ଭାରତର ସାଧାରଣତନ୍ତ୍ର ଦିବସ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ନିମନ୍ତେ ଭାରତ ଦେଇଥିବା ନିମନ୍ତ୍ରଣକୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ପ୍ରତ୍ୟାଖ୍ୟାନ କରିଛନ୍ତି।

ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ନ ଥିବା ବେଳେ ଏ ଭଳି ଖବର ଆସିଛି। ଯଦି ଭାରତ ଏସ୍‌-୪୦୦ ମିସାଇଲ୍‌ ସିଷ୍ଟମ୍‌ ଖରିଦ କରିବାକୁ  ରୁଷ୍‌ ସହ ରାଜିନାମାରେ ସ୍ୱାକ୍ଷର କରେ ତେବେ କଟକଣା ଲାଗୁ କରିବ ବୋଲି ନିକଟ ଅତୀତରେ ଆମେରିକା ସତର୍କ କରାଇ ଦେଇଥିଲା। କିନ୍ତୁ ଏ ମାସ ପ୍ରାରମ୍ଭରେ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଭାରତ ଗସ୍ତ ସମୟରେ ସେ ଭଳି ୫ଟି ମିସାଇଲ୍‌ ଖରିଦ କରିବାକୁ ଭାରତ ଚୁକ୍ତି ସ୍ୱାକ୍ଷର କରିଛି।

ଏହାଛଡ଼ା ଭାରତ ଯଦି ଇରାନ୍‌ରୁ ତେଲ ଖରିଦ କରିବା ଚାଲୁ ରଖେ ତେବେ ମଧ୍ୟ ଭାରତ ପ୍ରତି କଟକଣା ଲାଗୁ କରାଯିବ ବୋଲି ଟ୍ରମ୍ପ୍‌ ପ୍ରଶାସନ ଧମକ ଦେଇଥିଲା। କିନ୍ତୁ, ଭାରତ ଇରାନ୍‌ରୁ ତେଲ ଖରିଦ କରିବା ଚାଲୁ ରଖିଛି।

ନିମନ୍ତ୍ରଣ ଅଗ୍ରାହ୍ୟ କରିବାର କାରଣ ଦର୍ଶାଇବାକୁ ଯାଇ ଟ୍ରମ୍ପ୍‌ ପ୍ରଶାସନ କହିଛି କି, ଭାରତର ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କର ଅନ୍ୟାନ୍ୟ ବହୁ ଜରୁରୀ କାର୍ଯ୍ୟକ୍ରମ ରହିଛି। ସେ ସମୟରେ ଟ୍ରମ୍ପ୍‌ ‘ଷ୍ଟେଟ୍‌ ଅଫ୍‌ ଦି ୟୁନିୟନ୍‌’ ଠାରେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି।

କିନ୍ତୁ, ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ସାଧାରଣତନ୍ତ୍ର ଦିବସ ଅବସରରେ ଭାରତ ଆସିଥିବା ବେଳେ ‘ଷ୍ଟେଟ୍‌ ଅଫ୍‌ ଦି ୟୁନିୟନ୍‌’ ଠାରେ ତାଙ୍କର ଭାଷଣ ପ୍ରଦାନ ତାରିଖ ସ୍ଥଗିତ ରଖାଯାଇଥିଲା। ଭାଷଣ ପ୍ରଦାନର ତାରିଖ ନିର୍ଦ୍ଧାରଣ କରାଯାଇ ନ ଥିଲେ ବି ତାହା ଜାନୁଆରି ୨୨ ରୁ ଫେବ୍ରୁଆରି ପ୍ରଥମ ସପ୍ତାହ ମଧ୍ୟରେ ଧାର୍ଯ୍ୟ କରାଯିବ।

ସମ୍ବନ୍ଧିତ ଖବର