ଆମେରିକା ପାଇଁ ଆଗାମୀ ଦୁଇ ସପ୍ତାହ ଅତ୍ୟନ୍ତ ଯନ୍ତ୍ରଣାଦାୟକ: ରାଷ୍ଟ୍ରପତି ଟ୍ରମ୍ପ୍

ୱାସିଂଟନ୍: ମଙ୍ଗଳବାର ଦିନ ଆମେରିକାରେ କୋରାନାଭାଇରସଜନିତ ମୃତ୍ୟୁ ସଂଖ୍ୟା ୩, ୪୧୬ରେ ପହଞ୍ଚିବା ପରେ ରାଷ୍ଟ୍ରପତି ଟ୍ରମ୍ପ୍ ଚେତାବନୀ ଦେଇ କହିଛନ୍ତି ଯେ ଆମେରିକା ପାଇଁ ଆଗାମୀ ଦୁଇ ସପ୍ତାହ ହେବ ଅତ୍ୟନ୍ତ ଯନ୍ତ୍ରଣାଦାୟକ ।
ହ୍ୱାଇଟ୍ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ୍ କହିଛନ୍ତି ଯେ ଘଟଣା ଖୁବ୍ ଯନ୍ତ୍ରଣାଦାୟକ ହେବାକୁ ଯାଉଛି, ଆଗାମୀ ଦୁଇ ସପ୍ତାହ ହେବ ଅତ୍ୟନ୍ତ ଯନ୍ତ୍ରଣାଦାୟକ ।
କରୋନାଭାଇରସ୍ ମହାମାରୀକୁ ଟ୍ରମ୍ପ୍ ପ୍ଲେଗ୍ ବେମାରୀ ସହ ତୁଳନା କରିଛନ୍ତି । ସେ କହିଛନ୍ତି, ମୁଁ ଚାହେଁ ଆଗରେ ଥିବା ଦୁଃସମୟର ସମ୍ମୁଖୀନ ହେବାକୁ ସମସ୍ତ ଆମେରିକୀୟ ପ୍ରସ୍ତୁତ ରୁହନ୍ତୁ ।

Image Source: Zee News

ଶୀର୍ଷସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ସହଜରେ ସଂପ୍ରସାରିତ ହୋଇଯାଉଥିବା ଭୂତାଣୁକୁ ରୋକିବାକୁ କଡ଼ା ସାମାଜିକ ଦୂରତା ବଜାୟ ରଖିବା ହିଁ ଏକମାତ୍ର ଉପାୟ ।

କରୋନାଭାଇରସ୍ ରେସପନସ୍ କୋଅର୍ଡିନେଟର୍ ଦେବୋରା ବ୍ରିକ୍ସ ହ୍ୱାଇଟ୍ ହାଉସ୍ ଠାରେ କହିଛନ୍ତି ଯେ ଏଥିପାଇଁ କୌଣସି କୁହୁକ ଟିକା କିଂବା ଚିକିତ୍ସା ନାହିଁ । ଏକମାତ୍ର ଆଚାରବ୍ୟବହାର, ପ୍ରତ୍ୟକଙ୍କର ଆଚାରବ୍ୟବହାର ହିଁ ଆଗାମୀ ୩୦ ଦିନ ମଧ୍ୟରେ ଏହି ମହାମାରୀ ସଂପ୍ରସାରଣର ଗତିପଥ ପରିବର୍ତ୍ତନ କରିପାରିବ ।

ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରିକ୍ସ ଏକ ଚାର୍ଟ ପ୍ରଦର୍ଶନ କରି କହିଥିଲେ ଯେ ଭୂତାଣୁର ମୂଳୋତ୍ପାଟନ ନିମନ୍ତେ ସମ୍ପ୍ରତି ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଯଦି ଠିକ୍ ରୂପେ ପାଳନ କରା ନ ଯାଏ ତେବେ ଆମେରିକାରେ ୧୦୦, ୦୦୦ ରୁ ୨୪୦, ୦୦୦ ଲୋକଙ୍କର ମୃତ୍ୟୁ ଘଟିବ ।

ସମ୍ବନ୍ଧିତ ଖବର