ରାଜନୈତିକ ଦଳଙ୍କୁ ୨ ହଜାର ଟଙ୍କାରୁ ଅଧିକ ନଗଦ ଚାନ୍ଦା ଦିଅନ୍ତୁ ନାହିଁ : ଆୟକର ବିଭାଗ

ନୂଆଦିଲ୍ଲୀ: କୌଣସି ରାଜନୈତିକ ଦଳଙ୍କୁ ନଗଦ ୨ ହଜାର ଟଙ୍କାରୁ ଅଧିକ ଚାନ୍ଦା ଦିଅନ୍ତୁ ନାହିଁ । ଏ ନେଇ ଜନସାଧାରଣଙ୍କୁ ସତର୍କ କରାଇଦେଇଛି ଆୟକର ବିଭାଗ । ରାଜନୈତିକ ପାଣ୍ଠି ସଂଗ୍ରହକୁ ଅଧିକ ସ୍ୱଚ୍ଛ କରିବାକୁ ବିଭାଗ ଏହି ପଦକ୍ଷେପ ନେଇଛି ।
ଆୟକର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଜଣେ ବ୍ୟକ୍ତି ଏକ ପଂଜୀକୃତ ରାଜନୈତିକ ଦଳ ବା ଟ୍ରଷ୍ଟକୁ ନଗଦ ୨ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଚାନ୍ଦା ଦେବା ଉଚିତ ନୁହେଁ । ସରକାରଙ୍କ ପକ୍ଷରୁ ଗତ ୨ ତାରିଖରେ ଘୋଷିତ ଇଲେକ୍ଟରାଲ ବଣ୍ଡ୍‌ ସ୍କିମ ପରିପ୍ରେକ୍ଷୀରେ ବିଭାଗ ଏହି ପଦକ୍ଷେପ ନେଇଛି ।

ଦେଶରେ ରାଜନୈତିକ ପାଣ୍ଠି ସଂଗ୍ରହକୁ ଅଧିକ ସ୍ୱଚ୍ଛ କରିବାକୁ ଅର୍ଥମନ୍ତ୍ରୀ ଚଳିତ ମାସ ପ୍ରଥମ ସପ୍ତାହରେ ଇଲେକ୍ଟରାଲ ବଣ୍ଡ ପ୍ରଚଳନ ବିଷୟରେ ଘୋଷଣା କରିଥିଲେ । ଏହି ସ୍କିମ ଅନୁସାରେ ଷ୍ଟେଟ୍‌ ବ୍ୟାଙ୍କର କେତେକ ନିର୍ଦ୍ଦିଷ୍ଟ ଶାଖାରେ ଏହି ବଣ୍ଡ ବିକ୍ରି କରାଯିବ । ଏହି ବଣ୍ଡ୍‌ ଜାନୁୟାରୀ, ଏପ୍ରିଲ, ଜୁଲାଇ ଓ ଅକ୍ଟୋବର ମାସରେ ୧୦ ଦିନ ପାଇଁ ବିକ୍ରି କରାଯିବ । ଏହି ବଣ୍ଡ୍‌ଗୁଡିକର ବୈଧତା ୧୫ ଦିନ ପାଇଁ ରହିବ । ଯଦିଓ ବଣ୍ଡରେ ଦାତାଙ୍କ ନାମ ଉଲ୍ଲେଖ ରହିବ ନାହିଁ, ତେବେ ବ୍ୟାଙ୍କରେ ତାଙ୍କୁ କେଓ୍ଵାଇସି ନିୟମକୁ ପାଳନ କରିବାକୁ ପଡିବ । ଅର୍ଥାତ୍‌ ଆଧାର କାର୍ଡ, ପ୍ୟାନକାର୍ଡ ଆଦି ବିବରଣୀ ଦେବାକୁ ପଡିପାରେ । ଅନ୍ୟପକ୍ଷରେ ରାଜନୈତିକ ଦଳମାନେ ନିଜର ବ୍ୟାଙ୍କ ଖାତା ମାଧ୍ୟମରେ ଏହି ବଣ୍ଡକୁ ଭଙ୍ଗେଇ ପାରିବେ ।

କେବଳ ଏତିକି ନୁହେଁ ଆୟକର ବିଭାଗ ଆହୁରି ମଧ୍ୟ କହିଛି ଯେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କଠାରୁ ଗୋଟିଏ ଦିନରେ ୨ ଲକ୍ଷ ବା ଅଧିକ ଟଙ୍କାର ନଗଦ ଅର୍ଥ ଗ୍ରହଣ କରିବା ଉଚିତ ନୁହେଁ । ସେହିପରି ବ୍ୟବସାୟିକ ବା ପେଷାଗତ ଆନୁଷଙ୍ଗିକ ଖର୍ଚ୍ଚ ବାବଦରେ ଥରକେ ୧୦ ହଜାରରୁ ଅଧିକ ପରିମାଣରେ ନଗଦ ପେମେଣ୍ଟ କରାଯିବା ଉଚିତ ନୁହେଁ । ପୁଣିକୌଣସି ସ୍ଥାନରେ ଏପରି ବେଆଇନ କାରବାର ହେଉଥିଲେ ଆୟକର ବିଭାଗକୁ ସୂଚୀତ କରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର