ଇସ୍ତଫା ଦେଲେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌, ବିଶ୍ୱ ଉତ୍ସବମୁଖର: ‘ଓ୍ଵାସିଂଟନ୍‌ ପୋଷ୍ଟ୍‍’ରେ ଏମିତି ଖବର ଯୋଗୁଁ ଆମେରିକାରେ ଝଡ଼

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଇସ୍ତଫା ଦେଇଛନ୍ତି ବୋଲି ‘ଦି ଓ୍ଵାସିଂଟନ୍‌ ପୋଷ୍ଟ୍‍’ ଖବରକାଗଜର ପ୍ରଥମ ପୃଷ୍ଠାରେ ଛଅ ସ୍ତମ୍ଭବିଶିଷ୍ଟ ଏକ ଖବର ବୁଧବାର ସକାଳେ ‘ଓ୍ଵାସିଂଟନ୍‌ ଡିସି’ ଲୋକଙ୍କୁ ବଡ଼ ଆଚମ୍ବିତ କରି ପକାଇଥିଲା। ଏଥିରେ ଲେଖାଥିଲା: ‘ଅନ୍‌ପ୍ରେସିଡେଣ୍ଟେଡ୍‌ ଟ୍ରମ୍ପ୍‌ ହାଷ୍ଟିଲି ଡିପାର୍ଟସ୍‌ ହ୍ଵାଇଟ୍‌ ହାଉସ୍‌, ଏଣ୍ଡିଙ୍ଗ୍‌ କ୍ରାଇସିସ୍‌’। ମୁଖ୍ୟ ଖବର ସହ ଥିଲା ତଳକୁ ମୁହଁ କରି ବିବ୍ରତ ଦିଶୁଥିବା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କର ଏକ ୪ ସ୍ତମ୍ଭବିଶିଷ୍ଟ ଫଟୋ।

ଖବରକାଗଜର ବାମ ପାର୍ଶ୍ୱରେ ଏକ ସ୍ତମ୍ଭବିଶିଷ୍ଟ ଏକ ଲମ୍ବା ଖବର ଛାପା ଯାଇଛି। ଏହାର ଶୀର୍ଷକ: ସେଲିବ୍ରେସନ୍‌ସ୍‌ ବ୍ରେକ୍‌ ଆଉଟ୍‌ ଓ୍ଵାର୍ଲଡ୍‌ଓ୍ଵାଇଡ୍‌ ଆଜ୍‌ ଟ୍ରମ୍ପ୍‌ ଏରା ଏଣ୍ଡ୍‌ସ୍‌’। ଖବରକାଗଜରେ ତାରିଖ ପଡ଼ିଥିଲା ମେ ୧, ୨୦୧୯।

ଘଟନାକୁ ଆହୁରି ଆଚମ୍ବିତ କରି ପକାଇଥିଲା ହ୍ଵାଇଟ୍‌ ହାଉସ୍‌ର ଆଖପାଖ ଅଞ୍ଚଳ ସମେତ ଓ୍ଵାସିଂଟନ୍‌ ଡିସିର ରାସ୍ତାରେ ଏହି ସଂସ୍କରଣ ମାଗଣା ବିତରଣ ହେବା କଥା।

ତୁରନ୍ତ, ‘ଦି ଓ୍ଵାସିଂଟନ୍‌ ପୋଷ୍ଟ୍‍’ ସ୍ପଷ୍ଟ କଲା ଯେ ତାହା ଗୋଟାଏ ଜାଲ୍‌ ସଂସ୍କରଣ ଏବଂ ସେଥିରେ ସେମାନଙ୍କର କିଛି କରିବାର ନାହିଁ।

ଟୁଇଟ୍‌ କରି ‘ଦି ଓ୍ଵାସିଂଟନ୍‌ ପୋଷ୍ଟ୍‍’ କହିଲା: ସମଗ୍ର ଡିସିରେ (ଡିଷ୍ଟ୍ରିକ୍ଟ୍‌ ଅଫ୍‌ କଲମ୍ବିଆ) ‘ଦି ଓ୍ଵାସିଂଟନ୍‌ ପୋଷ୍ଟ୍‍’ର ଜାଲ୍‌ ସଂସ୍କରଣ ବିତରଣ କରାଯାଉଛି, ଏବଂ ଗୋଟାଏ େଓ୍ଵବ୍‌ସାଇଟ୍‌ ଦି ପୋଷ୍ଟ୍‍କୁ ନକଲ କରିବାକୁ ଉଦ୍ୟମ କରୁଛି ବୋଲି ଆମେ ଜାଣିଛୁ। ସେଗୁଡ଼ିକ ପୋଷ୍ଟ୍‍ର ଉତ୍ପାଦନ ନୁହେ, ଏବଂ ଆମେ ଏହାର ତଦନ୍ତ କରୁଛୁ।

ଜାଲ୍‌ ଖବରକାଗଜରେ ଛାପା ଯାଇଥିବା ଖବରଟି ଲେଖିଛନ୍ତି ଲିଜା ଚଙ୍ଗ୍‌। ଲେଖାଯାଇଛି ଯେ ଏପ୍ରିଲ୍‌ ୩୦, ୨୦୧୯ ଦିନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ହ୍ଵାଇଟ୍‌ ହାଉସ୍‌ ଛାଡ଼ିଛନ୍ତି।

ସେଥିରେ ପ୍ରକାଶିତ ଅନ୍ୟ ଏକ ଖବରରେ ଲେଖାଯାଇଛି ଯେ ଟ୍ରମ୍ପ୍‌ ଇସ୍ତଫା ଦେବା ପରେ ବିଶ୍ୱବ୍ୟାପୀ ଲୋକେ ଉତ୍ସବମୁଖର ହୋଇ ଉଠିଛନ୍ତି।
ତରବରିଆ ଶପଥ ଉତ୍ସବରେ ଉପରାଷ୍ଟ୍ରପତି ମାଇକ୍‌ ପେନ୍‌ସ୍‌ ତାଙ୍କ ଜେଜିମା’ ବାଇବଲ୍‌ରେ ରାଷ୍ଟ୍ରପତୀୟ ଶପଥ ଗ୍ରହଣ କରିଛନ୍ତି।

‘ନିଉଜ୍‌ଉଇକ୍‌’ରେ କାମ କରୁଥିବା ସାମ୍ବାଦିକ ରାମ୍‌ସି ଟକ୍‌ବେରି ଏକ ଟୁଇଟ୍‌ରେ ଦାବି କରିଛନ୍ତି ଏହି ଜାଲ୍‌ ସଂସ୍କରଣରେ ଭୂମିକା ଗ୍ରହଣ କରିଥିବା ଜଣେ ସାମାଜିକକର୍ମୀଙ୍କ ସହ ସେ କଥାବାର୍ତ୍ତା କରିଛନ୍ତି। ସେ କହିଛନ୍ତି ଯେ ସେ ସାମାଜିକକର୍ମୀ ହେଉଛନ୍ତି ଲିଜା ଫିଥିଆନ୍‌। ଅନେକ ସାମାଜିକକର୍ମୀଙ୍କ ମିଳିତ ସହଯୋଗରେ ତାହା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର