ଇଞ୍ଚେ ବି ଛାଡ଼ିବୁ ନାହିଁ

ଆମେରିକାକୁ ସତର୍କ କରାଇଲେ ଜିନ୍‌ପିଙ୍ଗ୍‌

ବେଜିଂ,: ଚୀନ୍‌ ଶାନ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ବିସ୍ତାରବାଦୀ ନୀତିରେ ବିଶ୍ୱାସ କରେନାହିଁ, କିନ୍ତୁ ଆମେ ନିଜ ଅଂଚଳର ଗୋଟିଏ ଇଞ୍ଚ ସ୍ଥାନ ମଧ୍ୟ କାହାକୁ ଛାଡ଼ିବୁ ନାହିଁ ବୋଲି ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଆଜି ଆମେରିକାର ପ୍ରତିରକ୍ଷା ସଚିବ ଜିମ୍‌ ମାଟିସ୍‌ଙ୍କୁ କହିଛନ୍ତି। ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ର ସାମରିକ ବିସ୍ତାର ଯୋଜନାକୁ ତୀବ୍ର ବିରୋଧ କରି ଆସୁଥିବା ଆମେରିକା ପାଇଁ ଏହା ଚୀନ୍‌ର ଚେତାବନୀ ବୋଲି କୁହାଯାଇଛି । ବେଜିଂ ଏବଂ ଓ୍ଵାସିଂଟନ ମଧ୍ୟରେ ଦକ୍ଷିଣ ଚୀନ୍‌ ସାଗରକୁ ନେଇ ତିକ୍ତତା ବଢ଼ି ଚାଲିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ଚୀନ୍‌ ବିରୋଧରେ ଆଭିମୁଖ୍ୟ କଠୋର କରିଛନ୍ତି। ଆଜି ଜିନ୍‌ପିଙ୍ଗ୍‌ଙ୍କ ସହ ମାଟିସ୍‌ ଦକ୍ଷିଣ ଚୀନ୍‌ ସାଗରର ସୁରକ୍ଷା ସ୍ଥିତି ନେଇ ଆଲୋଚନା କରିଛନ୍ତି। ଚୀନ୍‌ ଏ ବାବଦରେ ସାମାନ୍ୟ ସାଲିସ୍‌ ବି କରିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିବାରୁ ଆଗାମୀ ଦିନରେ ଏହି ସଙ୍କଟ ଜଟିଳ ହେବା ଆଶଙ୍କା ରହିଛି। ଆମେରିକାର ତାଇଓ୍ଵାନ ନୀତିକୁ ଆଦୌ ଭରସା କରୁନଥିବା ଚୀନ୍‌ ମାଟିସ୍‌ଙ୍କ ସହ ଏ ବାବଦରେ ବିସ୍ତତ ଆଲୋଚନା କରିଥିବା ଜଣାପଡ଼ିଛି। ଉତ୍ତର କୋରିଆର ପରମାଣୁ ନିରସ୍ତ୍ରୀକରଣ କାର୍ଯ୍ୟକ୍ରମ ନେଇ ମଧ୍ୟ ଉଭୟ ରାଷ୍ଟ୍ର ମଧ୍ୟରେ ଆଲୋଚନା ହୋଇଛି ।
ଚୀନ୍‌ ସାଗର ଉପରେ ଏକଚାଟିଆ ଅଧିକାର ଦାବି କରୁଥିବା ଚୀନ୍‌ ସେଠାରେ ବହୁ ସଂଖ୍ୟାରେ ସାମରିକ ଘାଟି ସ୍ଥାପନ କରିଛି। ଆମେରିକାର କୌଣସି ଚାପକୁ ଭୃକ୍ଷେପ ନକରି ଚୀନ୍‌ ତା’ର ସାମରିକ କାର୍ଯ୍ୟକ୍ରମ ଚଳାଇଥିବା ବେଳେ ଦକ୍ଷିଣ ଚୀନ୍‌ ସାଗର ବିବାଦରେ ଅନ୍ତର୍ଜାତୀୟ ଅଦାଲତର ରାୟକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛି। ଦକ୍ଷିଣ ଚୀନ୍‌ ସାଗରରେ ଏବେ ଚୀନ ଏକ ବିଶାଳ ସୁରକ୍ଷା ପାଚେରୀ ନିର୍ମାଣ କରୁଛି। ଅତ୍ୟାଧୁନିକ ସେନ୍‌୍‌ସର ବ୍ୟବସ୍ଥା ଦ୍ୱାରା ଏହା ପରିଚାଳିତ ହେବ। ବିଭିନ୍ନ ଦ୍ୱୀପକୁ ସଂଯୋଗ କରୁଥିବା ସବ୍‌ମେରିନ୍‌ କେବୁଲ ସଂଯୋଗ କାମ ସଂପୂର୍ଣ୍ଣ ହୋଇଛି। ଦକ୍ଷିଣ ଚୀନ୍‌ ସାଗରରେ ଆମେରିକାର ସାମରିକ କାର୍ଯ୍ୟକ୍ରମକୁ ଚୀନ୍‌ ପ୍ରତିହତ କରିବା ପାଇଁ ଆଶାତୀତ ଭାବେ ଶକ୍ତି ପ୍ରଦର୍ଶନ କରୁଥିବାରୁ ଆଗକୁ ଏହି ସଙ୍କଟ ଜଟିଳ ରୂପ ନେବ ବୋଲି କୁହାଯାଉଛି। ଦକ୍ଷିଣ ଚୀନ୍‌ ସାଗରର ପ୍ରାକୃତିକ ସଂପଦ ଉପରେ ଅନ୍ୟ କୌଣସି ରାଷ୍ଟ୍ରର ଅଧିକାର ନାହିଁ ବୋଲି ଚୀନ୍‌ ଘୋଷଣା କରିଥିବାରୁ ଆସିଆନ୍‌ ରାଷ୍ଟ୍ରଗୁଡ଼ିକ ଏଥିରେ ଘୋର ଉଦ୍‌୍‌ବେଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର