍ଭୀର ଭାବେ ଆହତ ହୋଇଥିଲେ। ଏହି ଦୁର୍ଘଟଣାଟି ବକ୍ସର ରେଳୱେ ଷ୍ଟେସନରେ ଶ୍ରମିଜୀବୀ ଏକ୍ସପ୍ରେସରେ ଚଢୁଥିବା ବେଳେ ଘଟିଛି । ଘଟଣା ପରେ ତୁରନ୍ତ ଜିଆରପି ଆହତଙ୍କୁ ସଦର ହସ୍ପିଟାଲକୁ ପହଞ୍ଚାଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଏହି ଦୁର୍ଘଟଣାରେ ଆହତଙ୍କ ଡାହାଣ ହାତ ଓ ଡାହାଣ ଗୋଡ଼ ପ୍ରାୟତଃ କଟି ଯାଇଥିଲା । ହସ୍ପିଟାଲରେ ଚିକିତ୍ସା ବେଳେ ଡାକ୍ତର କଟି ଯାଇଥିବା ଗୋଡ଼କୁ ଶରୀରରୁ ଅଲଗା କରି ଦେଇଥିଲେ। ପରେ କ୍ଷତ ସ୍ଥାନରେ ବ୍ୟାଣ୍ଡେଜ କରୁଥିଲେ।

ଏହି ସମୟରେ ଗୋଟିଏ କୁକୁର ଆସି ଉକ୍ତ କଟା ଗୋଡ଼କୁ ନେଇ ପଳାଇ ଯାଇଥିଲା । ଅନ୍ୟପକ୍ଷେ ହସ୍ପିଟାଲରେ ଚିକିତ୍ସାର ଅଭାବରୁ ଆହତଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ନାମ ରାମନାଥ ମିଶ୍ର ଓ ଆରାର ନିବାସୀ ବୋଲି ଜଣାପଡିଛି । ସେ ଆରାରୁ ବକ୍ସରକୁ ଯାଉଥିଲେ।

ସମ୍ବନ୍ଧିତ ଖବର