ତୁର୍କୀ ରାଷ୍ଟ୍ରପତିଙ୍କୁ ଟ୍ରମ୍ପ୍‌ଙ୍କ ଧମକପୂର୍ଣ୍ଣ ପତ୍ର, ଇତିହାସରେ ସଇତାନ ହୁଅ ନାହିଁ

ତୁର୍କୀରେ ଆମେରିକା ଅଣୁ ଅସ୍ତ୍ର ରଖିଥିବା ପ୍ରଘଟ କଲେ ଟ୍ରମ୍ପ୍‌

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ତୁର୍କୀ ରାଷ୍ଟ୍ରପତି ତେୟପ ଏର୍ଦୋଗାନ୍‌ଙ୍କୁ ଧମକପୂର୍ଣ୍ଣ ପତ୍ର ଲେଖି ସିରିୟା ଆକ୍ରମଣରୁ ଓହରିଯିବାକୁ କହିଛନ୍ତି। ଟ୍ରମ୍ପ୍‌ ତାଙ୍କ ପତ୍ରରେ ଲେଖିଛନ୍ତି, ଆପଣ ଇତିହାରେ ସଇତାନ ଭାବେ ନିଜ ନାମ ନାମକୁ ସାମିଲ କରିବା ଭଳି କାର୍ଯ୍ୟ କରୁଛନ୍ତି। ଏଭଳି ବୋକାମି କରିବାରୁ ନିଜକୁ ଦୂରେଇ ରଖନ୍ତୁ, ଅନ୍ୟଥା ତୁର୍କୀକୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସିରିୟାରୁ ଆମେରିକାର ସେନା ପ୍ରତ୍ୟାହାର ପରେ ତୁର୍କୀ ସିରିୟା ଉପରେ ଅଚାନକ ଆକ୍ରମଣ ଆରମ୍ଭ କରିଥିବାରୁ ଟ୍ରମ୍ପ୍‌ ତୁର୍କୀ ରାଷ୍ଟ୍ରପତିଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ତୁର୍କୀର ଅର୍ଥ ବ୍ୟବସ୍ଥାକୁ ବରବାଦ କରି ଦିଆଯିବ ଏବଂ ଖୁବ୍‌ଶୀଘ୍ର ଏହାର ପରିଣାମ ଦେଖିବାକୁ ମିଳିବ। ‘ଆପଣ (ଏର୍ଦୋଗାନ୍‌) ହଜାର ହଜାର ଲୋକଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିବାକୁ ଚାହିବେ ନାହିଁ ବୋଲି ମୁଁ ଆଶା କରୁଛି ଏବଂ ତୁର୍କୀର ଅର୍ଥନୀତି ଧ୍ବଂସ କରିବାକୁ ମଧ୍ୟ ମୁଁ ଦାୟୀ ରହିବି ନାହିଁ। ଆପଣ ମାନବୀୟ ନୀତିକୁ ଗ୍ରହଣ କରିବାକୁ ପଦକ୍ଷେପ ନେଲେ ଇତିହାସ ଆପଣଙ୍କୁ ସମର୍ଥନ କରିବ। କିନ୍ତୁ ଆପଣ ଏବେ ଯେଉଁ ନୀତିରେ ଚାଲିଛନ୍ତି ତାହା ଜାରି ରହିଲେ ଇତିହାସ ଆପଣଙ୍କୁ ସଇତାନ ଦୃଷ୍ଟିରେ ଦେଖିବ ବୋଲି ଟ୍ରମ୍ପ୍‌ କହିଛନ୍ତି। ସିରିୟା ଡେମୋକ୍ରାଟିକ୍‌ ସେନାର ମୁଖ୍ୟ ମଜୁଲମ ଅବ୍‌ଦିଙ୍କ ସହ କଥାବାର୍ତ୍ତା କରି ଏକ ଚୁକ୍ତିରେ ପହଞ୍ଚିବା ଆବଶ୍ୟକ। ତେଣୁ ମୂର୍ଖଙ୍କ ଭଳି ଆଚରଣ କରନ୍ତୁ ନାହିଁ।’ ଆମେରିକା ରାଷ୍ଟ୍ରପତିଙ୍କ ଏହି ଧମକପୂର୍ଣ୍ଣ ଚିଠିକୁ ସାର୍ବଜନୀନ କରାଯିବା ପରେ ତୁର୍କୀରେ ଆଲୋଡ଼ନ ସୃଷ୍ଟି ହୋଇଛି। ଆମେରିକା ଯେ କୌଣସି ସମୟରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟ ପକ୍ଷରେ ତୁର୍କୀରେ ଆମେରିକାର ଏକ ବଡ଼ ବାୟୁସେନା ଘାଟି ରହିଥିବା ଏବଂ ଆମେରିକା ସେଠାରେ ଅଣୁ ଅସ୍ତ୍ର ରଖିଥିବା ନେଇ ମଧ୍ୟ ଟ୍ରମ୍ପ ତଥ୍ୟ ପ୍ରଘଟ କରିଛନ୍ତି। ଆମେରିକା ତୁର୍କୀରେ ପରମାଣୁ ଅସ୍ତ୍ର ରଖିଥିବା ବିଷୟ ଆଜି ପର୍ଯ୍ୟନ୍ତ ଗୋପନ ରହିଥିବା ବେଳେ ଟ୍ରମ୍ପ୍‌ ଅଚାନକ ଏହି ତଥ୍ୟ ପ୍ରଘଟ କରି ଆତଙ୍କ ଖେଳାଇ ଦେଇଛନ୍ତି। ଟ୍ରମ୍ପ୍‌ କହିଛନ୍ତି ଯେ ତୁର୍କୀରେ ଆମର ବାୟୁସେନା ଘାଟି ଏବଂ ପରମାଣୁ ଅସ୍ତ୍ର ଠିକ୍‌ଠାକ ରହିଛି।

ସମ୍ବନ୍ଧିତ ଖବର